ବନ୍ୟାବାତ୍ୟା ଆଶ୍ରୟ ସ୍ଥଳୀ ଟାକ୍ସ ଫୋର୍ସ କମିଟି ଗଠନ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ଅଧୀନ ସାଲେବିଡି ସ୍ଥିତ ବହୁମୁଖୀ ବନ୍ୟାବାତ୍ୟା ଆଶ୍ରୟ ସ୍ଥଳୀଠାରେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝିଙ୍କ ତତ୍ବାବଧାନରେରେ ୭ ଦିନିଆ ବନ୍ୟାବାତ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ରକ୍ଷଣା ବେକ୍ଷଣ ଟାକ୍ସ ଫୋର୍ସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜରୁରୀକାଲିନ ଡେପୁଟି କଲେକ୍ଟର ମୌସୁମୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ଶିବିରକୁ ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ବେହେରାମୁଣ୍ଡା ସରପଞ୍ଚ ଚନ୍ଦ୍ରିକା ଧୁରୁଆ, ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସୋରି, ଡିପିଓ ହିମାଂଶୁ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ, ବନ୍ୟା ପରିଚାଳନା କମିଟିର ସମ୍ପାଦକ ଜଗଦୀଶ ବାଘ, ସମାଜସେବୀ କୈବଲ୍ୟ ମାଝି, ଇସାରା ଏନଜିଓର ରମେଶ ପଣ୍ଡା ପ୍ରମୁଖ ମଞ୍ଚାସିନ ରହିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବେହେରାମୁଣ୍ଡା ପଞ୍ଚାୟତର କାର୍ଯ୍ୟରତ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଶୁଭ କଳସ ସ୍ଥାପନା କରିବା ସହ ହୁଳହୁଳି ଦେଇ ଅତିଥି ମାନଂକୁ ମଞ୍ଚକୁ ପାଛୋଟି ନେଇଥିଲେ । ଏହା ପରେ ବିଡିଓ ଧର୍ମରାଜ ମାଝିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବନ୍ୟା ପୀଡିତ ଲୋକଙ୍କୁ କିପରି ଭାବରେ ସୁରକ୍ଷିତ ସ୍ଥାନକୁ ପହଞ୍ଛାଇ ସେମାନଙ୍କ ଧନ ଜୀବନ କିପରି ରକ୍ଷା କରାଯାଇ ପାରିବ ଏବଂ ଏହାର ଯନ୍ତ୍ରାଂଶ ମାନଙ୍କୁ କିପରି ଠିକ୍ ଭାବରେ ପରିଚାଳନା କରାଯାଇ ପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହାକୁ ନେଇ ୫ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଶିବିରରେ ତାଲିମ ପ୍ରଦାନ କରାଯିବ ଏବଂ ତାଲିମ ଦେବା ପାଇଁ ଗଞ୍ଜାମ ଜିଲ୍ଲାରୁ ଦୁଇଜଣ ପ୍ରଶିକ୍ଷକ ଆସିଥିବା ବୈଠକରେ ବିଡିଓ ଶ୍ରୀ ମାଝି ସୂଚନା ଦେଇଥିଲେ । ଏଥିରେ ଚନ୍ଦାହାଣ୍ଡି ବ୍ଲକର ଅଗ୍ନିଶମ କର୍ମଚାରୀ, ବିଦ୍ୟୁତ ବିଭାଗ କର୍ମଚାରୀ, ପଶୁପାଳନ ବିଭାଗ, ଶିଶୁ ବିଭାଗ, ରାଜସ୍ୱ ବିଭାଗ କର୍ମଚାରୀ ସମେତ ସମସ୍ତ ପିଇଓ, ଯୋଗାଣ ସହାୟକ, ରୋଜଗାର ସହାୟକ, କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ଇସାରା ଏନଜିଓର ରମେଶ ଚନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.