ନର୍ଲାରେ ବିଜେପି ଗଡ ପତନର କାରଣ କ’ଣ ହୋଇପାରେ ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କିଛି ଦିନ ତଳେ ପ୍ରକାଶ ପାଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡିରେ ସ୍ଥିତି ହରାଇଲା ବିଜେପି । ୨୦୧୭ରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ହାତେଇ ଥିବା ବିଜେପି ଏଥର ଶଙ୍ଖନାଦ ଆଗରେ ତିଷ୍ଠି ପାରିଲା ନାହିଁ । ଜିଲ୍ଲାର ୩୬ଟି ଜୋନ୍ ମଧ୍ୟରୁ ବିଜେଡି ଏକଚାଟିଆ ୩୩ ଜୋନରେ ଜିତିଥିବା ବେଳେ କଂଗ୍ରେସ ୧ ଓ ବିଜେପି ୨ରେ ସନ୍ତୁଷ୍ଟ ରହିଲେ । କଳାହାଣ୍ଡି ଲୋକସଭା ଆସନ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ବିଜେପି ହାତରେ ଥିଲେ ମଧ୍ୟ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ କାହିଁକି ନୈରାଶ୍ୟଜନକ ହେଲା ? ଏହାକୁ ନେଇ ନର୍ଲାରେ ଚାଲିଛି ମାନସ ମନ୍ଥନ । ପଞ୍ଚାୟତ ନିର୍ବାଚନର ପ୍ରାକ କାଳରେ ନର୍ଲାର ତିନୋଟି ଜୋନ୍ ମଧ୍ୟରୁ ନଂ୧ ଓ ନଂ୩ ଜୋନରେ ବିଜେପି ହାଓ୍ବା ବୋହୁଥିଲା । ତେବେ ଫଳାଫଳ ପ୍ରକାଶ ସମୟରେ ଚିତ୍ର ଓଲଟି ଗଲା । ତିନୋଟି ଯାକ ଆସନ ହାତେଇଲା ଶାସକ ବିଜେଡି । ଆଉ ଏଥିପାଇଁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଓ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମୀତା ରାଣୀ ସାହୁଙ୍କୁ ଦାୟୀ କରିଛନ୍ତି ବିଜେପୀ କର୍ମୀ । କଳାହାଣ୍ଡି ସାଂସଦଙ୍କ ଜନସାଧାରଣଙ୍କ ପ୍ରତି ରୁକ୍ଷ ବ୍ୟବହାର, ସଂଗଠନ ବିକାଶ ଦିଗରେ ନିସ୍କ୍ରୀୟତା, ଅଞ୍ଚଳ ପାଇଁ ଆଖିଦୃଶିଆ ବିକାଶ ମୂଳକ କାର୍ଯ୍ୟ ନକରିବା, ନୂଆପଡା ଓ କଳାହାଣ୍ଡି ଅଞ୍ଚଳ ମଧ୍ୟରେ ପାତର ଅନ୍ତର ନୀତି (ଆଞ୍ଚଳିକ ବୈଷମ୍ୟ), ଦଳୀୟ କର୍ମୀ ମାନଙ୍କୁ ଅଣଦେଖା ପ୍ରଭୃତି ପ୍ରସଙ୍ଗ ଦଳ ପାଇଁ ମହଙ୍ଗା ପଡିଲା ଏବଂ ନର୍ଲା କାହିଁକି ସାରା କଳାହାଣ୍ଡିରେ ଗତ ଥରର ଚମ୍ପିଅନ ବିଜେପିର ଗଡ ଧ୍ୱଂସ ପାଇଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି । କଳାହାଣ୍ଡି ବିଜେପିର ଲୋକପ୍ରିୟ ନେତୃତ୍ୱ ଭବାନୀପାଟଣା ବିଧାୟକ ତଥା ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାଏକ ଶାରିରୀକ ଅସୁସ୍ଥତା ଯୋଗୁଁ ସେ ଦଳୀୟ କଥା ଆଉ ବୁଝି ପାରିଲେ ନାହିଁ । ଏହାରି ମଧ୍ୟରେ କଳାହାଣ୍ଡିରେ ସଂଗଠନ ପରିଚାଳନା କରୁଥିବା ସାଂସଦ ବସନ୍ତ ପଣ୍ଡାଙ୍କ ସହ ଦଳୀୟ ନେତୃବୃନ୍ଦ ଓ କର୍ମୀଙ୍କ ମଧ୍ୟରେ ତାଳମେଳ ରହିଲା ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ସାଂସଦ ଶ୍ରୀଯୁକ୍ତ ପଣ୍ଡା କଳାହାଣ୍ଡିରେ ବିଜେପି ସଂଗଠନ ଅଭିବୃଦ୍ଧି ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ସଙ୍ଗଠିତ କରିବେ କ’ଣ ଓଲଟା ବିଜେପି ସଙ୍ଗଠନକୁ ରସାତଳଗାମୀ କଲେ ବୋଲି ସ୍ଥାନୀୟ କର୍ମୀ ମହଲରେ ଆଲୋଚନା ହେଉଛି । କୋଭିଡ ପରଠାରୁ ନର୍ଲାରୋଡ ଓ ରୁପ୍ରାରୋଡରେ ଟ୍ରେନ ରହଣୀ କରାଇବାରେ ସାଂସଦଙ୍କ ଅକ୍ଷମତାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଲା । ରୁପ୍ରା ସୁନାମୁଖି ସାଗର ପ୍ରସଙ୍ଗକୁ ନେଇ କଳାହାଣ୍ଡି ସାଂସଦ ଓ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା । ଏହା ଏପରି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କଲାଯେ, ସାଂସଦଙ୍କ କାର୍ଯ୍ୟଧାରାକୁ କେବଳ ରୁପ୍ରା ଅଞ୍ଚଳ ନୁହଁ ନର୍ଲା ବ୍ଲକ ସାରା ଲୋକେ ସମାଲୋଚନା କରିବାରେ ଲାଗିଲେ । ରେତ ଜଳସେଚନ ପ୍ରକଳ୍ପ ଢୁସଗୁଡା କେନାଲର ପାଣି ପ୍ରସଙ୍ଗ ମଧ୍ୟ ବିଜେଡି ଉପରକୁ ନଯାଇ ସାଂସଦଙ୍କ ପାରିବା ପଣିଆ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କଲା ବୋଲି ରାଜନୈତିକ ବିଶାରଦ ମାନେ କହିଛନ୍ତି । ନର୍ଲା ବ୍ଲକ ଜୋନ-୩ ରେ ରହିଛି ଐତିହାସିକ ଅସୁରଗଡ ଦୁର୍ଗ । ଏହା ଭାରତର ପ୍ରତ୍ନତାତ୍ବିକ ମାନଚିତ୍ରରେ ସ୍ଥାନ ପାଇଛି । ଗଡ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନୁଦାନ ପ୍ରଦାନ କରିଛନ୍ତି । ତେବେ ଗଡ ମଧ୍ୟରେ କେଉଁ ଏକ ଆବାହମାନ କାଳରୁ ବସବାସ କରି ଆସୁଥିବା ଗଡ ବାସୀଙ୍କ ସମସ୍ୟା ଦୂର ହୋଇ ପାରିନାହିଁ । ଗଡବାସୀଙ୍କ ଅଭିଯୋଗ ଓ ଅନୁରୋଧ ପରେବି ଏଥି ପ୍ରତି ମାନ୍ୟବର ସାଂସଦ ଦୃଷ୍ଟି ଦେଇନଥିବା ଚର୍ଚ୍ଚା ହୁଏ । ବାଦ୍ଧ୍ୟ ହୋଇ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କଲେ ଗଡବାସୀ । ଏହି ନିଆଁ ନିର୍ବାଚନର ଦୁଇ ତିନି ଦିନ ଆଗରୁ ନର୍ଲା ଜୋନ ୩ ରେ ହୁତ ହୁତ ବ୍ୟାପୀ ଗଲା । ଫଳରେ ଲୋକେ ବିଜେପିକୁ ସହଜରେ ଗ୍ରହଣ କରି ପାରିଲେ ନାହିଁ । ତେଣୁ ବିଜେପି ଉପରୁ ଲୋକଙ୍କ ଆସ୍ଥା ତୁଟିଲା ବୋଲି ଜଣାପଡିଛି । ଅପରପକ୍ଷରେ ୨୦୧୭ରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ନମୀତା ରାଣୀ ସାହୁ ଜିଲ୍ଲାର ବିକାଶକୁ ଭୁଲିଗଲେ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଦଳୀୟ କର୍ମୀ, ତୃଣମୂଳ ସ୍ତରରେ ଜନସଂପର୍କ ଓ ଜିଲ୍ଲାର ବିକାଶକୁ ପଛରେ ପକାଇ କେବଳ ସଭା ସମିତି, ଶିଳାନ୍ୟାସ, ଉଦ୍ଘାଟନ କାର୍ଯ୍ୟକ୍ରମ ଗୁଡିକରେ ଅତିଥି ହୋଇ ସମୟ ଅତିବାହିତ କଲେ । ଫଳରେ ଜିଲ୍ଲାରେ ବିକାଶ କାର୍ଯ୍ୟକ୍ରମ ଧିମେଇ ଯିବାସହ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଜମାଟ ବାନ୍ଧିଲା ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଫଳ ସ୍ୱରୁପ ସାର ଜିଲ୍ଲାରେ ବିଜେପି ଚିତ୍ ପଟାଙ୍ଗ ମାରିଲା । ଜିଲ୍ଲାରେ ଶଙ୍ଖନାଦ ତୀବ୍ରତର ହେଲା, କଂଗ୍ରେସ୍ ଆଗେଇଲା ହେଲେ ପଦ୍ମ ମଉଳି ଗଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ଖୋଦ୍ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ଘର କେସିଙ୍ଗା ସହରରେ ହୋଇଥିବାବେଳେ ସେ କେସିଙ୍ଗା ବ୍ଲକ ନଂ-୧ ଜୋନରେ ଜିଲ୍ଲା ପରିଷଦ ସଦସ୍ୟା ପ୍ରାର୍ଥୀନୀ ହୋଇଥିଲେ । ତେବେ ଶ୍ରୀମତୀ ସାହୁ ବିଜେଡି ପ୍ରାର୍ଥୀନୀଙ୍କ ସହିତ ପ୍ରତିଯୋଗୀତା ମଧ୍ୟ କରି ପାରିଲେ ନାହିଁ । ଚିନ୍ତାର ବିଷୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥାଇ ମଧ୍ୟ ସେ ତୃତୀୟ ସ୍ଥାନରେ ରହିଲେ । ନିଜ ବ୍ଲକ କେସିଙ୍ଗାର ତିନୋଟି ଯାକ ଆସନରେ ବିଜେପି ପ୍ରାର୍ଥୀ/ ପ୍ରାର୍ଥୀନୀ ତିନି ନମ୍ବର ସ୍ଥାନରେ ରହି ପରାଜୟ ବରଣ କଲେ । କେବଳ ଯେ, ନିଜ ସିଟ ହରାଇଲେ ତା’ ନୁହଁ କଳାହାଣ୍ଡି ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ଆସନରୁ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୩୩ ଗୋଟି ସିଟ ହାତେଇ ଚମ୍ପିଅନ ସାଜିଥିବା ବିଜେପି ଜିଲ୍ଲାରେ ୩ ନମ୍ବର ସ୍ଥିତିରେ ରହିଲା । ଗତ ଥର ମାତ୍ର ଗୋଟିଏ ଆସନରେ ରହିଥିବା ବିଜେଡି ୨୦୨୨ ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ଦଳୀୟ ବିଧାୟକ, ନେତୃବୃନ୍ଦଙ୍କ ପ୍ରବଳ ପ୍ରଚେଷ୍ଟାରେ ୩୩ ଗୋଟି ଆସନ ଅକ୍ତିଆର କରି ୩୩ ର ଜବାବ୍ ୩୩ ରେ ଦେଲା । ଲଢେଇ କରି କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଲଜ୍ୟା ଜନକ ପରାଜୟ ବରଣ କଲା ବିଜେପି । ନର୍ଲାରେ ମଧ୍ୟ ବିଜେପି ଗଡ ଭୁଷୁଡି ପଡିଲା । ଏସବୁ ଦିଗ ଛଡା ଆଉ ଅନ୍ୟସବୁ କାରଣ କ’ଣ ହୋଇପାରେ ତାହାକୁ ନେଇ ବିଜେପି କର୍ମୀ ଓ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଚାଲିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.