ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡାଗାଁ ଗ୍ରାମପଞ୍ଚାୟତର କାଶିଗୁଡ଼ା ଓ ସୋରଦେହେଡ଼ା ଗାଁକୁ ପୋଖରୀବନ୍ଧ ପଞ୍ଚାୟତର ଇରକୁଲି ଗାଁକୁ ସ୍ଥାନାନ୍ତର ଏବଂ ପୂର୍ବପୁରୁଷ ଅକ୍ତିଆର କରିଥିବା ସରକାରୀ ଜମିରେ ଥଇଥାନ କରିବାକୁ ଦାବି କରି ୪୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଆଜି ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ଉଭୟ ଗ୍ରାମବାସୀ ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କୁ ସାକ୍ଷାତ କରି ନିଜର ଦାବି ଜଣାଇଥିବା ଜଣାପଡ଼ିଛି । ଗ୍ରାମବାସୀ ବିଶ୍ବନାଥପୁର ରେଞ୍ଜର ନରୋତ୍ତମ ମାଝୀଙ୍କୁ ମଧ୍ୟ ସାକ୍ଷାତ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଏହି ଦୁଇଟି ଗ୍ରାମରେ ୧୪ଟି ଆଦିବାସୀ ଜନଜାତି ପରିବାର ବସବାସ କରୁଛନ୍ତି । ଦୀର୍ଘ ବର୍ଷ ହେଲା ପାହାଡ଼ ଉପରେ ରହି ଆସୁଛନ୍ତି ହେଲେ ଗାଁକୁ ନା ରାସ୍ତା, ନା ପାଣି, ନା ବିଜୁଳି କୌଣସି ମୌଳିକ ସୁବିଧା ମିଳି ପାରିନାହିଁ । ସେହିପରି ଗତ କିଛି ବର୍ଷ ହେଲା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଯୋଗୁଁ ଉଭୟ ଗାଁର ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଘରଦ୍ବାର, ଆସବାବପତ୍ର, ଧାନଚାଉଳ, ଟଙ୍କାପଇସା ସବୁକୁ ନଷ୍ଟ କରିଦେଉଛନ୍ତି ହାତୀପଲ । ଏଥିଯୋଗୁଁ ସେମାନେ ଗାଁରେ ରହିବା ମୁସ୍କିଲ ହୋଇପଡ଼ିଛି । ସେମାନେ ଜୀବନ ଜୀବିକା ନିର୍ବାହ କରିବା ମଧ୍ୟ ଦୁର୍ବିସହ ହୋଇପଡ଼ିଛି । ଏପରିକି ଉଭୟ ଗାଁର ଲୋକେ ପିଡିଏସ୍ ଠାରୁ ଅନେକ କାର୍ଯ୍ୟ ପାଇଁ ପୋଖରୀବନ୍ଧ ପଞ୍ଚାୟତ ଉପରେ ନିର୍ଭରଶୀଳ । ଏଣୁ ସେମାନଙ୍କ ପୂର୍ବପୁରୁଷ ଜଙ୍ଗଲ କାଟି ପଦର ବସାଇଥିବା ଇରକୁଲିଠାରେ ଥିବା ସରକାରୀ ଜମିରେ ସରକାର ଓ ପ୍ରଶାସନ ପକ୍ଷରୁ ଥଇଥାନ କରିବାକୁ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ଆହୁରି ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମରୁ ଅତି ଦୁର୍ଗମ ଗାଁଗୁଡ଼ିକୁ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ଅଣ୍ଟା ଭିଡ଼ିଥିବାବେଳେ ଦିଆଲବାହାଲି ଆବାସନଗର ଓ ବିକାଶନଗର ସ୍ଥାପନ ଦ୍ବାରା ଆଦିବାସୀଙ୍କୁ ଥଇଥାନ କରୁଥିବା କାର୍ଯ୍ୟରେ ପ୍ରଭାବିତ ହୋଇ ଉଭୟ ଗ୍ରାମବାସୀ ଦାବି କରିଥିବା ଜଣାପଡ଼ିଛି । ତେବେ ପ୍ରଶାସନ ଏ ଦିଗରେ କି ପଦକ୍ଷେପ ନେବ ଦେଖିବାକୁ ବାକି ରହିଲା ।