ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଆଦିବାସୀ ସଂଘର ନୂଆଖାଇ ଭେଟଘାଟ ଉଲିକୁପା ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଚି । ବ୍ଲକ ଆଦିବାସୀ ସଂଘର ସଭାପତି ତଥା ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆଦିବାସୀ ସଭ୍ୟତା ଓ ସଂସ୍କୃତି ବହୁ ପ୍ରାଚୀନ । ଏଥିରେ ବହୁତ ଶିକ୍ଷଣୀୟ ବିଷୟ ରହିଛି ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ଜିଲ୍ଲା ସମ୍ପାଦକ ଲକ୍ଷ୍ମଣ ଭୋଇ, ସାଗର ମାଝୀ, ଦେବରାଜ ମାଝୀ, ପଦ୍ମନ ପାତ୍ର, ଶବର ସମାଜର ଜିଲ୍ଲା ସଭାପତି ଧନୁର୍ଯ୍ୟ ଶବର, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ଜିଲ୍ଲା ଆଦିସ୍କନ୍ଦ ସମାଜ ସଭାପତି ରାଜେନ୍ଦ୍ର ଭୋଇ, ଯୁବ ଗବେଷକ ଅଜିତ ଭୋଇ, କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ପୂର୍ବତନ ନର୍ଲା ଆଦିବାସୀ ସଂଘ ସଭାପତି ରଣଜିତ ମାଝୀ,
ଯୁବ ସଂଗଠକ କ୍ଷୀତିଶ ଚନ୍ଦ୍ର ମାଝୀ, ନର୍ଲା ବ୍ଲକ ଉପସଭାପତି ବୀରକିଶୋର ମାଝୀ, ଚନ୍ଦ୍ରଶେଖର ଶବର, ଜିଲ୍ଲା ମୁଣ୍ଡା ସମାଜ ସଭାପତି ଫକୀର ମୁଣ୍ଡା, ଉଲିକୁପା ସରପଞ୍ଚ ଦୀପାଞ୍ଜଳୀ ଶବରଙ୍କ ସମେତ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକର ଆଦିବାସୀ ସଂଘ ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତାମାନେ ମଞ୍ଚାସୀନ ରହି ମହାନ ଗଣପର୍ବ ନୂଆଖାଇର ତତ୍ତ୍ବଦର୍ଶନ ସହ ଆଦିବାସୀ ସଂସ୍କୃତିର ମହନୀୟତା ଉପରେ ଆଲୋକପାତ କରିଥିଲେ ।
ପ୍ରଥମେ ଗାଁ ଧରଣୀ ପୀଠରେ ପୂଜାର୍ଚ୍ଚନା କରି ସେଠାରୁ ଏକ ବିଶାଳ ଶୋଭା ଯାତ୍ରା ବାହାରି ସମସ୍ତେ ବଜାର ପଡିଆ ସ୍ଥିତ ସଭା ସ୍ଥଳୀକୁ ଯାଇଥିଲେ । ସେଠାରେ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନୂଆ ଚୁଡା ଏବଂ ପିଠାରେ ପ୍ରସ୍ତୁତ ଭୋଗକୁ କୁରେଇ ପତ୍ରରେ ସମସ୍ତ ଅତିଥି ଓ ଉପସ୍ଥିତ ଜନତା ଭକ୍ଷଣ କରି ନୂଆଖାଇ ଜୁହାର ଭେଟ ହୋଇଥିଲେ ।
ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଭାବରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲର ମହିଳା ମାନଙ୍କ ଦ୍ୱାରା ଆଦିବାସୀ କନ୍ଧ ସଂସ୍କୃତିର ମହାନ ବିଭବ ‘ଢାବ୍’ ନୃତ୍ୟ ପରିବେଶିତ ହୋଇଥିଲା । ସରିଆଁ ଗ୍ରାମର ଦୁଲଦୁଲି ବାଦ୍ୟ, ଉଲିକୁପା ଗୋପୀନାଥ ଶବରଙ୍କ ଓଡିଶୀ ନୃତ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା । କେସିଙ୍ଗାର ଶଶିକାନ୍ତ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ୍ ସମ୍ପାଦକ ମାୟାଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ନର୍ଲା ବ୍ଲକର ପ୍ରାୟ ପ୍ରତ୍ୟେକ ଗ୍ରାମରୁ ଆଦିବାସୀ ସମାଜର ପୁରୁଷ ଓ ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।