ଗଣ୍ତାବାହାଲିରେ ନୂଆଖାଇ ଭେଟଘାଟ୍

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସ୍ଥାନୀୟ ଗଣ୍ତାବାହାଲି ଗ୍ରାମ ଠାରେ ନୂଆଁଖାଇ ଭେଟଘାଟ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ପାଳନ କମିଟିର ସଭାପତି ଗଙ୍ଗାରାମ ମେହେରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଜନା ଓ ସମନ୍ବୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦାନ କରି ନୂଆଖାଇ ଏକ ଶାନ୍ତି ସଦଭାବନା ଏବଂ ଭାଇଚାରାର ପର୍ବ ଭାବରେ ସାରା ବିଶ୍ବକୁ ବାର୍ତ୍ତା ଦେଇଥାଏ ବୋଲି ମତ ପୋଷଣ କରିଥିଲେ । ଗଣ୍ତାବାହାଲି ଠାରେ ଏକ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଏବଂ ଐତିହାସିକ ରାମଗଡର ବିକାଶ କରି ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଏ ଅବସରରେ ମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଦାବିପତ୍ର ପ୍ରଦାନ କରିଥିଲେ । ସମାରୋହରେ ମୁଖ୍ୟବକ୍ତା ଭାବରେ ଧର୍ମଗଡ ସାହିତ୍ୟ ସଂସଦର ସଭାପତି ଅଧ୍ଯାପକ ଲିଙ୍ଗରାଜ ପାତ୍ର ଯୋଗଦାନ‌ କରି ନୂଆଖାଇର ମହତ୍ତ୍ଵ ଓ ସାମାଜିକ ଚେତନା ବିଷୟରେ ମତ ରଖିଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସର୍ବେଶ୍ଵର ଜାଲ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନୀ କଟା, ସରପଞ୍ଚ କୈଶଲ୍ୟା ମେହେର, ସମିତି ସଭ୍ୟା ସସ୍ମିତା ମେହେର ଯୋଗଦାନ‌ କରିଥିଲେ । ପ୍ରାରମ୍ଭରେ ଯୁବ ଅଧ୍ୟାପକ ଗୁପ୍ତେଶ୍ୱର ମେହେର ସ୍ବାଗତ ଅଭିଭାଷଣ ତଥା ମଞ୍ଚ ପରିଚାଳନା କରିଥିଲେ । ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲିର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଯୁବ ଶିକ୍ଷକ ଯଜ୍ଞେଶ୍ଵର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବଲାଙ୍ଗୀର, ଟିଟିଲାଗଡ଼ର ଜେ.ଏସ. ଆର୍ ଡେନ୍ସ ଏକାଡେମୀର କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ଯକ୍ରମରେ ଅଂଚଳର ହଜାର ହଜାର ସଂସ୍କୃତି ପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.