ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନୂତନ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଭବାନୀପାଟଣା ଅମଲା ଭବନଠାରେ ଆଜି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଯାଦବ ମହାସଭାର ଉପସଭାପତି ସକିତ ରତେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ରାଜୁ ଘିଭେଲା, ପ୍ରଭାରୀ କିର୍ତ୍ତନ ନାଏକ, ଉତ୍କଳ ଯାଦବ ମହାସଭା ଉପସଭାନେତ୍ରୀ ଶୁଭଲକ୍ଷ୍ମୀ ନାଏକ, ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗ ପ୍ରମୁଖ ସଞ୍ଚାସୀନ ରହି ଜିଲ୍ଲା ଯାଦବ ମହାସଭାର ସାଙ୍ଗଠନିକ ଦିଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସଂପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ଗୋବିନ୍ଦ ବନଛୋର, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ନରେନ୍ଦ୍ର ବାଗ, ଅରୁପାନନ୍ଦ ନାଗ ଓ ଦୁଲ୍ଲଭ ମାହାରଙ୍କ ସହ ବ୍ଲକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ନୃପରାଜ ଯାଦବଙ୍କୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନୂତନ ସଭାପତି ଭାବେ ଚୟନ କରାଯାଇଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ରାଜୁ ଘିଭେଲା ଘୋଷଣା କରିଥିଲେ । ବୈଠକରେ ଅହୀର ରେଜିମେଣ୍ଟ ସ୍ଥାପନ, ଅଖିଳ ଭାରତବର୍ଷୀୟ ଯାଦବ ମହାସଭାର ଶତ ବାର୍ଷିକୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ସହ ଜାତି ଆଧାରିତ ଜନଗଣନା ଉପରେ ଆଲୋଚନା ହୋଇଥିଲା । ଶେଷରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସହସମ୍ପାଦକ କିର୍ତ୍ତିଚନ୍ଦ୍ର ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ ।