ବାଟରେ ଅଟକିଗଲେ ତିନି ଠାକୁର ଆଗାମୀ କାଲି ପୁଣି ରଥଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରେ ଅନୁକୁଳ ପାଗ ଯୋଗୁଁ ଆନନ୍ଦ ଉହ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ତିନି ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ପବିତ୍ର ଘୋଷ ଯାତ୍ରା । ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀ ଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା । ଦିନ ତମାମ ପୂଜାପାଠ ପରେ ଅପରାହ୍ନ ୫ ଟା ବେଳେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ । ନର୍ଲାର ବରିଷ୍ଠ ନାଗରିକ ସତ୍ୟ ନାରାୟଣ ପାତ୍ର ଓ ତପିନ୍ଦ୍ର ଗଉଡିଆ ଛେରା ପହରା କରିଥିଲେ । ଶ୍ରୀ ଜୀଉ ମାନେ ମନ୍ଦିରରୁ ରଥ ରଖାଯାଇଥିବା ଚାରି ଛକଯାଏଁ ପହଣ୍ଡିରେ ଯାଇଥିଲେ । ଯୁବ ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହ କୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ଶ୍ରୀ ପତି ଗରୁଡ ବିଗ୍ରହକୁ ବିଗ୍ରହ ଧରିଥିଲେ । ମନ୍ମୟ ଚାନ୍ଦ ଗୌତ୍ତମ ଚିନ୍ଦା, ମଧୁସୁଦନ ପାଢୀ, ସଞ୍ଜୟ ପଣ୍ଡା, ସୁଶାନ୍ତ ଚନ୍ଦ, ପ୍ରଭୋବ ଚାନ୍ଦ, ସୁଧର୍ମା ପଣ୍ଡା, ବିଶି ପଣ୍ଡା, ପ୍ରଶାନ୍ତ ପଣ୍ଡା, ହୃଷିକେଶ ପାତ୍ର ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ । ପ୍ରଭୁଙ୍କ ଆସନ ପରିପାଟି କଥା ପ୍ରସନ୍ନ ଗୌଡ଼ିଆ, ପର୍ଶୁରାମ ଦାସ, ମନ୍ମଥ ପୁଝରୀ, ମନ ସାହୁ, ବୁଝିଥିବା ବେଳେ ମହିଳା ଭକ୍ତ ମାନେ ଠାକୁର ମାନଙ୍କୁ ଚାମର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ଚୁଳମଣି ଗଉଡିଆ, ବିମଲ କୁମାର କେଡିଆ, ମହେନ୍ଦ୍ର ଗଉଡ଼ ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ରେ ସହଯୋଗ କରିଥିଲେ । କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରଥାରୁଢ ପୂର୍ବରୁ କେଡିଆ ପରିବାର ତରଫରୁ ଗୋବିନ୍ଦରାମ କେଡିଆ ଙ୍କ ଭୋଗଲାଗି ନୈବେଦ୍ୟ କରାଯିବା ପରେ ଶ୍ରୀ ଜୀଉମାନେ ରଥାରୁଢ ହୋଇଥିଲେ । ତିନିଠାକୁର ପହଣ୍ଡି ସାରି ରଥାରୁଢ ହେବାପରେ ଅପରାହ୍ନ ଠିକ୍ ୬.୩୦ ଘଣ୍ଟା ସମୟରେ ରଥ ଟଣାଯାଇଥିଲା । ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ମଧୁ ପାଢ଼ୀ ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ । ପ୍ରତିବର୍ଷ ନର୍ଲା ରଥଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥାଏ । ହେଲେ ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ବନ୍ଦ ହୋଇଥିଲା ରଥଯାତ୍ରା । ଏଣୁ ଚଳିତ ବର୍ଷ ପହଣ୍ଡି ସମୟରୁ ରଥଟଣା ଯାଏଁ ପାଗ ଅନୁକୁଳ ରହିଥିବା ରୁ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ସେପଟେ ମାଉସୀ କାଳିଆ, ବଳିଆ ଓ ଦେବୀ ସୁଭଦ୍ରାଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ ରଥ ମାଉସୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା । ବାଟରେ ରଥ ରହିଯାଇଥିଲା । ଭକ୍ତ ସାଲବେଗରୂପୀ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ପ୍ରତିବର୍ଷ ଠାକୁରଙ୍କ ବାଟରେ ରହଣିର ସମସ୍ତ ଦାଇତ୍ୱ ନେଇଥାନ୍ତି । ଭୋଗରାଗ ସହ ରାତି ୧୦ ଟା ଯାଏଁ ଭଜନ କୀର୍ତ୍ତନ ରେ ଆପ୍ୟାୟିତ କରିଥାନ୍ତି ତିନି ଠାକୁରଙ୍କୁ । ପ୍ରବଳ ଭକ୍ତ ସମାଗମ ଲାଗିରହିଥାଏ । ଅନ୍ୟପକ୍ଷେ ନର୍ଲାର ବିଶିଷ୍ଟ ବ୍ୟକ୍ତି ଧର୍ମପରାୟଣ ଚନ୍ଦ୍ରଶେଖର ଚାନ୍ଦ୍ ଦମ୍ପତି ଠାକୁରଙ୍କ ମଉସା ମାଉସୀ ର ଦାଇତ୍ୱ ନିର୍ବାହନ କରୁଛନ୍ତି । ସେମାନେ ଠାକୁର ମାନଙ୍କ ଆଗମନର ପଥକୁ ଚାତକ ପରି ଚାହିଁ ରହିଛନ୍ତି ବୋଲି ଶ୍ରୀଯୁକ୍ତ ଚାନ୍ଦ୍ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ନର୍ଲା ସମେତ ଅଞ୍ଚଳର ସମସ୍ତ ୧୦ ଗୋଟି ରଥଯାତ୍ରାରେ ପ୍ରବଳ ଭିଡ ଯୋଗୁଁ କିଛି ବ୍ୟତିକ୍ରମର ଆଶଙ୍କାରେ ଆମେ ଯାତ୍ରା ଗୁଡିକ ଉପରେ ତୀକ୍ଷ୍ମଣ ନଜର ରଖିଥିଲୁ ବୋଲି ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ମତବ୍ୟକ୍ତ କରିଛନ୍ତି । ନର୍ଲା ଅଞ୍ଚଳର ନର୍ଲା ସମେତ ତୁଳାପଡା, ମାଣ୍ଡେଲ, ଲାଖଗୁଡା, ରୁପ୍ରାରୋଡ, ରୁପ୍ରା, ସରିଆଁ, ସେରଗଡ, ବୁଢୀପଦର, ପଲମ୍, ଉଲିକୁପା ଏସବୁ ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ରଥଟଣା ସମ୍ପନ୍ନ ହୋଇଯାଇଛି । ନର୍ଲା ରେ ଆସନ୍ତା କାଲି ପୁଣି ରଥଟଣା ହୋଇ ତିନି ଠାକୁର ମାଉସୀ ମନ୍ଦିର କୁ ଯିବାର କାର୍ଯ୍ୟକ୍ରମ ରହିଥିବା ସଭାପତି ତଥା କର୍ତ୍ତା ଚିରଞ୍ଜିବୀ ଗୌଡିଆ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.