ଭକ୍ତିମୟ ପରିବେଶ ମଧ୍ୟରେ ସଂପନ୍ନ ହେଲା ଗୋରକେଲ ଗ୍ରାମରେ ଝାମିଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ଝାମିଯାତ୍ରା ବା ଝାମୁଯାତ୍ରା ଏକ ବହୁ ପ୍ରାଚୀନ ପରମ୍ପରା ଭାବେ ବର୍ତ୍ତମାନ ସୁଦ୍ଧା ଅନୁସୃତ ହୋଇ ଆସୁଅଛି । ଜନସାଧାରଣଙ୍କ ବିଶ୍ୱାସକୁ ନେଇ ଚାଲି ଆସୁଥିବା ଏହି ଝାମିଯାତ୍ରା ପରମ୍ପରା ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ସାଙ୍ଗକୁ ଏକସୂତ୍ରରେ ବାନ୍ଧି ରଖିପାରିଛି । ଏଥିରେ ଧନୀ, ଗରୀବ ଛୋଟ, ବଡ ସମସ୍ତେ ସାମିଲ ହୋଇଥାନ୍ତି । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗୋରକେଲ ଗ୍ରାମରେ ୯ ଦିନ ଧରି ଚାଲିଥିବା ଏହି ପର୍ବ ଆଜି ଗୁରୁବାର ଝାମିମଡା ସହ ସଂପନ୍ନ ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ଆରମ୍ଭ ହୋଇଥାଏ ଗୋରକେଲ ଗ୍ରାମର ଝାମିଯାତ୍ରା । ସେହି ଦିନ ନଦୀକୁ ଯାଇ ଦେବାଦେବୀଙ୍କ ପୂଜାରୀ ଓ କାଳିସୀମାନେ ବାଲିରେ ଶସ୍ୟ ଜାତୀୟ ଦ୍ରବ୍ୟ ମୁଗ, ବିରି, ଚଣା ପ୍ରଭୃତି ପୋତି କି ଆସିଥାନ୍ତି । ଏହାର ଦୁଇ ଦିନ ପରେ ଭକ୍ତ ବୃନ୍ଦ ଦେବାଦେବୀଙ୍କ ସମେତ ନଦୀକୁ ଯାଇ ଗଜା କରାଯାଇଥିବା ଶସ୍ୟ ଗୁଡିକ ସହ ବାଲି ଆଣି ମନ୍ଦିରରେ ସ୍ଥାପନା କରିଥାନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କର୍ଲାସେନୀ ଦେବୀ ଉପବାସରେ ରହି ଶିବଙ୍କର ପୂଜାର୍ଚ୍ଚନା କରିଥାନ୍ତି ବୋଲି ଗ୍ରାମର ଭକ୍ତଗଣ ପ୍ରକାଶ କରିଛନ୍ତି । ନଅ ଦିନ ଧରି ମନ୍ଦିରରେ ଗ୍ରାମର ଇଷ୍ଟଦେବୀ କର୍ଲାସେନୀ, ବୁଢାଭୈରୋ, ପାଟଖଣ୍ଡାଙ୍କୁ ପୂଜାର୍ଚ୍ଚନା ନିୟମିତ ଚାଲିଥାଏ । ମନ୍ଦିରରେ ଦେବୀ ମାନଙ୍କ ଅସ୍ତ୍ରଶସ୍ତ୍ର ଖଣ୍ଡା ଗୁଡିକ ବସାଇ ପୂଜା କରାଯାଇଥାଏ । ଏବେ ଗ୍ରାମର ଗୈାନ୍ତିଆ ଚିନ୍ତାମଣି ପାତ୍ରଙ୍କ ଦେହରେ ଦେବୀ କର୍ଲାସେନୀ ଖେଳୁଥିବା ବେଳେ ତାଙ୍କ ଭାଇ ମୀନକେତନ ପାତ୍ରଙ୍କ ଦେହରେ ବୁଢାଭୈରୋ ଦେବତା ପ୍ରକଟ ହୋଇଥାନ୍ତି । ଆଜି ଗୁରୁବାର ସକାଳୁ ଗ୍ରାମର ଉପବାସ ରଖିଥିବା ଭକ୍ତ ଝାମି ଗାତ ଲମ୍ବ ଭାବରେ ଖୋଲିବା ସହ ସକାଳୁ ଶାଳ ଓ ଧଁରା କାଠରେ ଅଗ୍ନି ଲଗାଇ ଅଙ୍ଗାର ନିଆଁ ପ୍ରସ୍ତୁତ କରିଥିଲେ । ଦିନ ତମାମ ଦେବାଦେବୀଙ୍କ ପୂଜାପାଠ ପରେ ଦୁଇ ଦେବା ଦେବୀ ଝାମି ଖନ୍ଦାରେ ନିଆଁ ଉପରେ ଚାଲି ଝାମି ମାଡିଥିଲେ । ଭକ୍ତ ମାନଙ୍କୁ ମଧ୍ୟ ଅଭିମନ୍ତ୍ରୀତ ଚାଉଳ, ଫୁଲ ଓ ବେଲପତ୍ର ଦେଇ ସାଙ୍ଗରେ ଝାମି ଗାତରେ ନିଆଁରେ ଚଲାଯାଇଥିଲା । ଏହାପରେ ଗ୍ରାମ ତରଫରୁ ଦେବୀଙ୍କ ନିକଟରେ ବୋଦାବଳୀ ଦିଆଯାଇଥିଲା । ଚିନ୍ତାମଣି ପାତ୍ରଙ୍କ ବାପା କୃତିବାସ, ଜେଜେବାପା ପୁରୁଷୋତ୍ତମ ପାତ୍ରଙ୍କ ଅମଳରୁ ଦୀର୍ଘ ୮୫ ବର୍ଷ ଧରି ଗୋରକେଲରେ ଅନୁଷ୍ଠିତ ହୋଇଆସୁଛି ଏହି ଝାମିଯାତ୍ରା ପର୍ବ ବୋଲି ଗୈାନ୍ତିଆ ଚିନ୍ତାମଣି ପାତ୍ର ମତବ୍ୟକ୍ତ କରିଛନ୍ତି । ଗ୍ରାମରେ ଥିବା ଗୈାନ୍ତିଆ ପାତ୍ର ପରିବାର ଓ ଗ୍ରାମର ଜନସାଧାରଣଙ୍କ ଆର୍ଥିକ ସହଯୋଗ କ୍ରମେ ଏତେ ବର୍ଷ ଧରି ଯାତ୍ରା ଚାଲିଆସୁଥିଲେ ମଧ୍ୟ ପାଣ୍ଠି ଅଭାବରୁ ଦେବାଦେବୀଙ୍କ ପାଇଁ ଆବଶ୍ୟକ ଆଉ ଗୋଟିଏ ମନ୍ଦିର ନିର୍ମିତ ହୋଇପାରୁନି । ୨୦୧୮ ର ଅନୁଦାନରେ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ କମ୍ୟୁନିଟି ହଲଟେ ତିଆରି ହୋଇ ଦେବୀମାନେ ପୂଜା ପାଉଛନ୍ତି ।

Udyog Nursery
Udyogi Nursery

ଆଜି ଏକ ଭକ୍ତିମୟ ପରିବେଶ ମଧ୍ୟରେ ଝାମିଯାତ୍ରା ସମ୍ପନ୍ନ ହୋଇଯିବା ପରେ ଆସନ୍ତା କାଲି ଶୁକ୍ରବାର ଝାମିଖନ୍ଦାର ଅଗ୍ନିି ଶୀତଳୀକରଣ କାର୍ଯ୍ୟକ୍ରମ ଓ ଅଗ୍ନି ଭସାଣି ଉତ୍ସବ ରହିଥିବା ସୂଚନା ରହିଛି । ପୂଝାରୀ ଅଭିମନ୍ୟୁ ପାତ୍ର ସମସ୍ତ ପୂଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ବରିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରେ ବିରଞ୍ଚି ପାତ୍ର ,ପରମା ପାତ୍ର, ଉଦେ ପାତ୍ର, ମାଣିକ ପାତ୍ର, ଲଳିତ ପାତ୍ର, ରୁକଧର ପାତ୍ର, ଝସକେତନ ପାତ୍ର, ନବୀନ ପାତ୍ର ପ୍ରମୁଖ ପୂଜନ କାର୍ଯ୍ୟରେ ସହଯୋଗ କରିଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୌତୁକ ଖମାରୀ ଓ ଗ୍ରାମର ଯୁବକ ମାନଙ୍କ ସଂପୂର୍ଣ୍ଣ ସହଯୋଗ ରହିଥିବା ବେଳେ ଆଖପାଖ ଗାଁର ଲୋକଙ୍କ ମଧ୍ୟ ସହଭାଗୀତା ରହିଥିଲା । ସିଂ ବାଜା ଓ ଘୁମୁରାରେ ଯାତ୍ରା ସ୍ଥଳୀ ପ୍ରକମ୍ପିତ ହୋଇ ଉଠିଥିଲା । ନର୍ଲା ଓ ଲାଞ୍ଜିଗଡ଼ ବ୍ଲକ ଅଂଚଳର ୧୧ ଖଣ୍ଡ ଗ୍ରାମର ହଜାର ହଜାର ଭକ୍ତଙ୍କ ସମାଗମ ଘଟିଥିବା ଦେଖିବାକୁ ମିଳିଥିଲା । ଝାମିଯାତ୍ରା ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ସମାଜସେବୀ ବାବୁଲି ମଣ୍ଡଳ, କୁର୍ମେଲ ସରପଞ୍ଚ ଭୁବନ ମାଝୀ ପ୍ରମୁଖ ଝାମିଯାତ୍ରାରେ ଅତିଥି ଭାବରେ ଯୋଗଦାନ କରି ଦେବୀଙ୍କ ଆଶୀଷ ଲାଭ କରିବା ସହିତ ଗୋରକେଲ ତଥା ନର୍ଲା ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.