ବଜ୍ରାଘାତରେ ୩ ଛାତ୍ର ଆହତ 

ଗାଁରେ ନେଟୱର୍କ ନଥିବାରୁ ମୋବାଇଲ ଧରି ପାହାଡ଼ ଉପରକୁ ଯାଇଥିଲେ ପଢ଼ିବାକୁ ପାଠ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁରେ ମୋବାଇଲ ନେଟଓ୍ୱାର୍କ ନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର । ସେଠାରେ ସେମାନେ ବଜ୍ରାଘାତର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୩ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପସରା ଗ୍ରାମ ପଞ୍ଚାୟତର ମୁଣ୍ଡାଗାଁରେ । ଆହତମାନେ ହେଲେ +୨ ଛାତ୍ର ଧିରେନ ଦିଗାଲ, ଦଶମ ଶ୍ରେଣୀର ଛାତ୍ର ପିଙ୍କୁ ମଲ୍ଲିକ ଓ ଅଷ୍ଟମ ଶ୍ରେଣୀର ଛାତ୍ର ପଞ୍ଚା ବେହେରା । ଗାଁରେ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବା ପାଇଁ ସେମାନେ ଗାଁ ନିକଟରେ ଥିବା ଡିଗୀସରୁ ପାହାଡ଼କୁ ଯାଇଥିଲେ । ପାହାଡ଼ ଉପରେ ଥିବା ସମୟରେ ଘନ ଘନ ବଜ୍ରାଘାତ ହେବା ସହିତ ବର୍ଷା ହୋଇଥିଲା । ଛାତ୍ରମାନେ କୌଣସି ଉପାୟରେ ପାହାଡ଼ ତଳକୁ ଆସିପାରି ନଥିଲେ । ଘନଘନ ବଜ୍ରାଘାତରେ ୩ଜଣ ଛାତ୍ର ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ପିଲାମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ମିଶି ପାହାଡ଼ ଉପରକୁ ଯାଇ ପିଲାମାନଙ୍କୁ ଖୋଜାଖୋଜି କରିଥିଲେ । ସେଠାରେ ୩ଜଣ ଛାତ୍ର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ । ପରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣପାଦ ମେଡିକାଲରେ ଭର୍ତ୍ତି କରିଥିଲେ ।  ଧିରେନ ଦିଗାଲ ନାମଙ୍କ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ, ମୁଣ୍ଡାଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନାହିଁ । ଫଳରେ  ଛାତ୍ରଛାତ୍ରୀଠାରୁ ଆରମ୍ଭ  କରି ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।  ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ପାହାଡ଼ ଉପରକୁ ଯାଉଥିବା ବେଳେ ଗ୍ରାମବାସୀ ମଧ୍ୟ ଫୋନ୍ କରିବାକୁ ହେଲେ ପାହାଡ଼ ଉପରକୁ ଯାଇଥାନ୍ତି । ଗାଁରେ ମୋବାଇଲ ଟାୱାର ବସିଛି ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଯାହାଫଳରେ ଛାତ୍ରଛାତ୍ରୀଙ୍କ  ଠାରୁ ଗ୍ରାମବାସୀ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ନେଟଓ୍ୱାର୍କ ପାଇଁ ପାହାଡ଼କୁ ଯାଇଥାନ୍ତି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ  ଦୃଷ୍ଟି ଦେଇ ଅକ୍ଷମ ଥିବା ମୋବାଇଲ ଟାୱାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.