କେସିଙ୍ଗା ଏନ୍ଏସି ନିର୍ବାଚନକୁ ନେଇ ଚର୍ଚ୍ଚା

ଅଧ୍ୟକ୍ଷ ପଦ ପାଇଁ ଅନେକ ଆଶାୟୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଆସନ୍ତା ମାର୍ଚ୍ଚ ୨୪ରେ ହେବ ପୈ।ର ଭୋଟ ଏବଂ ୨୬ ତାରିଖରେ ହେବ ଭୋଟ ଗଣତି । ଏଥିପାଇଁ ଫେବୃଆରୀ ୨୮ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ମାର୍ଚ୍ଚ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ହେବାକୁ ରହିଥିବା ବେଳେ ମାର୍ଚ୍ଚ ୯ ରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଓ ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର ହେବ ବୋଲି ଜଣାପଡିଛି । ରାଜ୍ୟ ର ୧୦୬ ଟି ଏନ୍ଏସି/ମୁନିସିପାଲିଟି ପାଇଁ ମାର୍ଚ୍ଚ ୨୪ ରେ ଭୋଟ ଗ୍ରହଣ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ମଧ୍ୟ ସେଥିରେ ରହିଛି । ଯାହାକି ରାଜ୍ୟରେ ଏଥର ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ଭୋଟ ର ବ୍ୟବସ୍ଥା ରହିଛି ଓ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦ ଅଣସରକ୍ଷିତଙ୍କ ପାଇଁ ରହିଛି । ସେହି ଦୃଷ୍ଟିରୁ କେସିଙ୍ଗା ଏନ୍ଏସି ରେ ଅଧ୍ୟକ୍ଷ ପଦବୀକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ରୁ ଅନେକ ଆଶାୟୀ ପ୍ରାର୍ଥୀ ରହିଥିବା ନେଇ କେସିଙ୍ଗା ସହରରେ ଚର୍ଚ୍ଚା ହେଉଛି । ଯାହାକି ଅଧ୍ୟକ୍ଷ ପଦକୁ ନେଇ ଶାସକ ବିଜେଡି ଦଳରୁ ପୂର୍ବତନ କାଉନସିଲର ମହେନ୍ଦ୍ର ନାଏକ, ଭରତ ସାହୁ, ରଞ୍ଜନ ବେହେରା, ନୃପରାଜ ଯାଦବ, ନିକିତା ଜୈନ, ନଳୀନ ପଟ୍ଟନାୟକ, ସଚିନ ଜୈନ, ସନ୍ତୋଷ ଶର୍ମା, କେସିଙ୍ଗା ଏନ୍ଏସି ର ଅବସରପ୍ରାପ୍ତ କର୍ମଚାରୀ ସତ୍ରୁଘନ ନାଏକ ପ୍ରମୁଖଙ୍କ ସମେତ ଆହୁରି ଅନେକ ବିଜେଡି ଦଳ ରେ ଟିକଟ ପାଇଁ ଲବି ଚଳାଇଥିବା ଶୁଣିବାକୁ ମିଳିଛି । ସେହିପରି ବିଜେପିରୁ ଦଳର ବରିଷ୍ଠ ତଥା ପୁରୁଣା କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ପୂର୍ବତନ ନଗରପାଳ ସରିତା ସିନ୍ଦୂର, ଗୋବିନ୍ଦ ବନଛୋର, ବିର୍ଦ୍ଦିଚନ୍ଦ ଜୈନ, ସନ୍ତୋଷ ଦାସ, ମଗନ ସିନ୍ଦୂର ପ୍ରମୁଖ ଆଶାୟୀ ପ୍ରାର୍ଥୀ ଲବିରେ ରହିଥିବା ବେଳେ କଂଗ୍ରେସ ଦଳରେ ପୂର୍ବତନ ନଗରପାଳ ରାମକୁମାର ଜୈନ, ସୁରେଶ ରାଓ, ସୁର୍ଯ୍ୟକାନ୍ତ ଦାସ, ମୋତି କୈବର୍ତ୍ତ ପ୍ରମୁଖ ଲବିରେ ଥିବା ନେଇ ସହରରେ ଚର୍ଚ୍ଚା ହେଉଛି । ହେଲେ ତିନି ରାଜନୈତିକ ଦଳ ମଧ୍ୟରେ କାଉନସିଲର ପଦବୀ ପାଇଁ କେଉଁ ମାନେ ଆଶାୟୀ ପ୍ରାର୍ଥୀ ରହିଛନ୍ତି ସେନେଇ କିଛି ଜଣାପଡି ନାହିଁ । ନିର୍ବାଚନ ହେବାକୁ ବହୁତ କମ୍ ଦିନ ରହିଥିବା ବେଳେ ଆଶାୟୀ ପ୍ରାର୍ଥୀ ମାନଙ୍କ ମନରେ ଚିନ୍ତା ଘାରିଛି ଓ ଦଳୀୟ ଟିକଟ ପାଇଁ ଲବି ଆରମ୍ଭ ହୋଇଯାଇଛି । ଗତ ନିର୍ବାଚନରେ କେସିଙ୍ଗା ଏନ୍ଏସି ର ୧୨ ଗୋଟି ଓ୍ବାର୍ଡ ମଧ୍ୟରୁ କଂଗ୍ରେସ ୫ ଗୋଟି ଓ୍ବାର୍ଡ ରେ ବିଜୟୀ ହେଇଥିବା ବେଳେ ବିଜେପି ୪ ଓ ବିଜେଡି ୩ ଗୋଟି ଓ୍ବାର୍ଡ ରେ ବିଜୟୀ ହୋଇଥିଲା । ତେବେ ବିଜେପି ଓ ବିଜେଡ଼ି ଦଳ ମଧ୍ୟରେ ଗଠବନ୍ଧନ ହୋଇ ବିଜେଡ଼ିର ଗୀତାଞ୍ଜଳି ବରିହା ଙ୍କୁ ଅଧ୍ୟକ୍ଷା ମିଳିଥିଲା । ୩ ବର୍ଷ ପରେ ଅନାସ୍ଥା ପ୍ରସ୍ତାବ ଭୋଟରେ ବିଜେଡିର ଶ୍ରୀମତୀ ବରିହା ଅଧ୍ୟକ୍ଷା ପଦ ହରେଇଥିବା ବେଳେ ପରବର୍ତ୍ତୀ ୨ ବର୍ଷ ପାଇଁ କଂଗ୍ରେସର ତପସ୍ଵିନୀ ମାଝୀଙ୍କୁ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷା ପଦ ମିଳିଥିଲା । ଯାହାକି ୫ ବର୍ଷ ମଧ୍ୟରେ କାଉନସିଲର ମାନଙ୍କ ମଧ୍ୟରେ ଅନେକ ବିବାଦ ସୃଷ୍ଟି ହୋଇଥିଲା ଓ କାଉନସିଲର ମାନଙ୍କ ବିବାଦକୁ ନେଇ ସେହି ସମୟରେ କେସିଙ୍ଗା ସହରରେ ବିଭିନ୍ନ ଉନ୍ନୟନମୂଳକ କାମରେ ବାଧା ସୃଷ୍ଟି ହୋଇଥିଲା । ତେବେ ଏଥର ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ଭୋଟକୁ ଭୋଟର ପସନ୍ଦ କରିଥିବା ବେଳେ ଅନେକ ଆଶାୟୀ ପ୍ରାର୍ଥୀ ରହିଥିବାରୁ ତିନି ରାଜନୈତିକ ଦଳର ପ୍ରାର୍ଥୀ ତାଲିକା ଚୁଡାନ୍ତ ପରେ ହିଁ କାହା ସପକ୍ଷରେ କେସିଙ୍ଗା ଭୋଟର ରହିଛନ୍ତି ତାହା ଜଣାପଡ଼ିବ । କେସିଙ୍ଗା ଏନ୍ଏସିର ୧୨ ଗୋଟି ଓ୍ବାର୍ଡରେ ୧୪ ହଜାର ୨୦୫ ଭୋଟର ରହିଛନ୍ତି । ୧୨ ଗୋଟି ଓ୍ବାର୍ଡ ରେ ନିର୍ବାଚନ ପାଇଁ ୧୭ ଗୋଟି ବୁଥ୍ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ଓ କିପରି ସୁରୁଖୁରୁରେ ନିର୍ବାଚନ ପରିଚାଳନା ହୋଇପାରିବ ସେ ନେଇ ନିର୍ବାଚନ ଅଧିକାରୀ ଦାୟିତ୍ଵରେ ଥିବା ତହସିଲଦାର ଜ୍ୟୋତିର୍ମୟ କରଙ୍କ ନେତୃତ୍ବରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.