କେସିଙ୍ଗା ଏନ୍ଏସି ନିର୍ବାଚନ ପାଇଁ ବିଭିନ୍ନ ଓ୍ବାର୍ଡର ସଂରକ୍ଷଣ ତାଲିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିରେ ୧୨ ଗୋଟି ଓ୍ବାର୍ଡ ରହିଛି । ଏସବୁ ଓ୍ବାର୍ଡରେ ଭୋଟର ସଂଖ୍ୟା ୧୪୨୦୫ ରହିଥିବା ବେଳେ ସେଥିରେ ମହିଳା ଭୋଟର ସଂଖ୍ୟା ୭୦୪୧, ପୁରୁଷ ଭୋଟର ସଂଖ୍ୟା ୭୧୬୩ ଏବଂ ଜଣେ ତୃତୀୟ ସମଲିଙ୍ଗ ଭୋଟର ରହିଥିବା ଜଣାପଡିଛି । ତେବେ ଚଳିତ ନିର୍ବାଚନ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ଭାବରେ ଭୋଟର ଭୋଟ ଦେବାକୁ ବ୍ୟବସ୍ଥା ରହିଥିବା ବେଳେ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦ ଅଣ-ସରକ୍ଷିତ ରହିଛି । ତେଣୁ ଅଧ୍ୟକ୍ଷ ପଦବୀକୁ ନେଇ ସହରର ବିଭିନ୍ନ ଓ୍ବାର୍ଡର ଗଳି କନ୍ଦିରେ ବର୍ତ୍ତମାନ ରାଜନୀତି ଚର୍ଚ୍ଚା ହେଉଛି । ୧୨ ଗୋଟି ଓ୍ବାର୍ଡ ପାଇଁ କାଉନସିଲର ପଦବୀକୁ ନେଇ ସ୍ଥାନ ସଂରକ୍ଷଣ ତାଲିକା ପୂର୍ବରୁ ପ୍ରକାଶ ପାଇଥିଲେ ମଧ୍ୟ କାଉନସିଲର ପଦବୀକୁ ନେଇ ସେତିକି ଆଲୋଚନା ବିଷୟ ହୋଇନାହିଁ । ୧୨ ଗୋଟି ଓ୍ବାର୍ଡରେ କାଉନସିଲର ପଦବୀ ପାଇଁ ସଂରକ୍ଷିତ ରହିଥିବା ତାଲିକା ଅନୁସାରେ ପ୍ରକାଶ ଯେ, ଓ୍ବାର୍ଡ ନମ୍ବର ୧, ୫, ୮, ୧୦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଓ୍ବାର୍ଡ ନମ୍ବର ୨, ୩, ୬, ୭, ୧୧ ଅଣସରକ୍ଷିତ ରହିଥିବା ବେଳେ ଓ୍ବାର୍ଡ ନମ୍ବର ୪ ପାଇଁ ଅନୁସୂଚିତ ଜାତି, ଓ୍ବାର୍ଡ ନମ୍ବର ୯ ଅନୁସୂଚିତ ଜନଜାତି ମହିଳା ଓ ଓ୍ବାର୍ଡ ନମ୍ବର ୧୨ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ତେବେ ପୈ।ର ନିର୍ବାଚନ ପାଇଁ ରାଜ୍ୟର ୧୦୭ ଗୋଟି ଏନ୍ଏସି/ମ୍ୟୁନିସିପାଲଟିରେ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ଏନ୍ଏସି ରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲ କରିବାର ଆଜି ପ୍ରଥମ ଦିନରେ ଅଧ୍ୟକ୍ଷ ପଦବୀ ପାଇଁ ୩ ଗୋଟି ନାମାଙ୍କନ ପତ୍ର ବିକ୍ରି ହୋଇଥିବା ବେଳେ ନାମାଙ୍କନ ପତ୍ର ଦାଖଲ ଶୂନ ରହିଥିବା ନେଇ ତହସିଲଦାର ତଥା ନିର୍ବାଚନ ଅଧିକାରୀ ଜ୍ୟୋତିର୍ମୟ କର ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.