କେସିଙ୍ଗାରେ ଓଭର ବ୍ରିଜ ନିର୍ମାଣ ପ୍ରସଙ୍ଗ : ସକ୍ରିୟ ଜମି ମାଫିଆ, ଶୋଷଣର ଶିକାର ଜମି ମାଲିକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ଠାରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ଗତ ୨୦୧୬ ମସିହାରୁ ପ୍ରୟାସ ଚାଲିଛି। ଜମି ଅଧିଗ୍ରହଣ ପାଇଁ ୨୦୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଘଟଣାକ୍ରମରେ ଏହି ଓଭର ବ୍ରିଜ ନିର୍ମାଣ ହୋଇପାରିନାହିଁ । କେସିଙ୍ଗା ସହର କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବାରୁ ପ୍ରତହ୍ୟ ଏଠାକୁ ଶହ ଶହ ଯାନବାହନ ଚଳାଚଳ କରିଥାଏ। ତେବେ ଓଭରବ୍ରିଜ ନିର୍ମାଣ ହୋଇ ପାରୁ ନଥିବାରୁ ଜନସାଧାରଣ ଗମନାଗମନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଓଭର ବ୍ରିଜ ନିର୍ମାଣ ପାଇଁ ୨୦୧୯ ମସିହାରେ ଚାଷୀଙ୍କ ଜମିର ସର୍ଭେ କରାଯାଇ ୧୨୧ ଜଣ ଚାଷୀଙ୍କ ପ୍ରାୟ ୩୦ଏକର ଜମି ଚିହ୍ନଟ କରାଯାଇ ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି। ତେବେ ୩-ଏ ନୋଟିସ ପ୍ରକାରେ ଆଖ ପାଖ ଅଞ୍ଚଳର ଜମି ଅଧିଗ୍ରହଣ ପାଇଁ ବନ୍ଦ କରିବା କଥା। କିନ୍ତୁ ଜମି ଦଲାଲ ମାନେ ଓଭର ବ୍ରିଜ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଜମିକୁ ଚାଷୀଙ୍କ ଠାରୁ କମ ଦାମରେ କିଣୁ ଥିବାର ଅଭିଯୋଗ ହେଉଛି।ବର୍ତ୍ତମାନ ୩-ଜି ନୋଟିସ ପ୍ରକାରେ ଚାଷୀଙ୍କ ଚାଷ ଜମିର ଉଚିତ ମୂଲ୍ୟ ପାଇବା ପାଇଁ ଧାର୍ଯ୍ୟ ହୋଇ ସାରିଛି। ଏଠାରେ ସୂଚନାଯୋଗ୍ୟ ଯେ, ଏହି ବ୍ଲକ ଉତ୍କେଲା ଏରୋଡ୍ରମ ପାଇଁ ବିଭାଗ ପକ୍ଷରୁ ଚାଷୀଙ୍କ ଠାରୁ ଜମି ଅଧିଗ୍ରହଣ କଲା ପରେ ଉତ୍କେଲା, ଠେମରା, କୋକମୁଣ୍ଡା ଅଞ୍ଚଳରେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ କେସିଙ୍ଗା ଓଭର ବ୍ରିଜ ନିର୍ମାଣ ହେଉଥିବା ଜମି ଉପରେ କାହିଁକି କଟକଣା କରା ଯାଉ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ନେଇ ଜାତୀୟ ରାଜପଥ ଏକ୍ସଜ୍ୟୁକେଟିଭ ଇଞ୍ଜିନିୟରଙ୍କୁ ପଚାରିବାରୁ ଜମି ରେଜିଷ୍ଟ୍ର ବା ଦଲାଲ ମାନେ ଜମି ଅଧିଗ୍ରହଣ କରୁଥିବା କାର୍ଯ୍ୟକୁ ରୋକିବା ମୋ କାମ ନୁହେଁ ବୋଲି ପ୍ରକାଶ କରିଥିଲେ। ତେଣୁ ରାଜସ୍ୱ ବିଭାଗ ଏଥି ପ୍ରତିଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.