ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ହେଉଛି ବିଶ୍ଵନିୟନ୍ତା ତିନି ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା । ଏଥିପାଇଁ ପୁରୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ପରିବେଶ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମୁରା ସ୍ଥିତ ସିଦ୍ଧି ଶ୍ରୀକ୍ଷେତ୍ରରେ ମଧ୍ୟ ମହା ଆଡ଼ମ୍ବରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଏଥିପାଇଁ ସକାଳ ପହରରୁ ସ୍ୱତନ୍ତ୍ର ନୀତିକାନ୍ତ ଅନୁଷ୍ଠିତ ହୋଇଥିଲା । ବେଦ ମନ୍ତ୍ରରେ ଗୁଞ୍ଜରିତ ହୋଇ ଉଠିଥିଲା ସମଗ୍ର ଅଂଚଳ । ରତ୍ନ ମଣ୍ଡପରୁ ତିନି ଠାକୁର ସ୍ନାନ ମଣ୍ଡପକୁ ଆସିବାପରେ ମୁଖ୍ୟ ପୂଜକ ପ୍ରସନ୍ନ କରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଠାକୁରଙ୍କ ସ୍ନାନ କରାଯାଇଥିଲା । ସ୍ନାନ ପୂର୍ଣ୍ଣିମା ପୂଜା କର୍ମରେ ମନ୍ଦିର ମୁଖ୍ୟ ପୂଜକଙ୍କ ଜ୍ୟୋଷ୍ଠ ପୁତ୍ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ସ୍ନାନଯାତ୍ରା ପରେ ତିନି ଠାକୁର ଗଜାନନ ବେଶରେ ଦର୍ଶନ ଦେଇଥିଲେ । ସ୍ନାନ ଯାତ୍ରା କାର୍ଯ୍ୟକ୍ରମରେ ପୂଜକ ତିଳ ପ୍ରସାଦ ମୁଣ୍ଡ, ଉପେନ୍ଦ୍ର ସାହୁ, ମୋହନ ସାହୁ, ଲୋଚନ ସାହୁ, ମାର୍କେଣ୍ଡେ ଶ୍ୱର ଖମାରୀ, ଜୟରାମ ନାଏକ, ତପେଶ୍ୱର ନାଏକ, ବୃଷବ ସାହୁ, ତୁଙ୍ଗନାଥ ତେଜୀଙ୍କ ସମେତ ଶତାଧିକ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।