ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

ପୁଅକୁ ଖୋଜି ଆଣିବା ପାଇଁ ପ୍ରଶାସନ ନିକଟରେ ମା’ ବାପାଙ୍କ ଗୁହାରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜାମଚୁଆ ଗ୍ରାମର ଘାସିରାମ ନାଏକଙ୍କ ପୁତ୍ର ମଣ୍ଟୁ ନାଏକ(୨୧) ଆଜିକୁ ପ୍ରାୟ ୫ ମାସ ହେଲା ନିଖୋଜ ଥିବା ନେଇ ବିଶ୍ୱନାଥପୁର ଥାନାରେ ମାମଲା ରୁଜୁ ମଧ୍ୟ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ମଣ୍ଟୁ ର କୌଣସି ଖୋଜ ଖବର ମିଳୁନଥିବାରୁ ମା’ ବାପା ଆକୁଳ ହୋଇ ନିଜ ପୁତ୍ରକୁ ଖୋଜି ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି । ସୂଚନା ମୁତାବକ ଆଜିକୁ ପ୍ରାୟ ୫ ମାସ ହେଲା ଲାଞ୍ଜି ପଞ୍ଚାୟତ ଜାମଚୁଆ ଗାଁ ଘାସିରାମ ନାଏକଙ୍କ ପୁଅ ମଣ୍ଟୁ ନାଏକ ନିଜ ଗାଁର ସାଙ୍ଗ ଲୋକନାଥ ମାଝୀ, ମାଧବ ମାଝୀ, ଅର୍ଜୁନ ମାଝୀ, ସଙ୍କ ମାଝୀ, ନବୀନ ମାଝୀ, ଦେବ ମାଝୀ, ରଞ୍ଜିତ ମାଝୀଙ୍କ ସହିତ ଗତ ୨୦୨୧ ମସିହା ଅଗଷ୍ଟ ୧୧ ତାରିଖ ଦିନ କେରଳ ରାଜ୍ୟକୁ କାମ କରିବା ପାଇଁ ରାୟଗଡା ଜିଲ୍ଲା ମୁନିଗୁଡା ଟ୍ରେନ ଷ୍ଟେସନକୁ ଯାଇଥିଲେ । ମଣ୍ଟୁର ନିଜର ଟ୍ରେନ ଟିକଟ ନଥିବା ବେଳେ ମାଧବର ଟ୍ରେନ ଟିକଟରେ କେରଳ ଯିବ ବୋଲି କହି ମଣ୍ଟୁକୁ ସାଙ୍ଗରେ ନେଇଥିବା ବାପା ଘାସିରାମ କହିଛନ୍ତି । ମୁନିଗୁଡା ଷ୍ଟେସନରୁ ଗୋଟିଏ ସାଙ୍ଗେ କେରଳ ଯିବା ପାଇଁ ଟ୍ରେନ ଚଢିଥିଲେ । କିନ୍ତୁ ମଣ୍ଟୁ କେରଳ ଯିବା ବାଟରେ ଅଧା ରାସ୍ତାରେ କୌଣସି ଷ୍ଟେସନରେ ଓଲାଇ ପଡିଥିଲା । ଆମେ କେତେ ଖୋଜିଲେ ମଧ୍ୟ ପାଇଲୁନାହିଁ ବୋଲି ସାଙ୍ଗ ମାନେ ମଣ୍ଟୁର ବାପାକୁ କହିଥିବା ବାପା ଘାସି ପ୍ରକାଶ କରିଛନ୍ତି । ସାଙ୍ଗ ମାନଙ୍କ ଠାରୁ ଏହି ଖବର ପାଇବା ପରେ ମଣ୍ଟୁର ବାପା ଗତ ୨୨ ଅକ୍ଟୋବର ୨୦୨୧ ତାରିଖରେ ବିଶ୍ୱନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ହେଲେ ଆଜିକୁ ପ୍ରାୟ ୫ ମାସ ବିତି ଯାଇଥିଲେ ମଧ୍ୟ ପୁଅର କୌଣସି ଖୁଜ ଖବର ଆଜି ପର୍ଯ୍ୟନ୍ତ ପାଇ ପାରିଲେ ନାହିଁ । ଦୁର୍ଗମ ଅଞ୍ଚଳର ଏମାନେ କାମ ଅନୁସନ୍ଧାନରେ କେରଳ ରାଜ୍ୟକୁ ଯାଇଥିବା ଏହି ସାତ ଜଣ ଆଦିବାସୀ ବର୍ଗର ହୋଇ ଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ନାବାଳକ ବୋଲି ଜଣା ଯାଉଛି । ସାଙ୍ଗରେ ଯାଇ ମଣ୍ଟୁ ଅଧା ରାସ୍ତାରେ ଟ୍ରେନରୁ ଓହ୍ଲାଇ କେଉଁଆଡ଼େ ଚାଲି ଯାଇଥିବା ବେଳେ ଏମାନେ ମଧ୍ୟ ତାର କୌଣସି ଖୋଜ ଖବର ପାଇପାରୁ ନାହାନ୍ତି । ଏପଟେ ନିଜ ରୋଜଗାରିଆ ପୁଅ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବା ବେଳେ ବାପା ମା’ ଭୋକ ଉପାସରେ ଆକୁଳ ହୋଇ ପୁଅକୁ ଖୋଜି ଆଣିବା ପାଇଁ ସରକାରଙ୍କୁ ଗୁହାରୀ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.