ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠ ଠାରେ ଦଧିବାମନ ଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାରମ୍ପରିକ ରିତି ନିତି ଅନୁସାରେ ସମ୍ପନ୍ନ ହୋଇଯାଇଛି। ପୂର୍ବ ପରମ୍ପରା ଅନୁଯାୟୀ ରଥଯାତ୍ରାରେ ଯାଦବ ସେବାୟତ ମହାପ୍ରଭୁଙ୍କ ଛେରାପହରା ଓ ସଂପୂର୍ଣ୍ଣ ନିତି ସଂପାଦନ କରିଥିବାବେଳେ ଡମ୍ ବଜା ର ତାଳେ ତାଳେ ପହଣ୍ଡି ବିଜେ କରି ରଥାରୂଢ଼ ହୋଇଥିଲେ ଦଧିବାମନ।
ସେବକ ତପିବର ଦାସ, ସନ୍ତୋଷ ପାଢି, ସଞ୍ଜୟ ଧଙ୍ଗଡାମାଝୀ, ବିଜୟ ଧଙ୍ଗଡାମାଝୀ, ସୁନୀଲ ଧଙ୍ଗଡାମାଝୀ, ରଜନୀ ଗଉଡ, ବିଷ୍ଣୁ ଗଉଡ, ରଞ୍ଜନ ପାଢି, ସତ୍ରୁଘ୍ନ ଧଙ୍ଗଡାମାଝୀ, ଧନେ ହେର୍ଣ୍ଣା, ଟେବାନ୍ତ ଗଉଡ ପ୍ରମୁଖ ମହାପ୍ରଭୁଙ୍କ ଅଙ୍ଗ ସେବା କରିଥିବାବେଳେ ଯାଦବ, କନ୍ଧ ଓ ଡମ୍ବ ସେବାକାରୀମାନେ ପାର୍ଶ୍ଵ ସୁରକ୍ଷା ଦେଇଥିଲେ। ରଥ ମାଉସୀମା ମନ୍ଦିରରେ ପହଞ୍ଚିବା ପରେ ଗଉଡୁଣିମାନେ ବନ୍ଦାପଣା କରିଥିଲେ। ଦେବଗରି ରଥଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଡମ୍ ବଜା। ଡମ୍ ବଜା ନହେଲେ ପାହୁଣ୍ଡେ ଆଗାନ୍ତିନାହିଁ ମହାପ୍ରଭୁ ଦଧିବାମନ। ଏହାସହ ଘଣ୍ଟ ବାଦ୍ୟ ଓ ସଂକିର୍ତ୍ତନ୍ୟ ମଧ୍ୟ ପରିବେଷଣ କରାଯାଇଥାଏ ତେବେ କେଉଁ ଏକ ସ୍ମରଣାତିତ କାଳରୁ ପ୍ରଚଳିତ ହୋଇ ଆସିଥିବା ଡମ୍ ବଜା ଦେବଗିରି ରଥଯାତ୍ରାର ମହାନ ବିଭବ ଭାବେ ପରିଗଣିତ ହୋଇ ଆସିଛି।
ଏଠାରେ ସୂଚନାଯୋଗ୍ୟ ଯେ, ଖ୍ରୀ:ପୂ: ପଞ୍ଚମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶୀଳ ଦେବଗିରି କାଳର କରାଳ ଗ୍ରାସରେ ବିଳିନ ହୋଇଯାଇଛି। ତେବେ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ଭାବେ ଖ୍ୟାତ କନକଗିରି ବା ଦେବଗିରି ଆଜି ମଧ୍ୟ ଇତିହାସର ମୂକ ସାକ୍ଷୀ ଭାବେ ଦଣ୍ତାୟମାନ। ୧୮୦୦ ମସିହା ପରେ ପରେ କଳାହାଣ୍ଡିର ନାଗବଂଶୀ ମହାରାଜା ମାନଙ୍କ ଦ୍ବାରା ଦେବଗିରିର ପୁନରୁଦ୍ଧାର କରାଗଲା। ୧୮୮୩ ମସିହାରେ ଦେବଗିରି ମଠସହ ଦଧିବାମନ (ଜଗନ୍ନାଥ) ମନ୍ଦିର ନିର୍ମାଣ କରାଗଲା।
ଉତ୍କଳୀୟ ବୈଷ୍ଣବ ସନ୍ଥ ଦିନବନ୍ଧୁ ଦାସଙ୍କ ଦ୍ଵାରା ମଠ ସ୍ଥାପନ ହୋଇଥିବାବେଳେ ମଠର ଦ୍ବିତୀୟ ମହନ୍ତ ଥିଲେ ଯାଦବ ବନ୍ଦିଛୋଡ ବଂଶର କୃପାସିନ୍ଧୁ ଦାସ। କୃପାସିନ୍ଧୁ ଦାସଙ୍କ ପରେ ତାଙ୍କ ପୁତ୍ର ଦୁର୍ବାଦଳ ଦାସ ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଦ୍ବାରା ମଠର ମୁଖ୍ୟ ସେବାୟତ ଭାବେ ନିଯୁକ୍ତ ହେଲେ। ବର୍ତମାନ ଦୁର୍ବାଦଳ ଦାସଙ୍କ ପାଞ୍ଚ ପୁଅ ତପିବର, ହରିହର, ରୋମାଞ୍ଚଳ, ବିଭିଷଣ ଓ ରାମଚନ୍ଦ୍ର ମଠର ସେବାୟତ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଯାଦବମାନେ ହିଁ ମଠର ସେବାପୂଜା କରୁଥିବାବେଳେ ବିଗତ ୪୦ ବର୍ଷ ତଳେ ବ୍ରାହ୍ମଣ ପୂଜାରୀ ନିଯୁକ୍ତ ହୋଇଛନ୍ତି। ତେବେ ମଠର ଯାନିଯାତ୍ରାରେ ଗ୍ରାମର କନ୍ଧ, ଡମ୍ବ ଓ ଯାଦବ ସଂପ୍ରଦାୟ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି। ଆଜିର ଏହି ରଥଯାତ୍ରାରେ ଦେବଗିରି ମଠି ଟ୍ରଷ୍ଟ ବୋର୍ଡ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ।