ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାଙ୍କୁ ଦୁର୍ବ୍ୟବହାର, ଅଭିଯୋଗ ପରେ ବି ପ୍ରଶାସନ ଚୁପ୍

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ଏବଂ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଛି। ଏନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ଆମ୍ ଆଦମୀ ପାର୍ଟିର ବରିଷ୍ଠ ସଦସ୍ଯ ଲକ୍ଷ୍ମୀନାରାୟଣ ପଣ୍ଡା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଷ ଅର୍ଥୋପେଡିକ୍ ୱାର୍ଡ୍ ବେଡ୍ ନଂ ୩୧ରେ ଗତ ସେପ୍ଟେମ୍ବର ମାସ ୨୦ତାରିଖରୁ ଚିକିତ୍ସିତ ହେଉଥିବା ଜୟପାଟଣାର ଚନ୍ଦନ ରାଉତଙ୍କ ସ୍ତ୍ରୀ ରଞ୍ଜିତା ରାଉତଙ୍କୁ କିଛି ନିଶାସକ୍ତ ଅସାମାଜିକ ବ୍ୟକ୍ତି ମାନସିକ ଓ ଶାରିରୀକ ସ୍ତରରେ ଦୁର୍ବ୍ୟବହାର କରିଥିଲେ। ଏନେଇ ଆମ୍ ଆଦମୀ ପାର୍ଟି କଳାହାଣ୍ଡିରର ସଦସ୍ଯମାନଙ୍କ ସହ ଯାଇ ଜିଲ୍ଲା ମେଡିକାଲ ମ୍ୟାନେଜରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ସେହି ୱାର୍ଡରୁ ଅସାମାଜିକ ବ୍ୟକ୍ତିମାନେ ଜଣକର ମୋବାଇଲ ଚୋରି ଏବଂ ଅନ୍ୟଜଣେ ବ୍ଯକ୍ତି ଉପରେ ଗରମ ଚାହା ଢାଳିଥିବା ମଧ୍ୟ ଅଭିଯୋଗ ଆସିଛି। ୱାର୍ଡରେ ସମସ୍ତ ରୋଗୀ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି। ଗତକାଲି ରାତିରେ ପୁଣିଥରେ ସେମାନେ ଆସି ଅଶ୍ଳୀଳ ଇଙ୍ଗିତ କରିବାରୁ ରଞ୍ଜିତା ଭୟରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ସଦସ୍ଯ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କୁ ଫୋନ କରି ସାହାଯ୍ୟ ମାଗିଥିଲେ। ଶ୍ରୀ ପଣ୍ଡା ଓ ଦୁର୍ଯ୍ୟନ ବାଗ ସେଠାରେ ପହଞ୍ଚି ସିକ୍ୟୁରିଟି ଗାର୍ଡମାନଙ୍କୁ କହିବାରୁ ଆମର ସେହି ୱାର୍ଡରେ ଡ୍ୟୁଟି ନାହିଁ କହି ଚୁପ୍ ରହିଥିଲେ। ତାପରେ ହସ୍ପିଟାଲରେ ଥିବା ଫାଣ୍ଡିରେ ଜଣେଇଲା ପରେ ଡ୍ୟୁଟିରେ ଥିବା ବ୍ଯକ୍ତି କହିଲେ, ମୁଁ ନୂଆ ଆସିଛି ଏବଂ ଏକୁଟିଆ କଣ କରିପାରିବି? ତାପରେ ଫୋନ୍ ମାଧ୍ୟମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କଲାପରେ କହିଲେ ଥାନାରେ ଅଭିଯୋଗ କରିବା ପାଇଁ। ତାପରେ ଫୋନରେ ଟାଉନ୍ ଥାନା ଅଧିକାରୀଙ୍କୁ ଜଣାଇଲା ପରେ ୧୧୨କୁ ଜଣେଇବା ପାଇଁ କହିଲେ। ହସ୍ପିଟାଲ ଏଡିଏମଓଙ୍କୁ ସାକ୍ଷାତ କରି ଅଭିଯୋଗ କଲେ ବି କୌଣସି ସୁଫଳ ମିଳିଲା ନାହିଁ। ତେଣୁ ହସ୍ପିଟାଲକୁ ସମସ୍ତ ରୋଗୀ ଅସୁରକ୍ଷିତ ଅବସ୍ଥାରେ ଥିବା ଏବଂ ଅସାମାଜିକ ଲୋକଙ୍କ କବଳରେ ହସ୍ପିଟାଲ ଥିବା ଲକ୍ଷ୍ମୀନାରାୟଣ ପଣ୍ଡା ଅଭିଯୋଗ କରିଛନ୍ତି। ଆଜି ଆମ୍ ଆଦମୀ ପାର୍ଟି କଳାହାଣ୍ଡିର ଲକ୍ଷ୍ମୀନାରାୟଣ ପଣ୍ଡା, ସୁରେଶ ସଂଗ୍ରାମ, ଦୁର୍ଯ୍ଯନ ବାଗ, ପ୍ରଫୁଲ୍ଲ କର, ରାଜକିଶୋର ପତି, କବିତା ରାଉତ, ନମିତା ବାଗ, ଜଗନ୍ନାଥ ପୁଟେଲ ଓ ଶିବାନୀ ଶଙ୍କର ଭୋଇ ପୀଡିତାଙ୍କ ସହ ଯାଇ ଦୋଷୀମାନଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.