ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲାରେ ନବ ନିଯୁକ୍ତ ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ପ୍ରତି ମାସରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଆସୁଥିବା ବେଳେ ବର୍ତ୍ତମାନ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରରେ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଛି। ଏହି କ୍ରମରେ ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ପଂଚାୟତରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏନେଇ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ “ଗାଁରେ ପ୍ରଶାସନ” କୁ ବିଭିନ୍ନ ମହଲରେ ପ୍ରଶଂସା କରିବା ସହ ଚର୍ଚ୍ଚା ଜୋର ଧରିଛି। ନୂଆପଡା ଜିଲ୍ଲା ଏକ ସୀମାନ୍ତ ଅନୁନ୍ନତ ଜିଲ୍ଲା ହୋଇଥିବା ବେଳେ ସିନାପାଲି ବ୍ଲକ ଏକ ଉପାନ୍ତ ଅଞ୍ଚଳ ଅଟେ। ଏଠାକାର ଲୋକଙ୍କ ଅସଚେତନତା କାରଣରୁ ଲୋକେ ନିଜର ହକ ଓ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରତି ପଞ୍ଚାୟତରେ ଅଭିଯୋଗ ଶୁଣାଣି କଲେ ସାଧାରଣ ଲୋକ ସାମିଲ ହେବାର ସୁଯୋଗ ପାଇବେ ଓ ଲୋକେ ଉପକୃତ ହୋଇପାରିବେ। ଏମାନେ ନିଜ ହକ ଅଧିକାରୀ କିମ୍ବା କୌଣସି ପ୍ରକାର ସମସ୍ୟାକୁ ନେଇ ନିଜ କର୍ମ କ୍ଷେତ୍ର କୁ ଛାଡି ବ୍ଲକ କାର୍ଯ୍ୟାଳୟକୁ ଯିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ଉକ୍ତ ବିଷୟକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ କରି ପଂଚାୟତ ସ୍ତରରେ ଅଭିଯୋଗ ଶୁଣାଣି ଶିବିର ଆୟୋଜନର ପଦକ୍ଷେପ ନେଇଛନ୍ତି। ଯାହା ଦ୍ୱାରା ସାଧାରଣ ଜନତା ଉପକୃତ ହୋଇପାରିବେ। ଆଜିର ଏହି ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୬୨ ଗୋଟି ବିଭିନ୍ନ ବିଭାଗୀୟ ଅଭିଯୋଗ ଆସିଥିବା ସୂଚନା ମିଳିଛି। ଏହି ଶିବିରରେ ସିନାପାଲି ବିଡ଼ିଓ ସଦାଶିଵ ନାଏକ ଙ୍କ ସମେତ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀ, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିଭେଲା, ଭରୁଆମୁଣ୍ଡା ସରପଞ୍ଚ ବିରଞ୍ଚି ଜଗତ, ଜିପିଇଓ ପ୍ରେମଲାଲ ନାଏକ, ଡବ୍ଲୁଇଓ ସୂର୍ଯ୍ୟକାନ୍ତ ଭୋଇ, ଯୋଗାଣ ନିରୀକ୍ଷକ ଅଲେଖ ମହିମା ଭୋଇ,କୃଷି ଅଧିକାରୀ ସୁଧାଂଶୁ ଶେଖର ମେହେର, କନିଷ୍ଠ ଯନ୍ତ୍ରୀ ଶ୍ରୀସାହୁ, ପ୍ରମୁଖ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ। ଗାଁରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପାଇଁ ବିଭିନ୍ନ ସମସ୍ୟାକୁ ଅବଗତ କରାଯାଇ ପାରୁଥିବା ଭଳି ମହତ ଉଦ୍ଧେଶ୍ୟ ତଥା ପ୍ରଶାସନର ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷେ ଅନେକ ହିତାଧିକାରୀ ନିଜ ଅଭିଯୋଗ ଦାଖଲ କରି ନ ପାରି ନିରାଶରେ ଫେରି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।