କେସିଙ୍ଗା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଶହଶହ ଏକର ସରକାରୀ ଜମି ଜବରଦଖଲରେ ରହିଛି। ଏହି ଜମି ସବୁକୁ ଉଦ୍ଧାର କରିବା ପାଇଁ ଅନେକ ସମୟରେ ଦାବି ହୋଇ ଆସୁଛି, କିନ୍ତୁ ପ୍ରଶାସନିକ ସ୍ତରରେ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିବା କାରଣରୁ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହି କ୍ରମରେ କେସିଙ୍ଗା ତହସିଲ ଅନ୍ତର୍ଗତ କିକିଆ ପଞ୍ଚାୟତର ସରକାରୀ ପ୍ଲଟରେ ନୂତନ ଧାନ ମଣ୍ଡି ନିର୍ମାଣ ଓ ଉକ୍ତ ପ୍ଲଟର ଜବରଦଖଲ ଉଚ୍ଛେଦ ନିମନ୍ତେ ତହସିଲଦାର ଜୌତିରମୟ କରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଅଞ୍ଚଳର ଶତାଧିକ ଜନତା। କିକିଆ ସରପଞ୍ଚ, ବୋରିଆ ସରପଞ୍ଚ, ପଥର୍ଲା ସରପଞ୍ଚ ଏବଂ କେସିଙ୍ଗା ୨ନମ୍ବର ଜୋନ ଜିଲ୍ଲା ପରିଷଦ, କୁଣ୍ଡାବନ୍ଦ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରମୁଖଙ୍କ ଉପସ୍ଥିତ ରେ ତହସିଲଦାରଙ୍କୁ ଉକ୍ତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାଇ କିକିଆ ପଞ୍ଚାୟତ ଡ଼ଙ୍ଗର ମୂର୍ଲି ଗାଁର ଶିବମନ୍ଦିର ଠାରେ ଏକ ରଇତାନୀ ପ୍ଲଟରେ ଧାନମଣ୍ଡି ଅବସ୍ତିତ ହୋଇଛି କିନ୍ତୁ ସେହି ପ୍ଲଟର ମାଲିକ ଏହାକୁ ବିରୋଧ କରିଆସୁଛନ୍ତି। ତେଣୁକରି କିକିଆ ଗ୍ରାମପଞ୍ଚାୟତରେ ସରକାରୀ ଜମି ରହିଛି ସେହି ସରକାରୀ ପ୍ଲଟରେ ଧାନ ମଣ୍ଡି କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବିକରୁଛନ୍ତି। କିନ୍ତୁ ଉକ୍ତ ପ୍ଲଟକୁ କିକିଆ ଗ୍ରାମର କିଛି ବ୍ୟକ୍ତି ଜବରଦଖଲ କରି ନିଜ ଅକ୍ତିଆରରେ ରଖିଥିବାରୁ ଧାନ ମଣ୍ଡି କରିବା ପାଇଁ ଅସୁବିଧା ହେଉଛି। ତେଣୁ ସେହି ପ୍ଲଟର ଜବର ଦଖଲ ଉଚ୍ଛେଦ ଓ ଧାନ ମଣ୍ଡି ନିର୍ମାଣ ପାଇଁ କେସିଙ୍ଗା ତହସିଲଦାରଙ୍କୁ କିକିଆ ଅଞ୍ଚଳ ବାସୀ ଲିଖିତ ଭାବେ ଜଣାଇଛନ୍ତି ।