ରଙ୍ଗିନ ହୋଇ ଉଠିଛି ଗାଁ ଦାଣ୍ଡ: ନୂଆଖାଇ ଓ ବାସି ପର୍ବ ପରେ ଆଜି ତିଆସି ଦିନରେ ବି କମିନାହିଁ ଉତ୍ସାହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାଦ୍ର ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ କଳାହାଣ୍ଡିର ଅଧିକାଂଶ ଗ୍ରାମରେ ପାଳିତ ହୋଇଯାଇଛି ନୂଆଖାଇ। ଗତକାଲି ନୂଆଖାଇ ବାସି ଥିବାବେଳେ ଆଜି ତିଆସି ପର୍ବ। ଏନେଇ ରଙ୍ଗିନ ହୋଇ ଉଠିଛି ଗାଁ ଦାଣ୍ଡ। ଭାଇଚାରାର ଏହି ମହାନ ପର୍ବର ଅମୃତ ଅବସରରେ ରାଗରୁଷା ମାନ ଅଭିମାନ ଛାଡି ପିଲା, ବୁଢ଼ା, ଯୁବକ ସମସ୍ତେ ଏକାକାର ହୋଇ ଯାଇଛନ୍ତି। ନୂଆଖାଇ ଦିନ ଗ୍ରାମଦେବତାଙ୍କ ସମେତ ପିତୃପୁରୁଷ ଓ ଇଷ୍ଟ ଦେବାଦେବୀଙ୍କୁ ନୂତନ ଶସ୍ୟ ଅର୍ପଣ କରି ନୂଆ ଖାଇଥିଲେ ପରିବାରବର୍ଗ। ନୂଆଖାଇ ବାସି ଦିନ ଘରେ ଘରେ ମାଂସ ରନ୍ଧାହୋଇ ଭକ୍ଷଣ କରାଯାଇଥିଲା। ଏହିଦିନ ପରିବାର ଓ ସାଇ ଭାଇଙ୍କ ସହ ଲୋକେ ଦିନ କଟାଇଥିଲେ। ଶ୍ରମଜୀବୀ, ଚାଷୀ, ମେହନତୀ ମଣିଷ ଓ ଗ୍ରାମର ସାଧାରଣ ଜନତା ଏହି ପର୍ବର ଭରପୁର ମଜା ଉଠାଇଥିଲେ। ଆଜି ତିଆସି ଦିନରେ ମଧ୍ୟ ପ୍ରାୟ ପ୍ରତ୍ୟେକ ଘରେ ଆଇଁଷ ହେଉଥିବା ଦେଖାଯାଇଛି। ଏହି ଦିନ ଗାଁର ଅନ୍ୟାନ୍ୟ ପଡାବାସୀ ଓ ପଡ଼ୋଶୀ ଗ୍ରାମର ଲୋକଙ୍କ ସହ ଭାବ ବିନିମୟ ହେଉଛି। ପାଖ ଗାଁର ଲୋକେ ନିଜର ପ୍ରିୟଜନମାନଙ୍କୁ ଭେଟିବାକୁ ଆସି ବଡଙ୍କୁ ପ୍ରଣାମ ଓ ସାନ ମାନଙ୍କୁ ଆଶିର୍ବାଦ ଦେଉଛନ୍ତି। ତିଆସି ଦିନ ଗାଁ ଗୈାନ୍ତିଆ ଓ ସଂଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଘରେ ରୁଖା ପିଠା ଓ ସୁଆଁଲି ପିଠା ପ୍ରସ୍ତୁତ ହୋଇଛି। ଘରକୁ ଆସିଥିବା ପଡୋଶୀ ଗ୍ରାମବାସୀଙ୍କୁ ଏହା ପ୍ରଦାନ କରାଯାଉଛି। ଏହାପରେ ନୂଆଖାଇର ସପ୍ତାହେ ମଧ୍ୟରେ ନିଜ ଝିଅ ଜ୍ବାଇଁ ଓ ବନ୍ଧୁ ବାନ୍ଧବ ଘରକୁ ବୁଲି ଯିବାର ପ୍ରଥା ମଧ୍ୟ ରହିଛି। ସମସ୍ତଙ୍କୁ ମୈତ୍ରୀ ବନ୍ଧନରେ ବାନ୍ଧି ଦେଉଥିବା ଏହି ମହାନ ଗଣପର୍ବର ତିନି ଦିନ ଗ୍ରାମ୍ୟ ପରିବେଶକୁ ରସମୟ କରି ଗଢିତୋଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.