ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମୁଷାପାଲି ଗ୍ରାମର ଏକ ପୋଖରୀରୁ ଆଜି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି କୋକସରା ଥାନା ପୋଲିସ। ମୃତ ମହିଲା ହେଲେ ବିଷ୍ଣୁପ୍ରିୟା ପଣ୍ଡା(୪୫)। ସୂଚନା ଅନୁସାରେ, ରବିବାର ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଶୌଚ ପାଇଁ ବିଷ୍ଣୁପ୍ରିୟା ଯାଇଥିଲେ। ହେଲେ ଦିର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିବାବେଳେ ପୋଖରୀରେ ତାଙ୍କର ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକ ତୁରନ୍ତ କୋକସରା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିବା ସହ ବ୍ୟବଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ତେବେ ମୃତ ବିଷ୍ଣୁପ୍ରିୟା ମାନସୀକ ବିକାରଗ୍ରସ୍ତ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ଥାନା ଅଧିକାରୀ ପ୍ରଶନ୍ନ ବେହେରା ସୂଚନା ଦେଇଛନ୍ତି।