ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନାକୁ ନୂତନ ଭାବରେ ଆସିଥିବା ଆଇଆଇସି ଗଙ୍ଗାଧର ମେହେର ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସୂଚନା ରହିଛି । ପ୍ରତି ସୋମବାର ବାଲିପଡା ଗୋରୁ ବଜାର ପାଇଁ ନର୍ଲା ରାଜ ରାସ୍ତାରେ ପୂର୍ବାହ୍ନ ୯ ଘଣ୍ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ହେଉଥିବା ଗୋରୁ ଟ୍ରାଫିକ ସମସ୍ୟାକୁ ସମାଧାନ କରିବା ପାଇଁ ସୋମବାର ବାଲିପଡା ଗୋରୁ ବଜାରକୁ ଯାଇ ଗୋରୁ ମାର୍କେଟ ପରିଚାଳନା କରି ଆସୁଥିବା ଆରଏମସି କର୍ମଚାରୀ ଓ ଗୋରୁ ବ୍ୟବସାୟୀ ମାନଙ୍କୁ ତାଗିଦ କରିଥିଲେ ଯେ, ବ୍ୟବସାୟୀ ମାନେ ଗୋରୁ କିଣିଲେ ମଧ୍ୟ ଦିନବେଳେ ମୁଖ୍ୟ ରାସ୍ତାରେ ଗୋରୁପଲ ନେଇପାରିବେ ନାହିଁ । ଗୋରୁ ସବୁଙ୍କୁ ବଜାର ନିକଟସ୍ଥ ପଡ଼ିଆରେ ରଖି ରାତି ୮ ଟା ପରେ ଗୋରୁ ନେଇକି ଯିବେ । ନତୁବା ଗୋରୁପଲ ମୁନିଗୁଡା ନେବାପାଇଁ ବିକଳ୍ପ ରାସ୍ତା ଦେଖନ୍ତୁ ବୋଲି କହିବା ସହିତ ଯଦି ଏହାର ଖିଲାପ କରାଯାଏ ତାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ଭାନପୁର ଗ୍ରାମ ପଞ୍ଚାୟତର ବାଲିପଡା ଏକ ବଡ ଗୋରୁ ମାର୍କେଟ । ଏହା ଆଜିକାର ମାର୍କେଟ ନୁହଁ । ଦୀର୍ଘ ୩୦ ବର୍ଷ ଧରି ଆରଏମସି ତରଫରୁ ପ୍ରତି ସୋମବାର ଦିନ ଚାଲି ଆସୁଛି ସାପ୍ତାହିକ ଗୋରୁ ବଜାର । ରାୟଗଡା ଓ ମୁନିଗୁଡାର ବ୍ୟବସାୟୀ ମାନେ ହଜାର ହଜାର ସଂଖ୍ୟାରେ ଗୋରୁ କିଣି ଭୁବନେଶ୍ୱର – ଭବାନୀପାଟଣା ମୁଖ୍ୟ ରାଜରାସ୍ତା ଦେଇ ନର୍ଲାରୋଡ଼ ପଟୁ ଗୋରୁ ମାନଙ୍କୁ ଚଲେଇ ଚଲେଇ ନେଇଯାଇଥାନ୍ତି ରାୟଗଡା । ବାଲିପଡାରୁ ନର୍ଲା ୧୦ କି.ମି ରାସ୍ତା ପ୍ରତି ସୋମବାର ଦିନ ହଜାର ହଜାର ସଂଖ୍ୟାରେ ଗୋରୁପଲଙ୍କୁ ରାସ୍ତା କଭର କରି ନିଆଯାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ଗାଡି, ମୋଟର, ବାଇକ ସବୁ ରାସ୍ତାରେ ଯିବା ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଦିନ ୧୦ ରୁ ଅପରାହ୍ନ ୨ ଟା ଯାଏଁ ଗୋରୁପଲ ଭିଡ ଯୋଗୁଁ ଏଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ଛାତ୍ର ଛାତ୍ରୀ ଓ ସ୍କୁଟି ଯୋଗେ ଯାଉଥିବା କର୍ମଜୀବୀ ମହିଳାମାନେ ଗୋରୁ ଟ୍ରାଫିକ ସମସ୍ୟା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ ସୋମବାର ଭାନପୁର ଗ୍ରାମ ପଞ୍ଚାୟତ ବଫଲାର ଜଣେ ବାଇକ ଆରୋହୀ ଗୋରୁ ପଲ ଟ୍ରାଫିକ ଯୋଗୁଁ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ହୋଇ ପଡ଼ିଥିବା ଜଣାପଡିଛି । ବାରମ୍ବାର ପ୍ରଶାସନକୁ ଏନେଇ ସ୍ଥାନୀୟ ଲୋକେ ଜଣାଇଲେ ମଧ୍ୟ କୌଣସୀ ସୁଫଳ ମିଳୁନାହିଁ । ଏସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ତତ୍କାଳୀନ ଭାରପ୍ରାପ୍ତ ନର୍ଲା ଥାନାଧିକାରୀ ଡିଏସପି ସମ୍ବିତ ମାଝୀଙ୍କୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନର୍ଲା ପ୍ରତିନିଧି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ, ନର୍ଲା ନାଏବ ସରପଞ୍ଚ ଲମ୍ବୋଦର ପୋଢ଼, ଯୁବ କଂଗ୍ରେସ ନର୍ଲା ସଭାପତି ଦୀପୁ ପାତ୍ର, ସାମ୍ବାଦିକ ଲିଙ୍ଗରାଜ ମିଶ୍ର ଓ ରଞ୍ଜନ କୁମାର ମହାନ୍ତି ଏବଂ ନର୍ଲା ଜନସାଧାରଣ ଓ ଯୁବ ଗୋଷ୍ଠୀ ଡିଏସପି ଶ୍ରୀ ମାଝୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରି ନର୍ଲା ରାଜରାସ୍ତାରେ ଗୋରୁ ଟ୍ରାଫିକ୍ ସମସ୍ୟା ସମାଧାନ ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ହେଲେ ତାହା ମଧ୍ୟ ଫଳପ୍ରଦ ହୋଇନଥିଲା । ନର୍ଲା ରାଜ ରାସ୍ତାରେ ଗୋରୁ ଟ୍ରାଫିକ ସମସ୍ୟାକୁ ନେଇ ଏହା ଥରୁଟିଏ ନୁହଁ । ଏଭଳି ବିଭିନ୍ନ ସଂଗଠନ ତରଫରୁ ଅନେକ ଥର ନର୍ଲା ଥାନାରେ ଓ ଉପ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ଫଳ ଶୂନ୍ୟ ରହିଥିଲା । ହେଲେ ବର୍ତ୍ତମାନର ଯୁବ ଆଇଆଇସି ଶ୍ରୀ ମେହେରଙ୍କ ସୋମବାର ନର୍ଲା ରାଜ ରାସ୍ତାରେ ଗୋରୁପଲ ଟ୍ରାଫିକ ସମସ୍ୟାକୁ ନେଇ ଏତାଦୃଶା ଯୁଗାନ୍ତକାରୀ ପଦକ୍ଷେପକୁ ନର୍ଲାର ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯିବା ସହିତ ଥାନାଧିକାରୀ ଶ୍ରୀ ମେହେରଙ୍କୁ ଏଥିପାଇଁ ସାଧୁବାଦ ଜ୍ଞାପନ କରାଯାଇଛି । ହେଲେ ଦୀର୍ଘ ଦିନରୁ ଦାଦାଗିରି କରି ନର୍ଲାରେ ଗୋରୁ ବ୍ୟବସାୟ ଚଳେଇ ଆସୁଥିବା ଗୋରୁ ମାଫିଆ ମାନେ ନର୍ଲା ଯୁବ ଥାନାଧିକାରୀଙ୍କ ଏଭଳି ନିଷ୍ପତ୍ତିକୁ ମାନିବେ ତ ?? ପ୍ରକୃତରେ ନର୍ଲା ରାଜରାସ୍ତାରେ ଗୋରୁ ପଲ ଟ୍ରାଫିକ ସମସ୍ୟା ହଟିବ ତ ? ଏହାକୁ ନେଇ ଅଞ୍ଚଳବାସୀ ଜନସାଧାରଣ ସହଜେ ବିଶ୍ବାସ କରିପାରୁନଥିବା ବେଳେ ପ୍ରଶ୍ନ କରିଛନ୍ତି ସତରେ ନର୍ଲା ଆଇଆଇସି ନର୍ଲା ରାଜ ରାସ୍ତାରେ ଗୋରୁ ଟ୍ରାଫିକ ଜନିତ ସମସ୍ୟାର ସମାଧାନ କରିପାରିବେତ ?? ହେଲେ ଦେଖାଯାଉ କୋଉ ସୋମବାରରୁ ଅଞ୍ଚଳ ବାସୀଙ୍କ ପାଇଁ ସେ ସୁଦିନ ଆସିବ ? ଆଉ ନର୍ଲା ରାଜରାସ୍ତାରେ ଗମନା ଗମନ କରୁଥିବା ଗାଡି ଚାଳକ ଓ ସାଧାରଣ ଲୋକେ ଆଶ୍ବସ୍ଥି ଲଭିବେ ।