ମଶାଣିବନ୍ଧ-ବୁଢିପଦର ରାସ୍ତା ନିର୍ମାଣରେ ଅନିୟମିତତା ନେଇ ସୃଷ୍ଟି ହେଲା ବିରାଟ ପ୍ରଶ୍ନବାଚୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗମନାଗମନ ବ୍ୟବସ୍ଥାକୁ ନବ ଦିଗନ୍ତ ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ କାର୍ଯ୍ୟକାରୀ ହେଉଛି । ତେବେ କେତେକ ସ୍ଥାନରେ ଠିକାଦାର ଓ ସରକାରୀ ବାବୁମାନଙ୍କ ଲାଭଖୋର ମନୋବୃତ୍ତି ପାଇଁ ଏହି ଯୋଜନା ଦିଗହରା ହେଉଥିବା ପରିଲକ୍ଷିତ ହେଉଛି । ଏମିତି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମଶାଣିବନ୍ଧ ଠାରୁ ନର୍ଲା ବ୍ଲକର ବୁଢିପଦର ପର୍ଯ୍ୟନ୍ତ ନିର୍ମାଣଧୀନ ମୁଖ୍ୟମନ୍ତ୍ରୀ ସଡ଼କରୁ । ୭ କିମିରୁ ଅଧିକ ଦୂରତ୍ବ ବ୍ୟାପି ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୩କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଟିଟିଲାଗଡର ଠିକାଦାର ବିନୋଦ ଅଗ୍ରୱାଲ ରାସ୍ତା ନିର୍ମାଣ ପାଇଁ ଠିକା ପାଇଛନ୍ତି । ତେବେ କାମ ଆରମ୍ଭରୁ ଅନେକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପୂର୍ବରୁ ଥିବା କଚ୍ଚା ରାସ୍ତାକୁ ନଖୋଳି ତା ଉପରେ ସିଧା ମାଟି ମୋରମ ପକାଇ କାମ ଆରମ୍ଭ କଲେ ଠିକାଦାର ଶ୍ରୀ ଅଗ୍ରୱାଲ । ରାସ୍ତାର କେତେକ ଯାଗାରେ ଅନୁପଯୁକ୍ତ ଚିକିଟା ମାଟି ବ୍ୟବହାର ହୋଇ ତା’ ଉପରେ ମୋରମ ବିଛା ଯାଇଥିବାରୁ ରାସ୍ତାର ସ୍ଥାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଠିକା ସଂସ୍ଥା ନିଜେ ରାସ୍ତାରେ ମାଟି ନପକାଇ ପେଟି କଣ୍ଟ୍ରାକଟର ମାନଙ୍କ ଦ୍ବାରା ରାସ୍ତାରେ ମାଟି ପକାଇଥିବା ଅଭିଯୋଗ ହେଉଛି । ଏହି ପେଟି ଠିକାଦାରମାନେ ସ୍ଥାନୀୟ ଅଞ୍ଚଳରେ ହୋଇଥିବାରୁ ଅନ୍ୟ ଲୋକଙ୍କ ଜମିରୁ ମାଟି ଖୋଳିବା ଠାରୁ ଆରମ୍ଭ କରି ରାସ୍ତାରେ ପକାଇବା ପର୍ଯ୍ୟନ୍ତ ଜୋର ଜବରଦସ୍ତିରେ କାମ ହାସଲ କରୁଥିବା ଅଭିଯୋଗ ହେଉଛି । କେଉଁଠୁ ସରକାରୀ ଜମିରୁ ମାଟି ଉଠିଛି ତ କେଉଁଠି ରାସ୍ତା କଡକୁ ଲାଗି ୬ରୁ ୮ ଫୁଟ ପର୍ଯ୍ୟନ୍ତ ମଧ୍ୟ ମାଟି ଖୋଳି ନେଇଥିବା ଦେଖାଯାଇଛି । ରାସ୍ତା କଡରୁ ମାଟି ଖୋଳି ନେଇଥିବାରୁ ସୃଷ୍ଟି ହୋଇଥିବା ବିରାଟ ବିରାଟ ଖାଳ ଗମନାଗମନ ସମୟରେ ଯାତ୍ରି ମାନଙ୍କ ପାଇଁ ବିପଦର କାରଣ ହୋଇପାରେ । ଏମାନେ ଲାଭଖୋର ମନୋଭାବ ରଖୁଥିବାରୁ କେତେକ ଜମି ମାଲିକ ମୋଟା ଅଙ୍କର ଅର୍ଥ ଦେଇ ନିଜ ଜମିର ଚିକିଟା ମାଟି ନେଇ ରାସ୍ତା ଉପରେ ପକାଇବାକୁ ପ୍ରଲୋଭିତ କରିଥିଲେ । ତେଣୁ ଆଗପଛ ବିଚାର ନକରି ଏହି ପେଟି ଠିକାଦାର ଓ ସଂପୃକ୍ତ ଠିକା ସଂସ୍ଥାର କର୍ମଚାରୀମାନେ ରାସ୍ତା କଡ କିମ୍ବା ଅତି ପାଖରେ ଥିବା ମାଟି ଆଣି ରାସ୍ତାରେ ପକାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପ୍ରତିବାଦ ସତ୍ତ୍ୱେ ମଧ୍ୟ ସରକାରୀ ଜମିରୁ ମାଟି ମୋରମ ଉଠି ରାସ୍ତା ନିର୍ମାଣ ହେଉଥିବା ନଜିର ରହିଛି । ନର୍ଲା ତହସିଲଦାରଙ୍କ ଠାରୁ ଏଥିପାଇଁ କୈାଣସି ଅନୁମତି ନେଇ ନଥିବା କିମ୍ବା ରୟାଲଟି ପୈଠ ହୋଇନଥିବା ଜଣାପଡିଛି । ରାସ୍ତାର ଓସାର ୮.୫ ମିଟର ରହିବା କଥା କିନ୍ତୁ ବୁଢିପଦର ଚଞ୍ଚରାପଡାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ୯.୫ ରୁ ୧୦ ମିଟର ପର୍ଯ୍ୟନ୍ତ ମାଟି ପଡିଛି । ଏହାଦ୍ବାରା ନିରିହ ଲୋକଙ୍କ ଜମି ଉପରେ ମାଡ ପଡୁଛି । ଏପଟେ ଡମ୍ବସିଲାଟ ଠାରୁ ବାଲସି ପର୍ଯ୍ୟନ୍ତ ରାସ୍ତା ସଂକୀର୍ଣ୍ଣ ହୋଇ ଯାଇଛି । ଏଥିରେ ୮.୫ ମିଟର ଦୂରର କଥା କେଉଁଠି ରାସ୍ତାର ପରିଧି ୫.୫ ମିଟର ତ କେଉଁଠି ସର୍ବାଧିକ ୬.୬ ମିଟର ରହିଛି । ଏପଟେ ଠିକାଦାର ଏହି କାମରେ ଅନୁପସ୍ଥିତ ରହୁଥିବାରୁ ତାଙ୍କ ଦ୍ବାରା ନିଯୁକ୍ତ ମେଟ୍ ଓ ମୁନସିଙ୍କ ଦ୍ବାରା ଚାଲିଥାଏ କାମ ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
ଏପଟେ ରାସ୍ତାର ସ୍ଥାନେ ସ୍ଥାନେ ନିର୍ମାଣ ହେଉଥିବା ପୋଲର ସ୍ଥାୟୀତ୍ବକୁ ନେଇ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜେଇ ନିୟମିତ ଆସୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦିବା ଆସନ୍ତି ଘଣ୍ଟେ ଅଧେ ରହି ଚାଲି ଯାଆନ୍ତି ବୋଲି ଶ୍ରମିକମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି । ଜେଇଙ୍କ ଅନୁପସ୍ଥିତିର ଫାଇଦା ନେଇ ଠିକାଦାରଙ୍କ ଦ୍ବାରା ନିଯୁକ୍ତ ଅନଭିଜ୍ଞ ମେଟ୍ ନିଜ ମର୍ଜିରେ ଅତି ନିମ୍ନ ମାନର କାମ କରୁଥିବା ଅଭିଯୋଗ ହେଉଛି । ୨ କଢ଼େଇ ସିମେଣ୍ଟରେ ୮ କଢ଼େଇ ପର୍ଯ୍ୟନ୍ତ ବାଲି ମିଶାଯାଉଥିବା ଜଣାପଡିଛି । ଏପଟେ ବ୍ରିଜ ନିର୍ମାଣ କାର୍ଯ୍ୟରେ ଅଳ୍ପ ବୟସର ବାଳିକ ବାଳିକାମାନଙ୍କୁ ନିୟୋଜିତ କରୁଥିବା ସହ ଟାଣ ଖରାରେ ଦିନ ୧୨ଟା ପର୍ଯ୍ୟନ୍ତ ଖଟାଉଥିବାରୁ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ରାସ୍ତା ନିର୍ମାଣ ସମୟରେ ଠିକାଦାର ବିନୋଦ ଅଗ୍ରୱାଲ କିମ୍ବା କୈାଣସି ସରକାରୀ ବାବୁଙ୍କ ଦେଖା ଦର୍ଶନ ମିଳେନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏସମନ୍ଧରେ ରାସ୍ତା କାମ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ରଞ୍ଜନ ସିଂଙ୍କ ମତାମତ ନେବାରୁ ମୁଁ ନିୟମିତ ଆସୁଛି ବୋଲି କହିବାସହ ଉପସ୍ଥିତ ରହି କାମ କରାଇଥାଏ ବୋଲି କହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି କନିଷ୍ଠଯନ୍ତ୍ରୀ ଉପସ୍ଥିତ ରହି କାମ କରାଉଛନ୍ତି ତେବେ କାହିଁକି ପୋଲ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଛି ? ଯଦି ଉପସ୍ଥିତ ରହୁଛନ୍ତି ତେବେ ତାଙ୍କ ସାମ୍ନାରେ ନିମ୍ନମାନର କାମ ହେଉଛି ନାଁ ସେ ଚାଲି ଯିବାପରେ ଶ୍ରମିକମାନେ ୨ କଢ଼େଇ ସିମେଣ୍ଟରେ ୮ କଢ଼େଇ ବାଲି ମିଶାଇ କାମ କରୁଛନ୍ତି ? ଏମିତି କଥା ଭିତରେ ଠିକାଦାର ଓ ସରକାରୀ ବାବୁ ମାନଙ୍କ ମଧୁଚନ୍ଦ୍ରିକା ଚାଲିଛି ବୋଲି ଚର୍ଚ୍ଚା ହେଉଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।