ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲାରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଜିଲ୍ଲାର ଅନେକ ନଦୀରୁ ପ୍ରତହ୍ୟ ହଜାର ହଜାର ଟନ୍ ବାଲି ଚୋରା ଚାଲାଣ ହେଉଥିବାବେଳେ ସରକାର ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ଏହି କାରବାରରେ ବାଲି ମାଫିଆ ଓ କେତେକ ସରକାରୀ କର୍ମଚାରୀ ମାଲାମାଲ ହେଉଥିବାବେଳେ ନଦୀ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହେଉଛି। ଜିଲ୍ଲା ସାରା ବାଲି ଚୋରା ଚାଲାଣ କଥା ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶିତ ହୋଇ ଆସୁଛି। ଏଥିରୁ ବର୍ତ୍ତିନାହିଁ ଧର୍ମଗଡ଼ ବ୍ଲକ। ଧର୍ମଗଡ ତହସିଲ ଅଧୀନରେ ଥିବା କନାଗାଁ ବାଲିଘାଟରେ ବେଧଡକ ଭାବରେ ବାଳି ଚୋରା ଚାଲାଣ ଚାଲିଥିବା ଅଭିଯୋଗ ହୋଇଛି। ଗୋଳାମୁଣ୍ଡାର ଜଣେ ବ୍ୟକ୍ତି ଏହି ବାଲିଘାଟର ଲିଜଧାରୀ ଥିବା ବେଳେ ପ୍ରକୃତରେ ଧର୍ମଗଡ଼ର ଜଣେ ବିଜେପି ନେତା ବାଲିଘାଟ ଚଳାଉଥିବା ଖବର ମିଳିଛି। ଏହି ବାଲିଘାଟରେ ଗୋଟିଏ ଟ୍ରାଞ୍ଜିଟ ପାସ୍ ରେ ଦିନତମାମ ଟ୍ରକ ଟ୍ରକ ବାଲି ଚାଲାଣ ହେଉଛି। ଡ୍ରାଇଭର, ଲିଜଧାରୀମାନଙ୍କ ବିନା ଦସ୍ତଖତ, ବିନା ତାରିଖ ଓ ସମୟ ପଡିନ ଥିବା ଟ୍ରାଞ୍ଜିଟ ପାସ ଦିଆଯାଉଛି। ଯେଉଠି ଧରାପଡିଲେ ସେଠି ନିଜେ ତାରିଖ ପକେଇ ଫାଇନରୁ ଖସି ଯାଉଥିବା ନଜରକୁ ଆସିଛି। ଯାହାରି ଫଳରେ ସରକାରଙ୍କ ବହୁ ରାଜସ୍ବ ହାନି ହେଉଛି। ପ୍ରଶାସନ ବି ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ବାଲି ମାଫିଆଙ୍କ ଦୌରାତ୍ମ ବଢିବା ସାଙ୍ଗକୁ ଚୋରା ଚାଲାଣର ମାତ୍ରା ବଢ଼ିବାରେ ଲାଗିଛି। ଗ୍ରାମବାସୀ ବାରମ୍ବାର ଅଭିଯୋଗ ଓ ପ୍ରତିବାଦ କଲେ ବି କୈାଣସି ସୁଫଳ ମିଳିପାରୁନାହିଁ। ଏପଟେ ସ୍ଥାନୀୟ ପ୍ରଶାସନ ମଧ୍ୟ ଚୁପ ହୋଇ ବସିଛି ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଜନତା। ତେଣୁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।