ଝାଡ଼ାବାନ୍ତି ପ୍ରକୋପ: ସେମେଲପଦର ଓ ବାଲାପଦରରେ ପହଞ୍ଚିଲେ ମେଡିକାଲ ଟିମ୍‌

ସ୍ଥିତି ସମୀକ୍ଷା କଲେ ପ୍ରଶାସନିକ ଅଧିକାରୀ, ପହଞ୍ଚିଲେ ବିଜେଡି ପ୍ରତିନିଧି ଦଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମପଂଚାୟତର ସେମେଲପଦର ଓ ବାଲାପଦର ଗାଁରେ ଝାଡ଼ାବାନ୍ତିର ପ୍ରକୋପ ହ୍ରାସ ପାଇନଥିଲେ ହେଁ ବର୍ତ୍ତମାନ ପରିସ୍ଥିତି ସ୍ଥିର ରହିଛି । ବାଲାପଦର ଗାଁରେ ଜଣକର ମୃତ୍ୟୁ ଘଟିଥିବାବେଳେ ତିନିଜଣ ଆକ୍ରାନ୍ତ ଥିଲେ। ସେହିପରି ନିକଟସ୍ଥ ଭୁର୍ଟିଗଡ଼ ପଞ୍ଚାୟତ କଟୋଡ଼ିରୁ ଆସିଥିବା ଆଉ ଜଣେ ମହିଳା ଗୁରୁତର ହୋଇ ପଡ଼ିଥିଲେ। ସେମେଲପଦର ଗାଁରେ ଆଠଜଣ ଗୁରୁତର ଥିବାବେଳେ ଆଉ ତିନିଜଣ ଆକ୍ରାନ୍ତ ହେବାର ଖବର ମିଳିଥିଲା। ଆଜି ସକାଳୁ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆଁ ପ୍ରମୁଖ ଘଟଣାସ୍ଥଳରେ ପହଂଚିବା ସହିତ ସେମେଲପଦର ଗାଁର ତିନିଜଣ ଓ ବାଲାପଦର ଗାଁର ଗୁରୁତର ଜଣକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ। ଏହାପରେ ପୂର୍ବାହ୍ନ ୧୧ଟାରେ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଦାନ୍ତ ମେଡିକାଲର ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ମେଡିକାଲ ଅଫିସର ଡା. ପ୍ରଶାନ୍ତ ପରମାଣିକ, ଅଶୋକ ଖୋରା, ମହେନ୍ଦ୍ର ହିଆଁଲଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ବାଲାପଦର ଓ ସେମେଲପଦର ଗାଁ ପରିଦର୍ଶନ କରିବା ସହିତ ସେଠାରେ ଲୋକଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ଏହାସହିତ ଝାଡାବାନ୍ତି ରୋଗରୁ ରକ୍ଷା ପାଇବାକୁ ଲୋକଙ୍କୁ ସଚେତନ କରିଥିଲେ। ମୋବାଇଲ୍ ହେଲ୍‌ଥ ୟୁନିଟ୍‌ର ଇନଚାର୍ଜ୍ ଡା. ନରେନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ମଧ୍ୟ ସେମେଲପଦର ଓ ବାଲାପଦର ଗସ୍ତ କରିବା ସହିତ ରୋଗୀମାନଙ୍କୁ ଗଛମୂଳେ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଇଥିଲେ।

ସରକାରୀ ମେଡିକାଲ ଟିମ୍ ସହିତ ସ୍ୱାସ୍ଥ୍ୟକର୍ମୀ ଦିପ୍ତୀରାଣୀ ସ୍ୱାଇଁ, କିଶୋର ମାଝୀ, ଆଶା କର୍ମୀ ପ୍ରେମଶିଳା ହରିଜନ ପ୍ରମୁଖ ସାମିଲ ଥିଲେ। ସେହିପରି ପ୍ରଭାବିତ ଅଞ୍ଚଳ ଗସ୍ତ କରି ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବାକୁ ସେମେଲପଦର ଓ ବାଲାପଦର ଗସ୍ତ କରିଥିଲେ ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ମାଝୀ। ତାଙ୍କ ସହିତ ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ନେତା ପ୍ରସନ୍ନ ପରିଡା, ସରୋଜ ପ୍ରଧାନ, ସୁବନ ଭୋଇ, ଅଜିତ ପ୍ରଧାନ, ବନମାଳୀ ମାଝୀ, କର୍ଣ୍ଣ ହରିଜନ ପ୍ରମୁଖ ସାମିଲ ହୋଇଥିଲେ। ଅପରପକ୍ଷରେ ବେଦାନ୍ତ ମେଡିକାଲ ଟିମକୁ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗର ମ୍ୟାନେଜର ଦିଲିପ ପ୍ରଜାପତି ସହାୟତା କରିଥିବାବେଳେ ଯୁବ ସମାଜସେବୀ ଓ ସାମ୍ବାଦିକ ସୁଶୀଲ କୁମାର ବାଗ ଓ କଦମ୍ବଗୁଡା ସରପଞ୍ଚ ସନ୍ତୋଷ ମାଝୀ ପ୍ରମୁଖ ଆଜି ଦିନତମାମ ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ରହି ମେଡିକାଲ ଟିମ୍‌କୁ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.