ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୫ ଡିସେମ୍ବର ୧୯୯୦ ମସିହାରେ ତତ୍କାଳୀନ ନର୍ଲା ବିଧାୟକ ବଳଭଦ୍ର ମାଝିଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନର୍ଲା ବ୍ଲକର ତୁଳାପଡା ଗ୍ରାମକୁ ଆସି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ବୈଷୟିକ ଶିକ୍ଷାର ବିକାଶ ପାଇଁ ତୁଳାପଡା ଦାମୋଦର ଉଚ୍ଚ ବିଦ୍ୟାପୀଠ ପରିସରରେ ସେହି ଦିନରେ ଉଦଘାଟନ କଲେ ବୈଷୟିକ ବିଦ୍ୟାଳୟ। ଡାଏରି ଫାର୍ମ, ହର୍ଟିକଲଚର୍, ଇଲେକଟ୍ରିସିଆନ ଓ ଇଲେକଟ୍ରିକାଲ୍ ଭଳି ଚାରୋଟି ଟ୍ରେଡକୁ ନେଇ ଚାଲିଲା ବିଦ୍ୟାଳୟ। ଆଜି ଏହି ବିଦ୍ୟାଳୟର ବହୁ ଶିକ୍ଷାର୍ଥୀ ସରକାରୀ ବେସରକାରୀ ସ୍ତରରେ ନିଯୁକ୍ତି ପାଇଛନ୍ତି। ହେଲେ ଏହି ବିଦ୍ୟାଳୟ ୨୦୦୩ ମସିହାରେ ନର୍ଲାକୁ ସ୍ଥାନାନ୍ତରିତ କରି ଦିଆଗଲା। ଫଳରେ ଏହି ବୈଷୟିକ ଶିକ୍ଷା ଟିକକ ପାଇଁ ଆଜି ଅଞ୍ଚଳର ଛାତ୍ରଛାତ୍ରୀ ଜିଲ୍ଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି। କେବଳ ସେତିକି ନୁହେଁ ଏହି ବିଦ୍ୟାଳୟକୁ ସ୍ଥାନାନ୍ତରିତ କରି ଏକ ଯୁକ୍ତ ଦୁଇ କଲେଜ ଖୋଲାଗଲା। ତେବେ ଏହା ଠାରୁ ଆହୁରି ଦୁଃଖଦ ଘଟଣା ହେଲା ବୈଷୟିକ ବିଦ୍ୟାଳୟର ଉନ୍ମୋଚନ ଦିନ ବୈଷୟିକ ବିଦ୍ୟାଳୟ ନାମରେ କ୍ରୀଡାଙ୍ଗନ ବିକାଶ ପାଇଁ ଗାଁର ନବ କୁମାର ନାୟକ ୫ ଏକର ଜମି ଦତ୍ତପତ୍ରରେ ବିଜୁବାବୁଙ୍କୁ ଦାନ କରିଥିଲେ। ଖାତା ନମ୍ବର ୬୦, ପ୍ଲଟ ନମ୍ବର ୨୦୬, ମୋୖଜା ତୁଳାପଡାରେ ରହିଥିବା ଏହି ଜମିର ମୂଲ୍ୟ ଆଜିର ଦିନରେ ୨ କୋଟିରୁ ଅଧିକ ହେବ। ଅନ୍ୟ ପକ୍ଷରେ ଏହି ଅଂଚଳର କ୍ରୀଡା ଭୂମି କହିଲେ ଏହି ୫ଏକର ବିଶିଷ୍ଟ ପଡିଆ ହିଁ ରହିଅଛି। ଏହାକୁ ବାଦ୍ ଦେଲେ କ୍ରୀଡା ଆଉ ସମ୍ଭବ ନୁହେଁ । ତେବେ ବୈଷୟିକ ବିଦ୍ୟାଳୟ ତୁଳାପଡାରେ ୪ ବର୍ଷ ରହିବା ସତ୍ତ୍ୱେ ଦତ୍ତ ଜମିର ମାଲିକାନାସତ୍ତ୍ବ (ମ୍ୟୁଟେସନ୍) ପରିବର୍ତ୍ତନ ହୋଇ ପାରିଲା ନାହିଁ। ଏହା ଭିତରେ ୩୧ ବର୍ଷ ବିତି ଯାଇଛି ହେଲେ ବିଜୁ ବାବୁ ଦାନ ଗ୍ରହଣ କରିଥିବା ଜମି ବିଦ୍ୟାଳୟର ହୋଇ ପାରିଲାନି କି ବିଦ୍ୟାଳୟ ମଧ୍ୟ ରହିଲା ନାହିଁ। ଯେଉଁ ଜମି ୪ ଡିସେମ୍ବର ୧୯୯୦ ମସିହାରେ ଦତ୍ତ ପତ୍ରରେ ମ.ରାମପୁର ତହସିଲଦାରଙ୍କ ଅଧିନରେ ଦାନ କରାଯାଇଛି। ଏହା ମଧ୍ୟରେ ୧୯୯୧ ମସିହାରେ ଗୋଟିଏ ସ୍ୟାଟଲମ୍ୟାଣ୍ଟ ଯାଇ ସାରିଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ଜମି ଦାତା ନବ କୁମାର ନାୟକଙ୍କ ନାମରେ ରେର୍କଡଭୂକ୍ତ ହୋଇ ରହି ଥିବା ବେଳେ ଦାତା ପରିବାର ଏହି ଜମି ଦେବାକୁ ମନା କରୁଛନ୍ତି। ଆମେ ବୈଷୟିକ ବିଦ୍ୟାଳୟର କ୍ରୀଡାଙ୍ଗନ ବିକାଶ ପାଇଁ ଜମି ଦେଇଥିଲୁ, ସେହି ବିଦ୍ୟାଳୟ ଆଜି ନାହିଁତ ଆମେ କାହିଁକି ଜମି ଦେବୁ ବୋଲି ଦାତା ପକ୍ଷ ନିଜର ଯୁକ୍ତି ରଖିଛନ୍ତି। ଯାହା ଫଳରେ ଉକ୍ତ ମୂଲ୍ୟବାନ ଜମିର ମ୍ୟୁଟେସନ ହୋଇନପାରି ଆଜି ଯାଏଁ ଝୁଲାୟମାନ ଅବସ୍ଥାରେ ରହିଅଛି। ଏଥିପାଇଁ ଦାୟୀ କିଏ ? କାହିଁକି ଜମିର ମାଲିକାନାସତ୍ତ୍ବ ପରିବର୍ତ୍ତନ ହୋଇ ପାରିଲାନାହିଁ ? ସେ ଯାହାବି ହେଉ ଆଜି ତୁଳାପଡା ମାଟି ଏକ ମୂଲ୍ୟବାନ ଅନୁଷ୍ଠାନକୁ ହରେଇ ସାରିଛି। ଏବେ ଏହି ଜମିର ସମାଧାନ କେମିତି ହେବ ତାହା ଦେଖିବାକୁ ବାକି ରହିଲା।