ବିପଦ ସଂକୁଳ ଅବସ୍ତାରେ ଅସୁରଗଡ ଯାତ୍ରୀ ବିଶ୍ରାମାଗାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଐତିହାସିକ କିମ୍ବଦନ୍ତୀ ସ୍ଥଳ ଅସୁରଗଡର ଯାତ୍ରୀ ବିଶ୍ରାମାଗାରଟି ପରିତ୍ୟକ୍ତ ହୋଇପଡିବା ସାଙ୍ଗକୁ ଏହା ବିପଦ ସଂକୁଳ ଅବସ୍ଥାରେ ମଧ୍ୟ ରହିଛି । ଏହି ବିଶ୍ରାମାଗାରଟି ନର୍ଲାରୁ ରୁପ୍ରାରୋଡ କେସିଙ୍ଗା ପିଡବ୍ଲୁଡି ରାସ୍ତା ପାଶ୍ୱର୍ରେ ରହିଛି । ଗତ ୨୦ ବର୍ଷ ତଳେ ପଞ୍ଚାୟତ ସମିତି ଅନୁଦାନ ରାଶି ୧,୨୦,୦୦୦ ଟଙ୍କାରେ ନିର୍ମିତ ହୋଇଥିଲା ଏହା । ସେତେ ବେଳର କାମରେ ନା ତ ପିଲର ପଡିଛି, ନା ବିମ୍ ଦେଇ କାମ ହୋଇଛି । କାମ ସମ୍ପୂର୍ଣ୍ଣ ହେବାର ଦୁଇ ତିନି ବର୍ଷ ଭିତରେ ବିଶ୍ରାମ ଗୃହଟି ଫାଟିବା ଆରମ୍ଭ କରିଥିଲା । ସମୟ କ୍ରମେ ଏହାର କାନ୍ଥ ସାରା ଫାଟି ସାରିଥିବା ବେଳେ ଛାତ ପୁରା ଜାଲି ହୋଇଗଲାଣି । କେତେ ବେଳେ ଯେ ଭୁଷୁଡି ପଡିବ ତାହା କହିହେବ ନାହିଁ । ଏହି ଯାତ୍ରୀ ବିଶ୍ରାମ ଗୃହଟି ଗ୍ରାମର ଆରମ୍ଭ ମୁଣ୍ଡ ମୁଖ୍ୟ ରାସ୍ତାକଡରେ ରହିଥିବାରୁ ରାତି ଆରମ୍ଭ ହେବା ମାତ୍ରକେ ଅସାମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡାସ୍ଥଳି ପାଲଟୁଛି । ଏଇଠି ବସ୍ତା ବସ୍ତା ମଦ ବୋତଲ ଓ ମଦ ପାଉଚ ପ୍ୟାକେଟ ପଡିଥିବା ଦୃଶ୍ୟମାନ ହେଉଛି । ଯାତ୍ରୀ ବିଶ୍ରାମ ଗୃହଟିର ଏଭଳି ଅବସ୍ଥା ଯୋଗୁଁ ବସ୍ ଯୋଗେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ବସ ଅପେକ୍ଷାରେ ରହିଥିବା ଯାତ୍ରୀ ଗଛତଳେ ବିଶ୍ରାମ ନେବା ଶ୍ରେୟ ମଣୁଛନ୍ତି । ଅସୁରଗଡ ଯାତ୍ରୀ ବିଶ୍ରାମାଗାରଟି ଏବେ ଏଭଳି ଅବସ୍ଥାରେ ରହିଛି ଯେ କେତେବେଳେ ଗଳି ପଡିବ ଏବଂ ଏହା ଅନେକଙ୍କ ମୃତୁ୍ୟର କାରଣ ମଧ୍ୟ ସାଜିପାରେ ତାହା କହିହେବ ନାହିଁ । ଏଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଅସୁରଗଡର ଏହି ପରିତ୍ୟକ୍ତ ଓ ବିପଦ ସଂକୁଳ ଯାତ୍ରୀ ବିଶ୍ରାମ ଗୃହଟିକୁ ଭାଙ୍ଗିଦେଇ ଏଇଠି ଏକ ନୂତନ ଯାତ୍ରୀ ବିଶ୍ରାମ ଗୃହ କରିବା ପାଇଁ ଅସୁରଗଡ ଗ୍ରାମବାସୀଙ୍କ ତରଫରୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.