କବି ଆଶୁତୋଷ ପାତ୍ରଙ୍କ ରଚିତ ପୁସ୍ତକ ‘ଶ୍ରୀ ମୁଖଲିଙ୍ଗେଶ୍ୱର କ୍ଷେତ୍ର ମାହାତ୍ମ୍ୟ’ର ଦୈବାର୍ପଣ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପ୍ରାଚୀନ କଳିଙ୍ଗ ରାଜ୍ୟର ପ୍ରାକ୍ତନ ରାଜଧାନୀ ଶ୍ରୀମୁଖଲିଙ୍ଗମ ସ୍ଥିତ ଶ୍ରୀମୁଖଲିଙ୍ଗେଶ୍ୱରଙ୍କ ସମ୍ପର୍କରେ ରଚିତ ପୁସ୍ତକ ‘ଶ୍ରୀ ମୁଖଲିଙ୍ଗେଶ୍ୱର କ୍ଷେତ୍ର ମାହାତ୍ମ୍ୟ’ର ଦୈବାର୍ପଣ ହୋଇଯାଇଛି । ଏହି ପୁସ୍ତିକାଟିର ଲେଖକ ବିଶିଷ୍ଟ କବି ତଥା ଅନୁବାଦକ ଶ୍ରୀ ଆଶୁତୋଷ ପାତ୍ର ପୁସ୍ତିକାଟିର ୧୦୦୦ଟି ପ୍ରତିଲିପି ଶ୍ରୀ ମୁଖଲିଙ୍ଗେଶ୍ୱର ଦେବସ୍ଥାନମର ନିର୍ବାହୀ ଅଧିକାରୀ ଶ୍ରୀ ପି.ପ୍ରଭାକରଙ୍କୁ ହସ୍ତାନ୍ତର କରିଥିଲେ । କଳିଙ୍ଗ ଐତିହ୍ୟର ମୂକସାକ୍ଷୀ ରୂପେ ପରିଚିତ ଦାକ୍ଷିଣାତ୍ୟର କାଶୀ ଶ୍ରୀମୁଖଲିଙ୍ଗମର ଇତିହାସ, କିମ୍ବଦନ୍ତୀ, କାରୁକାର୍ଯ୍ୟ ଏବଂ ମହିମା ସମ୍ପର୍କରେ ଓଡ଼ିଆ ଭାଷାରେ କୌଣସି ପୁସ୍ତିକା ଉପଲବ୍ଧ ହେଉନଥିଲା । ଶ୍ରୀ ପାତ୍ରଙ୍କ ଲିଖିତ ପୁସ୍ତିକା ହେତୁ ଏଠାକୁ ଆସୁଥିବା ଅନେକ ଓଡ଼ିଆ ଶ୍ରୀମୁଖଲିଙ୍ଗେଶ୍ୱରଙ୍କ ସମ୍ପର୍କରେ ସହଜରେ ଜାଣିପାରିବେ ବୋଲି ଶ୍ରୀ ପ୍ରଭାକର ମତବ୍ୟକ୍ତ କରିଥିଲେ ।


ପ୍ରାକ୍ତନ କଳିଙ୍ଗର ଗୌରବର ଟେକ ରଖିଥିବା ଏହି ଐତିହ୍ୟ ଏବଂ ଏହାର କିମ୍ବଦନ୍ତୀ ସମ୍ପର୍କରେ ସମସ୍ତେ ଜାଣିବା ଦରକାର । ଏହି ପୁସ୍ତିକାଟି ସେ ସମ୍ପର୍କରେ ଯତ୍କିଞ୍ଚିତ ସୂଚନା ଉପଲବ୍ଧ କରାଇବାରେ ସହାୟକ ହେବ ଏବଂ ପୁସ୍ତକ ବିକ୍ରୟଲବ୍ଧ ଅର୍ଥ ମନ୍ଦିରର ଉନ୍ନତିକଳ୍ପେ ଉପଯୋଗ ହେବ ବୋଲି ଲେଖକ ଶ୍ରୀ ପାତ୍ର କହିଥିଲେ । ଓଡ଼ିଆ ପୁସ୍ତିକାଟିଏ ଲେଖିଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ପୁସ୍ତିକା ଉନ୍ମୋଚନ ଅବସରରେ ନିର୍ବାହୀ ଅଧିକାରୀଙ୍କ ସମେତ ମୁଖ୍ୟପୂଜକ ଶ୍ରୀ ପେଦାଲିଙ୍ଗାନ୍ନା, ନାରାୟଣମୂର୍ତ୍ତୀ, ସୋମେଶ୍ୱର ରାଓ, ଶାମ୍ବମୂର୍ତ୍ତି, ଅଚ୍ୟୁତ, ସିଂହାଚଳମ, ବିଜୟ ଦାଶଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.