ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ଓ ପୋଲିସ ଅଧିକାରୀ

● ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପାଇଁ ଜିଲ୍ଳା ପ୍ରଶାସନ ପ୍ରସ୍ତୁତ : ଜିଲ୍ଳାପାଳ

● ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ର୍ରହଣରେ ରହିଛି ୪୬ଟି ଅତି ସମ୍ବେଦନଶୀଳ ଓ ୮୭ଟି ସମ୍ବେଦନଶୀଳ ବୁଥ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ଫେବୃଆରୀ ୧୬ ତାରିଖରେ ରାୟଗଡା ଜିଲ୍ଳାରେ ଅନୁଷ୍ଠିତ ହେବାକୁ ଯାଉଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଯାହାକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଳା ଓ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିବା ନେଇ ଆଜି ଜିଲ୍ଳାପାଳ ସରୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଳାର ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଳକର ୫୫୪ଟି ବୁଥରେ ହେବ ଭୋଟ ଗ୍ରହଣ । ଏଥିରେ ୩ଟି ବ୍ଳକର ୫ଟି ଜୋନ’ର ଜିଲ୍ଳା ପରିଷଦ ଆସନ, ୪୬ଟି ଲେଖାଁଏ ସରପଂଚ ଓ ସମିତି ସଭ୍ୟ ସହ ୫୫୪ଟି ୱାର୍ଡମେମ୍ବର ପ୍ରାର୍ଥୀଙ୍କ ନିମନ୍ତେ ୧ଲକ୍ଷ ୫୨ହଜାର ଭୋଟର ନିଜର ମତଦାନ ସାବସ୍ତ୍ୟ କରିବେ । ଉକ୍ତ ୩ଟି ବ୍ଳକର ୫୫୪ଟି ବୁଥ ମଧ୍ୟରେ ୪୬ଟି ଅତି ସମ୍ବେଦନଶୀଳ ଓ ୮୭ଗୋଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ୧୧ଗୋଟି ବୁଥକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଉକ୍ତ ବୁଥଗୁଡିକର ଭୋଟର ଓ ପ୍ରାର୍ଥୀମାନଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ସେହିପରି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ନିମନ୍ତେ ଉକ୍ତ ୩ଟି ବ୍ଳକର ୫୫୪ଟି ବୁଥ ନିମନ୍ତେ ୧୬୬୨ଜଣ ପୁଲିଂ ଅଧିକାରୀଙ୍କ ସମେତ ୫୫୪ଟି ପୋଲିସ କର୍ମଚାରୀଙ୍କୁ ମିଶାଇ ମୋଟ ୨୨୧୬ଜଣଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆସନ୍ତାକାଲି ୧୫ତାରିଖରେ ସମସ୍ତେ ନିଜ ନିଜ ବୁଥ ଅଭିମୁଖେ ବାହାରିବେ ବୋଲି କହିଛନ୍ତି । ଜିଲ୍ଳା ପ୍ରଶାସନ ପକ୍ଷରୁ ଅବାଧ,ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ରାୟଗଡା ଜିଳ୍ଳାରେ ଆସନ୍ତା ଫେବୃଆରୀ ୧୬ରେ ମୁନିଗୁଡା, ବିଷମକଟକ, ଚନ୍ଦ୍ରପୁର, ୧୮ରେ ଗୁଣପୁର ଓ ରାମନାଗୁଡା, ୨୦ରେ କାଶିପୁର ଓ କଲ୍ୟାଣସିଂହପୁର,୨୨ରେ ରାୟଗଡା ଓ କୋଲନରା ସମେତ ୨୪ତାରିଖରେ ପଦ୍ମପୁର ଓ ଗୁଡାରୀ ବ୍ଳକରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଏଥି ନିମନ୍ତେ ଜିଲ୍ଳାର ୨୨ଟି ଜିଲ୍ଳା ପରିଷଦ ଜୋନ,୧୮୨ଟି ପଂଚାୟତରେ ସରପଂଚ ଓ ସମିତି ସଭ୍ୟ ସମେତ ୨୨୦୨ଟି ୱାର୍ଡରେ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ମଇଦାନରେ ଲଢେଇରେ ଓହ୍ଳାଇଥିବା ପ୍ରାର୍ଥୀମାନଙ୍କ ସପକ୍ଷରେ ପାଖାପାଖି ୫ଲକ୍ଷ ୯୯ହଜାର ଭୋଟର ନିଜର ମୂଲ୍ୟବାନ ମତଦାନ ସାବ୍ୟସ୍ତ କରିବେ । ଜିଲ୍ଳାରେ ନିର୍ବାଚନ ପ୍ରକ୍ରି୍ରୟା ପରିଚାଳନାରେ ନିମନ୍ତେ ୩୭୦୦ଜଣ ପୋଲିଂ ଅଧିକାରୀଙ୍କ ସମେତ ସଂରକ୍ଷିତ ଥିବା ୧୦ପ୍ରତିଶତକୁ ମିଶାଇ ସର୍ବମୋଟ ୪୧୧୦ଜଣ ପୋଲିଂ ଅଫିସିଆଲ୍ ନିୟୋଜିତ ହେବେ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିିନ୍ତନ କକ୍ଷରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମ୍ବନ୍ଧୀୟ ଉପରୋକ୍ତ ସୂଚନା ପ୍ରଦାନ ବେଳେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ରହି ପୋଲିସ ପ୍ରଶାସନ ପକ୍ଷରୁ ନିର୍ବାଚନ ନିମନ୍ତେ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଳାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମାଓ ପ୍ରବଣ ବିଷମକଟକ,ମୁନିଗୁଡା ଓ ଚନ୍ଦ୍ରପୁର ବ୍ଳକରେ ଭୋଟ ଗ୍ରହଣ ହେଉଥିବା ହେତୁ ସମସ୍ତ ପୋଲିଂ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସମେତ ଭୋଟରମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଉକ୍ତ ୩ଟି ବ୍ଳକର ସ୍ୱତନ୍ତ୍ର ଗ୍ରାମ ପଂଚାୟତ ପାଇଁ ପୋଲିସ ମୋବାଇଲ୍ ପାର୍ଟି ଗଠନ କରାଯାଇଥିବା ବେଳେ କିଛି ପଂଚାୟତକୁ ମିଶାଇ ଗୋଟିଏ ଗୋଟିଏ ସେକ୍ଟର ଗଠନ ହୋଇଛି । ଏହି ସେକ୍ଟରମାନଙ୍କରେ ଗୋଟିଏ ଲେଖାଁଏ ସେକ୍ଟର ଅଧିକାରୀ ଏବଂ ତାଙ୍କ ତଳକୁ ଜଣେ ଲେଖାଁଏ ସୁପରଭାଇଜିଂ ଅଧିକାରୀଙ୍କୁ ନିୟୋଜିତ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ମାଓବାଦୀଙ୍କ ଗତିବିଧିକୁ ନଜରରେ ରଖି ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ଳକରେ ଏସଓଜି,ସିଆରପିଏଓ ଓ ଡିଭିଏଫଙ୍କ ଦ୍ୱାରା ପୂର୍ବରୁ ୧୧ଟି ଅପରେସନ୍ ଯୋଜନା ହୋଇସାରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ କାଶିପୁର ଓ କଲ୍ୟାଣସିଂହପୁର ବ୍ଳକରେ ୭ଟି ଅପରେସନ୍ ଯୋଜନା କରାଯିବ ବୋଲି ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଉକ୍ତ ମାଓପ୍ର୍ରବଣ ବ୍ଳକଗୁଡିକରେ ଭୋଟ ଗ୍ରହଣ ନିମନ୍ତେ ପୋଲିସ ପକ୍ଷରୁ ଫୁଟ,ମଟର ସାଇକେଲ ଓ ଏଲଏମଭି ପେଟ୍ରୋଲିଂ ଜାରି ରହିଥିବା ବେଳେ ଡିଆଇବିରେ କଂଟ୍ରୋଲ ରୁମ ଏବଂ ମାଓବାଦୀଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୨୪ଘଂଟିଆ ଏକ ସ୍ୱତନ୍ତ୍ର କଂଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଶର୍ମା ସୂଚନା ଦେବା ସହ ନକଲି ମାଓବାଦୀମାନେ ନକ୍ସଲ ସଂଗଠନ ନାମରେ ଚାନ୍ଦା ପାଇଁ ଦାବି କଲେ ପୋଲିସ ପାଖରେ ବିନା ଭୟରେ ସୂଚନା ଦେଇ ପୋଲିସକୁ ସହଯୋଗ କରନ୍ତୁ ବୋଲି ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.