ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବନ୍ଧଗୁଡ଼ା ଗାଁରେ ଜଣେ ବିବାହିତ ମହିଳା ଗଛରେ ନିଜ ଶାଢ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବନ୍ଧଗୁଡ଼ା ଗାଁର ରାଶି ମାଝୀଙ୍କ ଦ୍ବିତୀୟ ପତ୍ନୀ ରତନୀ ମାଝୀ ବେକରେ ନିଜର ପିନ୍ଧା ଶାଢ଼ି ଦେଇ ଆତ୍ମହତ୍ୟା କରିଥିବା ନେଇ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ତତ୍ତ୍ବାବଧାନରେ ଏସଆଇ ବିଳାସିନୀ ଭୋଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ । ଏହା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।
ସୂଚନାଯୋଗ୍ୟ, ଉଭୟ ରାଶି ମାଝୀ ଓ ମୃତ ରତନୀ ପୂର୍ବରୁ ଅଲଗା ଅଲଗା ବାହା ହୋଇଥିଲେ । ତେବେ ରାଶି, ରତନୀଙ୍କୁ ଦ୍ବିତୀୟ ବିବାହ କରିଥିବାବେଳେ ଆଜି କୌଣସି କାରଣରୁ ରତନୀ ବେକରେ ପିନ୍ଧା ଶାଢ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏ ନେଇ ଲାଞ୍ଜିଗଡ଼ ଥାନାରେ ୟୁଡି କେସ୍ ନଂ ୦୭/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି ।