ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡ଼ିଶା କୃଷି ଶିଳ୍ପ ନିଗମର ୩୭ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରାପ୍ୟ ଯଥା: ଗ୍ରାଚୁଇଟି, ଅବ୍ୟବହୃତ ଛୁଟି ଦରମା ଏବଂ ପେନସନ ବଦଳରେ ମିଳୁଥିବା ୩ମାସର ଦରମା ବାବଦ ପ୍ରାପ୍ୟକୁ ପ୍ରଦାନ ନକରି ପରିଚାଳନା କର୍ତ୍ତୃପକ୍ଷ ଅତ୍ୟନ୍ତ ଅନ୍ୟାୟ ଭାବେ ଏହାକୁ ବର୍ଷ ବର୍ଷ ଧରି ଅଟକାଇ ରଖିଛନ୍ତି। କର୍ମଚାରୀ ମାନଙ୍କର ଅବସରକାଳୀନ ପ୍ରାପ୍ୟ ପ୍ରଦାନ ବାବଦରେ ନିଗମର ଚିଠି ନ°୯୪୨୫ ତା ୦୬.୧୨.୨୦୧୪ରିଖ ଏବଂ ଚିଠି ନ°୫୭୨୯ ତା ୦୫.୧୦.୨୦୧୬ ରିଖରେ ଉଦ୍ଧିଷ୍ଟ ଥିବା ସ୍ପଷ୍ଟ ନୀୟମାବଳୀକୁ ଉଲଘ୍ନ କରି ବର୍ତ୍ତମାନର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ବିଭିନ୍ନ ଆଳ ଦେଖାଇ ଏହି ପ୍ରାପ୍ୟ ପ୍ରଦାନ ନକରି ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମରଣ ମୁହଁକୁ ଠେଲି ଦେଇଛନ୍ତି। ଅବସର ଗ୍ରହଣର ୨ ରୁ ୯ ବର୍ଷ ବିତି ସାରିଥିଲେ ମଧ୍ୟ ଅଦ୍ୟାବଧି ସଂପୃକ୍ତ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ। ଏ ବାବଦରେ ଅବସରପ୍ରାପ୍ତ କର୍ମଚାରୀ ମାନେ ନିଗମକୁ ବାରମ୍ବାର ଦୌଡିବା ସହ କର୍ତ୍ତୁପକ୍ଷଙ୍କୁ ନିବେଦନ କରିବା ସତ୍ତ୍ଵେ କୌଣସି ସୁଫଳ ମିଳୁନାହିଁ। ଏଥିଯୋଗୁଁ ସ୍ୱଳ୍ପ ପେନସନ ପାଉଥିବା ଏହି ବରିଷ୍ଠ ନାଗରିକ ମାନେ ଉପଯୁକ୍ତ ଖାଦ୍ୟ ଓ ଔଷଧ ଅଭାବରୁ ଦୁର୍ଦ୍ଦଶାମୟ ଜୀବନ ବିତାଉଛନ୍ତି। ନିଗମର ଅବସରପ୍ରାପ୍ତ କର୍ମଚାରୀ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ମାନେ ନିଗମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ ସହ ୨୦୨୦ ମସିହାରୁ ଆଲୋଚନା କରି ଆସୁଥିଲେ ସୁଦ୍ଧା ପରିଚାଳନା କର୍ତ୍ତୃପକ୍ଷଙ୍କ ଖାମ ଖିଆଲି ମନୋଭାବ ଲାଗି ପ୍ରାପ୍ୟ ପ୍ରଦାନ ହୋଇପାରିନଥିବା ଅଭିଯୋଗ ହେଉଛି। ଏ ବାବଦରେ ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନର କର୍ମକର୍ତ୍ତାମାନେ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ସହ ତା ୧୬.୧୧.୨୦୨୦ରିଖ, ତା ୦୧.୧୨.୨୦୨୦ରିଖ ଏବଂ ତା ୦୨.୦୨.୨୦୨୧ରିଖ ରେ ବିଷଦ ଆଲୋଚନା କରି ତୁରନ୍ତ ପ୍ରାପ୍ୟ ପ୍ରଦାନର ନିର୍ଭର ପ୍ରତିଶୃତି ପାଇଥିଲେ ମଧ୍ୟ ତାହା ପ୍ରତାରଣାରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ତା୨୦.୦୯.୨୦୨୧ରିଖ ଏବଂ ତା୨୧.୦୪.୨୦୨୨ରିଖରେ ଆସୋସିଏସନର ପ୍ରତିନିଧି ଦଳ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ନିଗମର ସଂପୃକ୍ତ ଅଧିକାରୀଙ୍କ ଅସହଯୋଗ ଯୋଗୁ ପ୍ରାପ୍ୟ ପ୍ରଦାନ ନ ହୋଇ ପଡ଼ି ରହିଛି। ନିଗମ କର୍ତ୍ତୃପକ୍ଷଙ୍କ ଠାରୁ ନ୍ୟାୟ ନ ମିଳିବାରୁ ଆସୋସିଏସନ୍ ର କର୍ମକର୍ତ୍ତା ମାନେ କୃଷି ବିଭାଗର ଅତିରିକ୍ତ ସଚିବ ଅଞ୍ଜନା ପଣ୍ଡାଙ୍କ ସହ ତା୩୦.୧୧.୨୦୨୧ରିଖ ରେ ନିଗମର ସାଧାରଣ ପରିଚାଳକ (ପ୍ରଶାସନ)ଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। କିନ୍ତୁ ଏହି ବୈଠକର ନିଷ୍ପତ୍ତିକୁ ନିଗମ କର୍ତ୍ତୃପକ୍ଷ ଅଦ୍ୟାବଧି ପାଳନ ନକରି ପକାଇ ରଖିଛନ୍ତି। ଶେଷରେ ନିଗମ କର୍ତ୍ତୃପକ୍ଷ ଏବଂ ସରକାରଙ୍କ ଠାରୁ ପ୍ରାପ୍ୟ ପ୍ରଦାନ ବାବଦରେ ନ୍ୟାୟ ପାଇବାରୁ ବଞ୍ଚିତ ଅବସରପ୍ରାପ୍ତ କର୍ମଚାରୀ ତଥା ବରିଷ୍ଠ ନାଗରିକ ମାନେ ଚଳିତ ମାସ ୨୭ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନିଗମ କର୍ତ୍ତୃପକ୍ଷ ଓ ସରକାରଙ୍କୁ ଅବଗତ କରାଇଛନ୍ତି। ଅନ୍ୟ ପକ୍ଷରେ ନିଗମ କର୍ତ୍ତୃପକ୍ଷଙ୍କ ଏହି ଅନ୍ୟାୟ କାର୍ଯ୍ୟକଳାପ ବାବଦରେ ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମୁଖ୍ୟ ଶାସନ ସଚିବ, କୃଷି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରମ ବିଭାଗର ପ୍ରମୁଖ ସଚିବ, ୫ଟି ସଚିବ ଏବଂ ଶ୍ରମ ଆୟୁକ୍ତଙ୍କୁ ପତ୍ର ଲେଖାଯାଇ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପ୍ରାପ୍ୟ ପ୍ରଦାନ ଲାଗି ଦାବୀ କରାଯାଇଥିବା ବିଷୟ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପ ସଭାପତି ଭାଗ୍ୟଧର ବ୍ରହ୍ମା ପ୍ରକାଶ କରିଛନ୍ତି।