ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ପ୍ରବଳ ବର୍ଷା ଓ ଝଡ ତୋଫାନ ଯୋଗୁଁ ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ଗ୍ରାମପଞ୍ଚାୟତ ଚନ୍ଦନପୁର ଗାଁରେ ଥିବା ସ୍କୁଲକୁ ଲାଗିଥିବା ଏକ ବିରାଟ ଗଛ ପଡିଯିବାରୁ ସ୍କୁଲ ପାଚେରୀ ଭାଙ୍ଗିଯାଇଛି । ତେବେ ଭାଗ୍ୟବଶତଃ ଗଛଟି ସ୍କୁଲ ଆଡକୁ ନପଡି ରାସ୍ତା ପଟକୁ ପଡିଯିବାରୁ ଏକ ବଡ ଧରଣର ଅଘଟଣ ଟଳିଯାଇଛି । ବର୍ଷା ଓ ଝଡତୋଫାନ ହେବା ସମୟରେ ସ୍କୁଲରେ ୬୫ ଜଣ ଛାତ୍ରଛାତ୍ରୀ ବସି ପାଠ ପଢୁଥିଲେ । ଗଛଟି ରାସ୍ତା ପଟେ ପଡିବାରୁ ଛାତ୍ରଛାତ୍ରୀମାନେ ଅଳ୍ପକେ ବିପଦ ମୁହଁରୁ ବର୍ତ୍ତିଯାଇଛନ୍ତି । ଗଛଟି ରାସ୍ତା ଉପରେ ପଡିଯିବାରୁ ଦୀର୍ଘ ସମୟ ଯାଏଁ ନିଆଳି, ଯୋଡାବନ୍ଧ, ବିଶ୍ୱନାଥପୁର ଅବରୋଧ ହୋଇ ରହିଥିଲା । ସ୍କୁଲର ପ୍ରଧାନଶିକ୍ଷକ ଏନେଇ ଲାଞ୍ଜିଗଡ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ ।