ନର୍ଲାରେ ବାଟବଣା ରାଜ୍ୟ ସରକାରଙ୍କର ଆମ ଗାଁ ଆମ ବିକାଶ ଯୋଜନା !

ଅଧପନ୍ତରିଆ ହୋଇ ପଡି ରହିଛି ଦୋରାପଦର କମ୍ୟୁନିଟି ହଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦୋରାପଦର ଗ୍ରାମରେ ରାଜ୍ୟ ସରକାରଙ୍କର ଆମ ଗାଁ ଆମ ବିକାଶ ଯୋଜନାରେ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା କମ୍ୟୁନିଟି ହଲ ଅଧପନ୍ତରିଆ ହୋଇ ପଡିରହିଛି । ଗତ ୨୦୧୮ ରେ ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଯୋଜନା ପ୍ରଣୟନ କରିଥିଲେ । ୨୦୧୯ ଠିକ୍ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିଲା ଏହି ଜନ ହିତକର ଲୋକାଭୀମୁଖି ଯୋଜନା । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ହିଁ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦୋରାପଦର ଗ୍ରାମର ଗ୍ରାମ ଆରମ୍ଭ ମୁଣ୍ଡରେ ରହିଥିବା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଭୂମି ଅନୁଦାନରେ ଆରମ୍ଭ କରାଯାଇଥିଲା କମ୍ୟୁନିଟି ହଲ । କାମ ଆରମ୍ଭ ହୋଇ ପାଖାପାଖି ଦୁଇ ବର୍ଷ ପୁରଣ ହେବାକୁ ଯାଉଥିବା ବେଳେ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରି ନାହିଁ ଭବନ ନିର୍ମାଣ କାମ । ଛାତ ଲେବୁଲ ପର୍ଯ୍ୟନ୍ତ ଯାଇ କାମ ସେଇଠି ଦୀର୍ଘ ବର୍ଷଟେ ହେଲା ଠପ୍ ହୋଇ ପଡିଛି ।

(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)

ଦୋରାପଦର ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ ହୋଇଥିବା ବେଳେ ଏଠାକାର ଅଧିକାଂଶ ଲୋକେ ଶ୍ରମଜୀବୀ । ମାତ୍ର ୪୦ ଘର ଆଦିବାସୀ ପରିବାର ଏଇଠି ବସବାସ କରିଥାନ୍ତି । ଗ୍ରାମର ଜନସାଧାରଣ ଏବଂ ଯୁବକ ମାନଙ୍କ କହିବାନୁ୍ୟାୟୀ ଗାଁ ରେ କାମ ଆରମ୍ଭ ହେବାରୁ ଲୋକେ ଓଡିଶାର ଜନପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ । କାରଣ ଦୋରାପଦର ଗାଁ ରେ ପ୍ରାଥମିକ ବିଦ୍ୟାଳୟକୁ ଛାଡିଦେଲେ ଏମିତି ଅନ୍ୟ କୌଣସି ଜାଗା ନାହିଁ ଯେଉଁଠାରେ ଲୋକେ ବସି ପାରିବେ, ସଭା ସମିତି କରି ପାରିବେ, ଗାଁର ଲକ୍ଷ୍ମୀପୂଜା, ଗଣେଶ ପୂଜା କରି ପାରିବେ । ଏବେ ସରକାରଙ୍କର ନୂଆ ନିୟମ ଅନୁଯାୟୀ ବିଦ୍ୟାଳୟରେ କେବଳ ପାଠପଢା ହେବ । ଅନ୍ୟ କୌଣସି ସଭା ସମିତି ପାଇଁ ଅନୁମତି ନାହିଁ । ଏହାବାଦ ଗ୍ରାମର ଯୁବକ ସଂଘର ସଦସ୍ୟ ମାନେ କମ୍ୟୁନିଟି ହଲକୁ ନେଇ ଅନେକ ଆଶା ନେଇ ସ୍ୱପ୍ନ ଦେଖିଥିଲେ । ଏଣୁ ଗାଁରେ ଯେତେବେଳେ କମ୍ୟୁନିଟି ହଲ ନିର୍ମାଣ କାମ ଆରମ୍ଭ ହେଲା ଲୋକେ ଆନନ୍ଦରେ ଉତ୍ଫୁଲିତ ହେଲେ । ଯାହା ହେଉ ଦୀର୍ଘ ବର୍ଷ ପରେ ସରକାର ଆମ ଗାଁର ଦୁଃଖ ବୁଝିଲେ ବୋଲି । ହେଲେ ଛାମୁ ଯାହା ଦେଲେ ହରସେ….ନ୍ୟାୟରେ ଲୋକଙ୍କ ସେବାରେ ଲାଗି ପାରୁନି ଅଧପନ୍ତରିଆ କମ୍ୟୁନିଟି ହଲ । ଲୋକେ କହିବାନୁଯାୟୀ ଏବେ ଧରା ଦେଉନାହାନ୍ତି ଠିକାଦାର । କାମ ଆରମ୍ଭ କରିଥିବା ମହିଳା କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ସଂଧ୍ୟା ବଦଳୀ ହୋଇ ସାରିଥିବା ବେଳେ ମାଣ୍ଡେଲ ଗ୍ରାମ ପଞ୍ଚାୟତରେ ଗତ ୬ ମାସ ତଳେ ନୂତନ ଭାବରେ କନିଷ୍ଠ ଯନ୍ତ୍ରୀ ଦାଇତ୍ୱ ନେଇଥିବା ସଂଯୁକ୍ତା ପାଣି ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ କମ୍ୟୁନିଟି ହଲର ସ୍ଥିତି ଦେଖିବା ପାଇଁ ଯାଇ ନଥିବା ଜଣାପଡ଼ିଛି । ଆପଣ କାହିଁକି ଦୋରାପଦର କମ୍ୟୁନିଟି ହଲ ଶୀଘ୍ର ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ପଚାରିବାରୁ ‘କିଛି ବ୍ୟବସ୍ଥା କରି ଶିଘ୍ର କାମ ସାରିଦେବା’ ବୋଲି କହିଛନ୍ତି ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା । ଅନ୍ୟପକ୍ଷରେ ଗ୍ରାମବାସୀ କହୁଛନ୍ତି ଭଗବାନ ହିଁ ଜାଣିବେ ଆମ ଗାଁର କମ୍ୟୁନିଟି ହଲ କାମ କେବେ ସମ୍ପୂର୍ଣ୍ଣ ହେବ? ଇତି ମଧ୍ୟରେ ଯଦି ବ୍ଲକ ପ୍ରଶାସନ କାମ ସମ୍ପୂର୍ଣ୍ଣ ନକରନ୍ତି ତା ହେଲେ ଉପରେ କାଠ, ବାଉଁଶ ଓ ଛପର ଲଦି ଆମେ ଗ୍ରାମବାସୀ ହଲଟିକୁ ବ୍ୟବହାର କରିନେବୁ । ଏହାଛଡା ଅନ୍ୟକିଛି ବିକଳ୍ପ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି । ଦେଖାଯାଉ ବ୍ଲକ ପ୍ରଶାସନ କେବେ ସମ୍ପୂର୍ଣ୍ଣ କରୁଛନ୍ତି ଦୋରାପଦର କମ୍ୟୁନିଟି ହଲ କାମ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.