ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ଶୈବ ପୀଠରେ ଆଜି ପ୍ରବଳ ଜନସମାଗମ ହୋଇଛି। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ଚଳଚଞ୍ଚଳ ହୋଇଉଠିଛି ବେଲଖଣ୍ଡି ଶୈବପୀଠ। ବେଲଖଣ୍ଡି କଳାହାଣ୍ଡିର ଏକ ପ୍ରସିଦ୍ଧ କ୍ଷେତ୍ର ହୋଇଥିବାରୁ ଦୂର ଦୁରାନ୍ତରୁ ବୋଲବମ ଭକ୍ତମାନେ ଆସି ମହାଦେବଙ୍କ ଠାରେ ଜଳଲାଗି କରିଛନ୍ତି। ବର୍ତ୍ତମାନ କରୋନା କଟକଣା ନଥିବା ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅତି ଆନନ୍ଦର ସହ ଠାକୁରଙ୍କ ଦର୍ଶନ କରୁଥିବା ଦେଖାଯାଇଛି। କାଉଡିଆମାନେ ଶୃଙ୍ଖଳିତ ଭାବରେ ଧାଡ଼ିରେ ଯାଇ ଶିବ ଲିଙ୍ଗରେ ଜଳଲାଗି କରିଛନ୍ତି। ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।