ଲକ୍ଷାଧିକ ଟଙ୍କା ଖର୍ଚ୍ଚାନ୍ତରୁ ବଞ୍ଚିଗଲେ ମହିଳା
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନର୍ଲାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନତ କୁମାର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ଜୁଲାଇ ୧୩ ଓ ୧୬ ଜୁଲାଇ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ପରିବାର ନିୟନ୍ତ୍ରଣ ଯୋଜନାରେ ଅସ୍ତ୍ରୋପଚାର । ୧୩ ଜୁଲାଇରେ ୩୦ ଜଣଙ୍କର ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଥିବା ବେଳେ ୧୬ ଜୁଲାଇରେ ୨୬ ଜଣଙ୍କର କରାଯାଇଥିଲା ଅସ୍ତ୍ରୋପଚାର । କର୍ଲାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡ. ଆଶିଷ କୁମାର ଧରୁଆ ଦୁଇଦିନ ଧରି ନର୍ଲାରେ ରହି ନର୍ଲା ବ୍ଲକ ଅଞ୍ଚଳର ୨୬ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୫୬ ଜଣ ମହିଳାଙ୍କ କରିଥିଲେ ପରିବାର ନିୟନ୍ତ୍ରଣ ଯୋଜନାରେ ଅସ୍ତ୍ରୋପଚାର । ସେମାନଙ୍କ ମଧ୍ୟରୁ ମୁରସିଂ ଗ୍ରାମର ସେବତୀ ଗହୀରଙ୍କୁ ଅସ୍ତ୍ରୋପଚାର ବେଳେ ଫେଲୋପିଏନ୍ ଟ୍ୟୁବରେ ଟ୍ୟୁମର ରହିଥିବା ଜଣାପଡିଥିଲା । ଅବଶ୍ୟ ଆଗରୁ ଶ୍ରୀମତୀ ଗହୀର ପେଟରେ ରହିଥିବା ଟ୍ୟୁମର ପାଇଁ କୌଣସୀ ପ୍ରକାର ଯନ୍ତ୍ରଣା ଅନୁଭବ କରୁନଥିଲେ । କିମ୍ବା ଆଗରୁ ଏଥିପାଇଁ କୌଣସୀ ପରୀକ୍ଷା ମଧ୍ୟ କରାଇନଥିଲେ । ଅକସ୍ମାତ ସେବତୀଙ୍କର ପେଟରେ ଟ୍ୟୁମର ରହିଥିବା ଜଣାପଡିବା ପରେ ଡ. ଆଶିଷ ସେବତୀଙ୍କ ପରିବାରଙ୍କୁ ଅବଗତ କରାଇବା ପରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀ ଶତପଥିଙ୍କ ସହ ଆଲୋଚନା କରି ମାଗଣାରେ ଟ୍ୟୁମର ଅପରେସନ କରିଥିଲେ । ଟ୍ୟୁମରଟି ପାଖାପାଖି ୨ କି.ଗ୍ରା ଓଜନର ବୋଲି ଡା. ଶତପଥି ସୂଚନା ଦେଇଛନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚାନ୍ତ ହେବାରୁ ବଞ୍ଚିଗଲେ ସେବତୀ । ଡାକ୍ତରଙ୍କ ବଦାନ୍ୟତାକୁ ନର୍ଲାରେ ଭୂୟସୀ ପ୍ରଶଂସା କରାଯାଇଥିବା ବେଳେ ସେବତୀଙ୍କ ପରିବାର ବର୍ଗ ଡ. ଆଶିଷ ଓ ନର୍ଲା ଭାରପ୍ରାପ୍ତ ଧିକାରୀ ଡ. ଶତପଥିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ନର୍ଲା ଡାକ୍ତରଖାନାରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ଅସ୍ତ୍ରୋପଚାର ଶିବିରଟିକୁ ବିପିଏମ୍ ସବୀର ପଧାନ ପରିଚାଳନା କରିଥିବା ବେଳେ ସମସ୍ତ ଷ୍ଟାଫ୍ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।