ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ । ଆଜି ଗୃହକାର୍ଯ୍ୟ ଆରମ୍ଭରୁ ଦେଖା ଦେଇଥିଲା ପ୍ରବଳ ହଟ୍ଟଗୋଳ । ବିଧାନସଭାର ପ୍ରଶ୍ନକାଳରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ବିଜେପି ସଦସ୍ୟମାନେ ହଙ୍ଗାମା କରିଥିଲେ । କଂଗ୍ରସେ ମୁଖପାତ୍ର ଅଜୟ କୁମାର କହିଥିଲେ, ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ୍ ବିଚାରଧାରାକୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହେଁ । ମୋଦି ସରକାର କେବଳ ପ୍ରତୀକ ଦ୍ବାରା ଭାରତର ଲୋକଙ୍କୁ ବୋକା ବନାଉଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ତ୍ତମାନ ରାଷ୍ଟ୍ରପତି ଅଛନ୍ତି, କିନ୍ତୁ ସେ କ’ଣ କରିଛନ୍ତି ? ଦେଶବ୍ୟାପୀ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ସ୍ଥିତି ଅତ୍ୟନ୍ତ ଖରାପ । ହାଥରାସ ଘଟଣା ସମୟରେ ରାଷ୍ଟ୍ରପତି ପାଟି ଖୋଲିନଥିଲେ ବୋଲି ସେ କହିଥିଲେ । ଏହି ଘଟଣାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।