ମୁଖ୍ୟସ୍ରୋତରେ ସାମିଲ ହେଲେ ଉପର ନଙ୍ଗଳବାହାଲିର ୮ ପରିବାର

 

ଲୋକାର୍ପିତ ହେଲା ବିକାଶ ନଗର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଂଜିଗଡ ବ୍ଲକ ଲାଂଜି ଗ୍ରାମ ପଂଚାୟତର ଉପର ନଂଗଳବାହାଲି ଗାଁରେ ଆଜି ଯେଉଁ ପରିବର୍ତନର ଆଭାସ ମିଳିଛି ଏହା ହେଉଛି ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରତିରୂପ । ଏହି ସଫଳତା ପଛରେ ମୋ ସରକାର ଫାଇଭ-ଟିର ଟିମ୍ ୱାର୍କ ମ୍ୟାଜିକ୍ କାମ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଉପର ନଙ୍ଗଲବାହାଲିରେ ଅତୀତର ଦୁର୍ଦ୍ଦିନ ଅନ୍ତ ହୋଇଛି ବୋଲି ଉପର ନଗଂଳବାହାଲି ନିକଟରେ ଲାଂଜିଗଡ ବ୍ଲକ ପ୍ରଶାସନ ଦ୍ୱାରା ନବ ନିର୍ମିତ ବିକାଶ ନଗର ଲୋକାର୍ପଣ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉପର ନଗଂଲବାହାଲି ଗାଁର ଆଠଗୋଟି ଜନଜାତି ପରିବାରର ୫୪ଜଣ ସଦସ୍ୟଙ୍କ ପାଇଁ ଆଠଗୋଟି ଘର ତିଆରି କରାଯିବା ପରେ ଲୋକାର୍ପଣ ଉତ୍ସବ ଜରିଆରେ ସେମାନଙ୍କୁ ହସ୍ତାନ୍ତର କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଶିଷ୍ଟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲାଂଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କଳାହାଂଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଲାଂଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଂଜୀବ ନାୟକ, ଲାଂଜି ସରପଂଚ ଯମୁନା ମାଝୀ, ସମିତି ସଦସ୍ୟ ବେଣୁଧର ବାଗ, ଲାଂଜିଗଡ ୧ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଅଂଜଳୀ ମାଝୀ, ୨ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ, ଜିଲ୍ଲା ମଂଗଳ ଅଧିକାରୀ ଅରବିନ୍ଦ ରାୟ, ପିଏ ଆଇଟିଡିଏ ବିରଂଚି ନାରାୟଣ ଦରୱାନ ପ୍ରମୁଖ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

ଲାଂଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହରେ ଯୁବ ସମାଜସେବୀ ତଥା ସାମ୍ବାଦିକ ସୁଶୀଲ କୁମାର ବାଗ ଓ ରାଜେଶ କୁମାର ମହାରଣା ମଂଚ ପରିଚାଳନା କରିଥିଲେ । ଏବିଡିଓ ବିଭୁତିଭୂଷଣ ଶତପଥି, କେକେଡିଏର ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବାବେଳେ ଜିତୁ ପୋଢ, ଗୌରାଂଗ ମାଝୀ, କୃଷ୍ଣଚନ୍ଦ୍ର ସାହୁ, ମନୋଜ ଶବର, ଭାଗବତ ପ୍ରସାଦ ସାହୁ, ଧର୍ମେନ୍ଦ୍ର ପଣ୍ଡା, ମନୀଷ ମିଶ୍ର, ନିଲେଶ କୁମାର ନାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଏହି ଅବସରରେ ତୁର୍କା ଗାଁର ମେଧାବୀ ଛାତ୍ର ନବୀନ ମାଝୀ, କନିଷ୍ଠ ଯନ୍ତ୍ରୀ ଗୋଲକ ଭୋଇ ଓ ପୂର୍ବତନ ପଂଚାୟତ ନିର୍ବାହୀ ଅଧିକାରୀ ଅଲେଖ ସାଙ୍କୁ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ, ଯେଉଁ ଉପରନଙ୍ଗଲ ବାହାଲି ଗାଁର ଲୋକେ ମୌଳିକ ସୁବିଧା ପାଇବାରୁ ବଂଚିତ ହୋଇ ରହିଥିଲେ, ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଠଗୋଟି ପକ୍କାଘର,

ପଂଚମ ରାଜ୍ୟ ଅର୍ଥ କମିଶନ ଅନୁଦାନରେ କଂକ୍ରିଟ ରାସ୍ତା ଓ ଗାଡୱାଲ ନିର୍ମାଣ ତଥା ପଂଚଦଶ କେନ୍ଦ୍ର ଅର୍ଥ କମିଶନ ଅନୁଦାନରେ ସବୁଦିନିଆ ପକ୍କା ରାସ୍ତା, ବସୁଧା ଯୋଜନାରେ ସୁରକ୍ଷିତ ପାନୀୟଜଳ, ସ୍ୱଚ୍ଛଭାରତ ମିଶନରେ ଶୌଚାଳୟ, ମନରେଗା ଯୋଜନାରେ ଚେକଡ୍ୟାମ୍ ତଥା ଲୋକଙ୍କ ପାଇଁ ରୋଜଗାରର ଅବସର ସୃଷ୍ଟି, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ବନୀକରଣ, ମିଶନଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ଓ ସୁପରିଚାଳନା ଆଦି କରାଯାଇଛି ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଂଡା ବିକାଶନଗର ଗସ୍ତ କରି ସନ୍ତୋଷବ୍ୟକ୍ତ କରିଥିଲେ । ଆଜି ଉପର ନଙ୍ଗଲବାହାଲିର ଆଠଗୋଟି ଜନଜାତି ପରିବାରକୁ ବିକାଶ ନଗର ଲୋକାର୍ପଣ କରାଯିବା ପରେ ଗ୍ରାମବାସୀମାନେ ଖୁସି ବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.