ସର୍ଗିଗୁଡା ୧୬ ପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ଜୋରଦାର

ଓଡିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ନାମଯଜ୍ଞ ଚଳିତ ବର୍ଷ ଅନୁଷ୍ଠିତ ହେବ ବୋଲି ସ୍ଥିରିକୃତ ହୋଇସାରିଛି । ସର୍ଗିଗୁଡାର ମୁଖ୍ୟ ପର୍ବ ନାମଯଜ୍ଞ ସଂକୀର୍ତ୍ତନ । ଚଳିତ ବର୍ଷ ଏହା ୫୨ତମ ନାମଯଜ୍ଞ ହୋଇଥିବା ବେଳେ ସର୍ଗିଗୁଡା ଗ୍ରାମବାସୀଙ୍କ ମଧ୍ୟରେ ଏନେଇ ଅନେକ ଉତ୍ସାହ, ଉଦ୍ଦୀପନା ଓ ଉତ୍କଣ୍ଠା ରହିଥିବା ଦେଖିବାକୁ ମିଳୁଛି । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ନାମଯଜ୍ଞ ବନ୍ଦ ହୋଇପଡିଥିଲା । ଆଗରୁ ପ୍ରତିବର୍ଷ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିଲା । ହେଲେ ଚଳିତ ବର୍ଷ କେତେକ ସମସ୍ୟାକୁ ନେଇ ଏହା ୨୪ ପରିବର୍ତ୍ତେ ୧୬ ପ୍ରହର ନାମଯଜ୍ଞ କରାଯିବ ବୋଲି ସ୍ଥିରିକୃତ ହୋଇଛି । ଗତକାଲି ଏହି ନାମଯଜ୍ଞ ନିମନ୍ତେ ଚୁଡାନ୍ତ ବୈଠକ ଅନୁଷ୍ଠିତ ହୋଇ ଯଜ୍ଞ ପରିଚାଳନା ନିମନ୍ତେ ବିଭିନ୍ନ ବିଭାଗର ଦାଇତ୍ୱ ବଣ୍ଟନ କରାଯାଇଥିବା ଜଣାପଡିଛି । ଚଳିତ ବର୍ଷ ୧୬ ପ୍ରହର ନାମଯଜ୍ଞ ନିମନ୍ତେ ପରିଚାଳନା କମିଟିର ସଭାପତି ଭାବରେ ରତ୍ନାକର ପାଢୀ, ଉପସଭାପତି ଭାବରେ ସଞ୍ଜୟ ସରାଫ, ସାଧାରଣ ସମ୍ପାଦକ ଭାବରେ ଲଳିତ ପଧାନ, ଯୁଗ୍ମ ସମ୍ପାଦକ ଭାବରେ ଧନଞ୍ଜୟ ଗଉଡ, କୋଷାଧ୍ୟକ୍ଷ ଭାବରେ ଖୁସିରାମ ମାଝୀ ପ୍ରମୁଖ ଦାଇତ୍ୱରେ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଯଜ୍ଞ କର୍ତ୍ତା ଭାବରେ ଶ୍ରୀମତୀ ସ୍ନେହଲତା ପଧାନ ଓ ଜଗମୋହନ ପଧାନ ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି । ଗତ ଶୁକ୍ରବାର ୨୨/୪ ଦିନ ନାମଯଜ୍ଞ ନିମନ୍ତେ ମଣ୍ଡପ ପାଶ୍ୱର୍ରେ ଯଜ୍ଞକର୍ତ୍ତା ପଧାନ ଦମ୍ପତିଙ୍କ କର କମଳରେ ପରିଚାଳନା ସମିତିର କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶୁଭସ୍ତମ୍ବ ମଧ୍ୟ ସ୍ଥାପନା କରାଯାଇଛି । ପୂଜକ ପଣ୍ଡିତ ରାମଚନ୍ଦ୍ର ପାଢୀ ଶୁଭ ସ୍ତମ୍ଭ ସ୍ଥାପନ ବେଳେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ଅନ୍ୟ ବର୍ଷ ଗୁଡିକରେ ଗ୍ରାମର ପ୍ରାପ୍ତ ବୟସ୍କ ଓ ଅଭିଜ୍ଞ ବ୍ୟକ୍ତି ମାନେ ବିଭିନ୍ନ ପଦ ପଦବୀରେ ରହି ୨୪ ପ୍ରହର ନାମଯଜ୍ଞ ପରିଚାଳନା କରୁଥିବା ଦେଖିବାକୁ ମିଳୁଥିଲା । ହେଲେ ଚଳିତ ବର୍ଷ ଗ୍ରାମର ଯୁବ ଗୋଷ୍ଠି ୧୬ ପ୍ରହର ନାମଯଜ୍ଞ ପରିଚାଳନା ନିମନ୍ତେ ଆଗେଇ ଆସି ବିଭିନ୍ନ ପଦ ପଦବୀରେ ରହି ଯଜ୍ଞ ପରିଚାଳନା ନିମନ୍ତେ ଦାଇତ୍ୱ ତୁଲାଉଥିବା ଦେଖିବାକୁ ମିଳୁଛି । ଏହାବାଦ୍ ଭଣ୍ଡାର ଗୃହ ଦାଇତ୍ୱରେ ବସନ୍ତ ପୋଢ, ମଣ୍ଡପ ସାଜସଜ୍ଜାରେ ପଙ୍କଜ ପଧାନ, ସଞ୍ଜୟ ନାଏକ, ଯୁଗେଶ୍ୱର ବିଶ୍ୱାଳ, ରମେଶ ବିଶ୍ୱାଳ, ଓ ଅନ୍ୟ ବିଭାଗ ଦଳଡକା, ଦଳ ପ୍ରବେଶ କରାଇବା, ଅନ୍ନଛତ୍ର, ଭୋଗ ପ୍ରସ୍ତୁତି, ସ୍ୱାଗତ କାଉଣ୍ଟର, ଅତିଥି ସେବା କାଉଣ୍ଟର, ଭୋଗ କାଉଣ୍ଟର ପ୍ରଭୃତି ବିଭାଗ ଗୁଡିକରେ ମଧ୍ୟ ଗ୍ରାମ ଯୁବ ଗୋଷ୍ଠି ଦାଇତ୍ୱରେ ରହିଥିବା ଜଣାପଡିଛି । ବିଶେଷ କରି ଗ୍ରାମର ନାମଯଜ୍ଞ ପରିଚାଳନାରେ ଗ୍ରାମର ବହୁ ଅନୁଭବୀ ବ୍ୟକ୍ତି ଜହରଲାଲ ବିଶ୍ୱାଳ, ଗିରିଧାରୀ ଗଉଡ, କୁମୁଦଚନ୍ଦ୍ର ନାଏକ, ବିରେନ୍ଦ୍ର ନାଏକ, ବୀରକିଶୋର ମାଝୀ, ନିଳାମ୍ବର ପଧାନ, କହ୍ନେଇ ପୋଢ, ଲକ୍ଷ୍ମଣ ବାଗ, ଲୋକନାଥ ବିଶ୍ୱାଳ, ପରମେଶ୍ୱର ବିଶ୍ୱାଳ, ତ୍ରିଲୋଚନ ନାଏକ ପ୍ରମୁଖ ଉପଦେଷ୍ଟା ଭାବରେ ରହି ମାର୍ଗଦର୍ଶନ ଦେଉଥିବା ଜଣାପଡିଛି । ସର୍ଗିଗୁଡାର ଦୁଇ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ସର୍ଗିଗୁଡା ଓ ଡିଗିରାପଡା ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ସମ୍ବଲପୁର ପ୍ରଭୃତି ସ୍ଥାନରୁ ସମୁଦାୟ ୧୦ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ସର୍ଗିଗୁଡା ୧୬ ପ୍ରହର ନାମଯଜ୍ଞ ନିମନ୍ତେ ନିମନ୍ତ୍ରଣ କରାଯାଇଥିବା କମିଟି ସୂତ୍ରରୁ ଜଣାପଡିଛି । ଆସନ୍ତା ମଇ ୮ ରବିବାର ସଂଧ୍ୟା ୫.୧୯ ମଧ୍ୟରେ କଳସଯାତ୍ରା ଅନୁଷ୍ଠିତ ହେବ । ମଇ ୯ ସୋମବାର ସକାଳ ୫.୧୯ ରୁ ୭.୦୩ ମଧ୍ୟରେ ନାମ ଆରମ୍ଭ କରାଯିବ । ମଇ ୯ ଓ ୧୦ ଦୁଇଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବ । ବୁଧବାର ସକାଳ ୭ ଘଣ୍ଟା ସମୟରେ ପୂର୍ଣ୍ଣାହୂତି ପଡିବ ବୋଲି କମିଟି ସୂତ୍ରରୁ ଜଣାପଡିଛି । ୧୬ ପ୍ରହର ନାମଯଜ୍ଞ ପାଇଁ ଆଉ ଅଳ୍ପଦିନ ବାକି ରହିଥିବା ବେଳେ ଯଜ୍ଞ ମଣ୍ଡପକୁ ସାଜସଜ୍ଜା ଓ ମଣ୍ଡପ ପାର୍ଶ୍ୱରେ ଡାଳ ଛାମୁଡା ପାଇଁ ଯୁବଗୋଷ୍ଠି ଓ ଗ୍ରାମବାସୀ ସମସ୍ତେ ତତ୍ପର ରହିଥିବା ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.