ନର୍ଲାରେ ଆରମ୍ଭ ହେଲା କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ

• ଜାଗା ଚିହ୍ନଟ ଯୋଗୁଁ ହେଲା ବିଳମ୍ବ

• ଖୁବ ସୁନ୍ଦର ଭାବେ ଏବଂ ଶୀଘ୍ର ନିର୍ମାଣ କରାଯିବ କଲ୍ୟାଣ ମଣ୍ଡପ -ନର୍ଲା ବିଡିଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅନେକ ଅଭିଯୋଗ ଓ ବାଦ ବିବାଦ ପରେ ଶେଷରେ ନର୍ଲାରେ ଆରମ୍ଭ ହେଲା କଲ୍ୟାଣ ମଣ୍ଡପ ଭବନ ନିର୍ମାଣ କାର୍ଯ୍ୟ । ଗତ ପାଞ୍ଚ ବର୍ଷ ତଳେ ଏଥିପାଇଁ ଆସିଥିବା ୩୫ ଲକ୍ଷ ଟଙ୍କା ଫଣ୍ଡ ପଡି ରହିଥିଲା । ଏତେ ଦିନ ଧରି କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଜାଗା ଚିହ୍ନଟ ହୋଇ ପାରୁନଥିଲା । ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକଙ୍କ ବାରମ୍ବାର ବ୍ଲକ ପ୍ରଶାସନ ସହିତ ଆଲୋଚନା ପରେ ନିର୍ବାଚନ ପୂର୍ବରୁ ଜାଗା ଚିହ୍ନଟ କରାଯାଇ ଗତ ଅପ୍ରେଲ ୧୦ ରେ ଲେ-ଆଉଟ ଦିଆଯାଇ ପିଲର ପାଇଁ ଗାତ ଖୋଳା ଯାଇଥିବା ଦେଖିବାକୁ ମିଳିଛି । ଯାହା ତ ବିଳମ୍ବ ହୋଇଯାଇଛି । ପଞ୍ଚାୟତରାଜ ନିର୍ବାଚନ ପରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ବୋଲି କଥା ଦେଇଥିଲେ ବିଡ଼ିଓ ଦାୟିତ୍ୱରେ ରହିଥିବା ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ । ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଗୁଡିକ ପ୍ରଣୟନ ହେଉଛି । ଏଥି ମଧ୍ୟରୁ ପଥିକ ମାନଙ୍କ ବିଶ୍ରାମ ନିମନ୍ତେ ପଥପ୍ରାନ୍ତ ବିଶ୍ରାମ ଗୃହ, ସେହିଭଳି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ କଲ୍ୟାଣ ମଣ୍ଡପ ନିର୍ମାଣ । ବାସ୍ତବରେ କେବଳ ସହରାଞ୍ଚଳ ବୋଲି ନୁହଁ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ କଲ୍ୟାଣ ମଣ୍ଡପର ଅତ୍ୟାବଶ୍ୟକ ହୋଇ ପଡିଲାଣି । ଏବେ ରାଜ୍ୟର ବିଭିନ୍ନ ସହର ଗୁଡିକରେ ବିଜୁ କଲ୍ୟାଣ ମଣ୍ଡପ ଗୁଡିକ ନିର୍ମିତ ହେବା ଫଳରେ ବିବାହ, ବ୍ରତ, ଭୋଜି ତଥା ବିଭିନ୍ନ ସଂଗଠନ ଗୁଡିକର ମିଟିଂ ସବୁ ମଧ୍ୟ ଏଇଠି ଖୁବ୍ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇ ପାରୁଛି । ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ବ୍ଲକ୍ ହେଡକ୍ୱାଟର୍ସ ଅଞ୍ଚଳରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୩୫,୦୦,୦୦୦ ଟଙ୍କା ଓ ଗ୍ରାମ ପଞ୍ଚାୟତ ଅଞ୍ଚଳ ଗୁଡିକରେ ୧୦,୦୦,୦୦୦ ଟଙ୍କା ରହିଛି । ଏହି କ୍ରମରେ ରାଜ୍ୟର ଅନେକ ବ୍ଲକରେ ନିର୍ମିତ ହୋଇଛି ବିଜୁ କଲ୍ୟାଣ ମଣ୍ଡପ । ରାଜ୍ୟ କାହିଁକି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ପଡୋଶୀ ବ୍ଲକ ମ.ରାମପୁର, କର୍ଲାମୁଣ୍ଡା, କେସିଙ୍ଗା ପ୍ରଭୃତିରେ ରାଜ୍ୟ ସରକାରଙ୍କ ତରଫରୁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅତି ସୁନ୍ଦର ଭାବରେ ନିର୍ମିତ ହୋଇଛି କଲ୍ୟାଣ ମଣ୍ଡପ ଗୁଡିକ । କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବହୁତ ଦିନରୁ ଟେଣ୍ଡର ପ୍ରକ୍ରୀୟା ସାରିଯାଇଥିଲା । ହେଲେ ଏଥିପାଇଁ ସରକାରୀ ଜମି ଚିହ୍ନଟ ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇଥିଲା । । ନିର୍ବାଚନ ପରେ ପରେ ନର୍ଲା ବିଡ଼ିଓଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ନର୍ଲା ତହସିଲ ଅଫିସ ପଛପଟେ, ଆରଡ଼ି ଅଫିସ ସମ୍ମୁଖରେ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ୩୦ ଡ଼ିସିମିଲ ଜାଗା ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ଗାଡି ପାର୍କିଂ ପାଇଁ ଜାଗା ନଥିଲା । ଉକ୍ତ ଜାଗା ପାଖରେ ଆଉ ୧୨ ଡ଼ିସିମିଲ ସରକାରୀ ଜାଗା ଖଣ୍ଡେ ଖୋଜିକି କାଢ଼ିଲେ ନର୍ଲା ତହସିଲଦାର ଶ୍ରୀ ତ୍ରିପାଠୀ । ପାର୍କିଂ ପାଇଁ ଅସୁବିଧା ହୋଇପାରେ ବୋଲି ଭାବୁଥିଲୁ । ହେଲେ ଏହି ଅତିରିକ୍ତ ୧୨ ଡ଼ିସିମିଲ ଜାଗା ମିଶିବା ପରେ ଆଉ ପାର୍କିଂ କିମ୍ବା ରାସ୍ତା ସମସ୍ୟା ରହିବ ନାହିଁ । ଏସବୁ ସମସ୍ୟା ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ ରେ ବିଳମ୍ବ ହୋଇଛି । କଲ୍ୟାଣ ମଣ୍ଡପ ଯେହେତୁ ଅଞ୍ଚଳବାସୀଙ୍କ ସାମୁହିକ ସୁବିଧା ପାଇଁ । ଏଣୁ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ କଲ୍ୟାଣ ମଣ୍ଡପ ଖୁବ ସୁନ୍ଦର ଭାବରେ ନିର୍ମାଣ କରାଯିବ ବୋଲି ନର୍ଲା ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.