କଥାକାର କନହେଇଲାଲ ଦାସଙ୍କ ୭୫ ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ

● ଯୁବ କଥାଶିଳ୍ପୀ ବିରଜା ରାଉତରାୟ ‘କନହେଇଲାଲ କଥା ପୁରସ୍କାର’ରେ ସମ୍ମାନିତ

● କନହେଇ ମାର୍ଗରେ ନାମିତ ହେଉ ବାଲେଶ୍ଵର ସହରର ରାସ୍ତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ କଥା ସାହିତ୍ୟର ପ୍ରଖର ପ୍ରତିଭା କଥାକାର କନହେଇଲାଲ ଦାସଙ୍କ ସ୍ମୃତିରେ କନହେଇଲାଲ ଦାସ ସ୍ମୃତି ସମାରୋହ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ କନହେଇଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ରବିବାର ଦିନ ଆତିଥ୍ୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିଭାବାନ କଥାଶିଳ୍ପୀ ବିରଜା ରାଉତରାୟଙ୍କୁ ‘କନହେଇଲାଲ କଥା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ନିଜ ଉତ୍ତରରେ ଶ୍ରୀ ରାଉତରାୟ କହିଛନ୍ତି,ଏପରି ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର ଦେଇଥିବାରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ତେବେ ଲୁକ୍କାୟିତ ହୋଇ ରହିଥିବା ଭିନ୍ନକ୍ଷମ ସାହିତ୍ୟିକଙ୍କୁ ଏପରି ଭାବେ ସାମ୍ନାକୁ ଆଣିବା ଦରକାର। କୌଣସି ଭେଦଭାବ ନକରି ଏପରି ଚରିତ୍ରଙ୍କୁ ଧ୍ୟାନ ଦେଇ ସାମ୍ନାକୁ ଆଣିଲେ ସାହିତ୍ୟ ଆଗକୁ ଯିବ। ମୁଁ ୧୭ ବର୍ଷ ପୂର୍ବେ ସୁସ୍ଥ ଥିଲି। ପରେ ଏକ ଦୁର୍ଘଟଣା ସବୁ ବଦଳେଇ ଦେଲା। ବର୍ତ୍ତମାନ ମୁଁ ହୁଇଲ ଚେୟାରରେ। ଅନେକ ଭିନ୍ନକ୍ଷମ ସାହିତ୍ୟିକ ଅଛନ୍ତି ଯେଉଁମାନେ ମର୍ଯ୍ୟାଦାଜନକ ସମ୍ମାନ ପାଇପାରିନାହାନ୍ତି। କାରଣ ସବୁବେଳେ ଭିନ୍ନକ୍ଷମକୁ ନକାରାତ୍ମକ ଚରିତ୍ର ଭାବେ ଚିତ୍ରଣ କରାଯାଇଥାଏ।ସେମାନଙ୍କ ଭିତରର ପ୍ରତିଭାକୁ ଚିହ୍ନିବା ଦରକାର ବୋଲି ସେ ସାହିତ୍ୟ ପ୍ରେମୀଙ୍କୁ ନିବେଦନ କରିଥିଲେ।

ସଂସଦର ସଭାପତି ଡ.ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାଶିଳ୍ପୀ ଶ୍ୟାମାପ୍ରସାଦ ଚୌଧୁରୀ ଯୋଗଦେଇ କହିଥିଲେ, କନହେଇଙ୍କୁ ବହୁତ ବର୍ଷ ପରେ ପଢିବାକୁ ପାଉଛି କନହେଇ କଥାଘରରୁ। ବାଲେଶ୍ଵରକୁ ୪୦ ବର୍ଷ ପରେ ଆସିବା ଅର୍ଥାତ ଘରକୁ ଫେରିବା ପରି। ଘର ହେଉଛି ତାହା ଯେଉଁଠିକୁ ମଣିଷ ଫେରିବାକୁ ଚାହେଁ। ଫେରିବାର ସ୍ଥାନ ହେଉଛି ଘର। ବାଲେଶ୍ଵରକୁ ମୁଁ ସବୁବେଳେ ଘର ପରି ଭାବେ। କନହେଇଙ୍କ ୭୫ ତମ ଜନ୍ମର ସ୍ମୃତି ପାଳନ ଉତ୍ସବରେ ସମସ୍ତେ ଏଠାରେ ଏକାଠି ହୋଇଛନ୍ତି। ମୋତେ ମଧ୍ୟ ଡକାଯାଇଛି। ସେଥିପାଇଁ ଧନ୍ୟବାଦ।


ଯଶସ୍ବୀ କଥାକାର ଭୀମ ପୃଷ୍ଟି ମୁଖ୍ୟ ବକ୍ତା ଭାବେ ଯୋଗଦେଇ କନହେଇଲାଲଙ୍କ ଜୀବନବ୍ୟାପୀ ସାହିତ୍ୟର ସୂକ୍ଷ୍ମାଭିବ୍ୟକ୍ତି ରଖିଥିଲେ। ସେ ଆହୁରି କହିଥିଲେ,ଏଇ ପରିବେଶ କନହେଇ କନହେଇ ହୋଇଯାଇଛି। ମୋତେ ଲାଗୁଛି କନହେଇ ଏଇଠି ଆମ ଗହଣରେ ଅଛନ୍ତି। ଆପଣମାନେ ମଧ୍ୟ କନହେଇଙ୍କ ଅସ୍ତିତ୍ଵକୁ ଅନୁଭବ କରିପାରୁଥିବେ। ସେ ଆମ ଭିତରେ ହିଁ ଅଛନ୍ତି। ତେବେ ଦାରିଦ୍ର୍ୟ ମଣିଷକୁ ମୂକ କରିଦିଏ ନହେଲେ ପ୍ରେମରେ ପକାଏ। ଏଇ ବାଲେଶ୍ଵର ମାଟିରେ କନହେଇର ପ୍ରେମ ଅଛି। ବୋଧହୁଏ ସାହିତ୍ୟ ମୋତେ ଅସମ୍ଭବ ଦାରିଦ୍ର୍ୟରୁ ମୁକ୍ତି ଦେଇଛି ବୋଲି କନହେଇ ତାଙ୍କ ଡାଇରୀରେ ଲେଖିଥିଲେ। ତେବେ କନହେଇଙ୍କ ଅନ୍ୟାନ୍ୟ କୃତି ଅନ୍ୟ ଭାଷାରେ ଅନୁବାଦ ହେଉ, ତାଙ୍କ ଗଳ୍ପ ‘ଧୃତରାଷ୍ଟ୍ରର ଆଖି’କୁ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରାଯାଉ, ବାଲେଶ୍ଵରର ରାସ୍ତା କନହେଇ ମାର୍ଗ ନାମରେ ନାମିତ ହେଉ, ଭୁବନେଶ୍ୱର ନହେଲେ ବାଲେଶ୍ଵରରେ ଆବକ୍ଷ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେଉ ବୋଲି ଶ୍ରୀପୃଷ୍ଟି ପ୍ରସ୍ତାବ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କବି ତଥା ସଂସଦ ଆବାହକ ଶ୍ରୀଦେବ ମଞ୍ଚ ଆହ୍ବାନ କରିଥିବା ବେଳେ ଅନ୍ୟତମ ଆବାହକ ଗୌତମବୁଦ୍ଧ ଦାସ, କନହେଇଙ୍କ ଡାଏରୀର କିଛି ଅଂଶ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି ମାନପତ୍ର ପାଠ କରିଥିବା ବେଳେ ସମ୍ପାଦକ ଉତ୍ପଳ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କମର୍ଦ୍ଦା କନହେଇଲାଲ ଦାସ ସ୍ମୃତି ସଂସଦ ସଭାପତି ଡ.ବିଜୟ ମିଶ୍ର ଉପସ୍ଥିତ ରହି କନହେଇଙ୍କ ଜୀବନୀ ଓ ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିବା ବେଳେ କାଳିକିଙ୍କର ଦାସ କନହେଇ କବିତା ପାଠ କରିଥିଲେ। ପ୍ରାରମ୍ଭରେ ଯାଦବେଶ ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ ବକ୍ତବ୍ୟ ଶେଷରେ ରାଜେଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ସଂସଦର କର୍ମକର୍ତ୍ତାମମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କନହେଇ ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.