ଦଲାଲ କବଳରୁ ଖସି ଆସିଲେ ୭ଟି ଦାଦନ ପରିବାର

ସହଯୋଗ କଲା ଜିଲ୍ଲା ଶ୍ରମ ବିଭାଗ ଓ ଚାନ୍ଦିଲି ଥାନା ପୋଲିସ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଧମକ ଚମକ ଦେଇ ଦାଦନ ଖଟାଇବା ପାଇଁ ୭ଟି ପରିବାରକୁ ଓଡିଶାରୁ ଆନ୍ଧ୍ର ପ୍ରଦେଶକୁ ନେଇ ଯାଉଥିଲା ଦଲାଲ୍ । ହେଲେ ଦଲାଲର ଧମକଚମକକୁ ଭୟ କରି ଅଧା ବାଟରେ ଖସିବାରେ ସଫଳ ହେଲେ ପରିବାର ଲୋକେ । କିନ୍ତୁ ପାଖରେ କିଛି ଟଙ୍କା ନ ଥିବାରୁ ନିଜ ଘରକୁ ମଧ୍ୟ ଫେରିବାକୁ ସମର୍ଥ ନ ଥିଲେ ଏହି ୭ଟି ପରିବାର । ଏମାନେ ହେଲେ ସୋନପୁର ଜିଲ୍ଲାର ସୋନପୁର ଥାନା ଅନ୍ତର୍ଗତ ମହାଦେବପାଲି ନିକଟସ୍ଥ ତଲୁନ୍ଦୁପାଲି ଗ୍ରାମର ଦାଦନ ଶ୍ରମିକ ପରିବାର । ଆନ୍ଧ୍ର ପ୍ରଦେଶରେ ଇଟା ପ୍ରସ୍ତୁତ କମ୍ପାନୀରେ କାମ ଯୋଗାଇବା ସହ ୬ମାସରେ ୩୫ହଜାର ଟଙ୍କା ପ୍ରଦାନର ପ୍ରଲୋଭନ ଦେଇଥିଲା ଲାଲୁ ନାମକ ଦଲାଲ । ଆଉ ଜାେର ଜବରଦସ୍ତ ସେମାନଙ୍କୁ ଟ୍ରେନରେ ବସାଇ ଆନ୍ଧ୍ରକୁ ନେଉଥିଲା ଲାଲୁ ବୋଲି ଅଭିଯୋଗ କରିଛନ୍ତି ଶ୍ରମିକମାନେ ।


ତଲୁନ୍ଦୁପାଲି ଗ୍ରାମର ୭ଟି ପରିବାରର ୨୮ଜଣଙ୍କୁ ଦାଦନ ଖଟିବାକୁ ନେଇ ଯାଉଥିଲା ଦଲାଲ ଲାଲୁ । ସାଥିରେ ପରିବାରର ଥିଲେ ୧୩ଜଣ ଶିଶୁ ଶ୍ରମିକ । ‍ତେବେ ଗତକାଲି ଟ୍ରେନରେ ଯାଉଥିବା ବେଳେ ରାୟଗଡା ରେଳ ଷ୍ଟେସନରେ ଦଲାଲ କବଳରୁ ଖସି ଆସିଛନ୍ତି ଏମାନେ ।

୭ଟି ପରିବାର ଉପାୟ ଶୂନ୍ୟ ହୋଇ ୩୨୬ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ୧୦କିଲୋମିଟର ବାଟ ଜେକେପୁର ଦେଇ ମୁନିଗୁଡା ପଟକୁ ଚାଲି ଚାଲି ଯାଉଥିବା ବେଳେ ସ୍ଥାନୀୟ କିଛି ଯୁବକ ଏମାନଙ୍କୁ ଦେଖି ସମସ୍ୟା ସଂପର୍କରେ ପଚାରି ବୁଝି ଚାନ୍ଦିଲି ଥାନା ଓ ଜିଲ୍ଲା ଶ୍ରମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଚାନ୍ଦିଲି ଥାନା ପୋଲିସ ଓ ଶ୍ରମ ବିଭାଗ ଅଧିକାରୀ ପଂହଚି ଦାଦନ ପରିବାରକୁ ତାଙ୍କ ଗାଁକୁ ଛାଡିବା ପାଇଁ ସିଙ୍ଗାପୁର ରାେଡ ରେଳ ଷ୍ଟେସନରେ ଟିକଟ ସହ ଖାଦ୍ୟପେୟ ବ୍ୟବସ୍ଥା କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.