ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତରଙ୍କ ଯୋଗଦାନ

ଅଞ୍ଚଳରେ ଖୁସିର ଲହରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନରେ ରହିଥିବା ୫ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ କେବଳ ପଲମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ରହିଥିବା ବେଳେ ବାକି ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତରପଦବୀ ଖାଲି ପଡିଥିଲା । ଏମିତିରେ ତ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ୫ ଗୋଟି ଡାକ୍ତର ପଦବୀ ଖାଲି ପଡିଛି । ସେଥିମଧ୍ୟରୁ ଉଲିକୁପା ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ରରେ ଆଜି ଜଣେ ଡାକ୍ତର ଆସି ଯୋଗଦାନ କରିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଦୀର୍ଘଦିନ ହେଲା ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ରୋଗୀ ସେବାରେ ବହୁତ ଅସୁବିଧା ଲାଗି ରହିଥିଲା । ଅଞ୍ଚଳର ରୋଗୀ ୨୫ ରୁ ୩୦ କି.ମି. ଦୂର ଭବାନୀପାଟଣା, ନର୍ଲା, କେସିଙ୍ଗା ପ୍ରଭୃତି ସ୍ଥାନକୁ ଗଲେ ହିଁ ଚିକିତ୍ସିତ ହୋଇ ପାରୁଥିଲେ । ସେଥିପାଇଁ ରୋଗୀ ଅନେକ ଅଯଥା ଖର୍ଚ୍ଚାନ ହେଉଥିଲେ । ଉଲିକୁପା ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ଦାରିଦ୍ର୍ୟତାର ସୀମାରେକା ତଳେ ବସବାସ କରୁଥିବା ଲୋକ ଙ୍କ ସଂଖ୍ୟା ୮୦ ପ୍ରତିଶତ । ବିଶେଷ କରି ଏହି ଗରୀବ ଶ୍ରେଣୀର ଲୋକେ ଗ୍ରାମାଞ୍ଚଳର ଡାକ୍ତରଖାନା ଗୁଡିକରେ ଆର୍ଥୀକ ସମସ୍ୟା କାରଣରୁ ଅଧିକ ଚିକିତ୍ସିତ ହେବାପାଇଁ ଚାହିଁଥାନ୍ତି । ଏବଂ ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଗରୁ ଡାକ୍ତର ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିଲେ । ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଉଲିକୁପାରେ ଡାକ୍ତର ନିଯୁକ୍ତି ପାଇଁ ନର୍ଲା ବିଧାୟକ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ, ସିଡିଏମଓଙ୍କ ନିକଟରେ ବାରମ୍ବାର ଦାବୀ କରି ଆସୁଥିଲେ । ଦୀର୍ଘ ବର୍ଷ ପରେ ସିଡିଏମଓ ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା. ଗଣେଶ ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବାରୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ନର୍ଲା ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ସ୍ଥାନୀୟ ଲୋକେ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.