ଶ୍ରୀମନ୍ଦିର ଭିତରେ ପୁଣିଥରେ ହବିଷିଆଳିଙ୍କୁ ଆକ୍ରମଣ

ଓଡ଼ିଆ ବାର୍ତ୍ତା/ ପୁରୀ: ଧର୍ମ ମାସ କାର୍ତ୍ତିକରେ ହବିଷିଆଳିଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଉଥିବା ବେଳେ ପ୍ରଶାସନିକ ସ୍ତରରେ ଏହାର ଠିକ୍‌ ପ୍ରତିଫଳନ ହୋଇ ପାରୁନାହିଁ । କ୍ରମାଗତ ଦ୍ୱିତୀୟ ଦିନରେ ହବିଷିଆଳିଙ୍କ ଉପରକୁ ଆକ୍ରମଣ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ପ୍ରଶାସନ ହବିଷିଆଳିଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି ।

ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର କୁମ୍ଭାରପଡ଼ା ସାହିର ୭୩ ବର୍ଷୀୟା ଶୈଳବାଳା ପଣ୍ଡାଙ୍କୁ ଶ୍ରୀମନ୍ଦିର ପୋଲିସ ଓ ସେବାୟତ ମିଳିତ ଭାବେ ଦୁର୍ବ୍ୟବହାର କରିବା ସହ ଧକ୍କା ମାରିଛନ୍ତି । ପୋଲିସ ଓ ସେବାୟତଙ୍କ ଏଭଳି କାର୍ଯ୍ୟକୁ ଶୈଳବାଳା ବିରୋଧ କରିବା ଫଳରେ ତାଙ୍କୁ ମାଗଣାଖିଆ ବୋଲି କୁହାଯାଇଛି । ସେବାୟତ ଓ ପୋଲିସମାନେ ହବିଷିଆଳିଙ୍କୁ ବାରମ୍ବାର ମାଗଣାଖିଆ ବୋଲି କହିବା ଫଳରେ ହବିଷିଆଳିମାନେ ଅପମାନିତ ହେଉଛନ୍ତି । ସରକାରୀ ସୁବିଧା ସୁଯୋଗ ଲାଭ ଉଠାଇଲେ କେହି ମାଗଣାଖିଆ ହୋଇଯାଆନ୍ତି ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସୁବିଧା ସୁଯୋଗ ଆମ ପାଇଁ ଆଣିଛନ୍ତି ତାହାର ଲାଭ ଆମେ ଉଠାଉଛୁ । ଏଥିରେ ଆମର ଭୁଲ କ’ଣ ଓ ଆମକୁ କାହିଁକି ଏଭଳି ଅପମାନିତ କରାଯାଉଛି ବୋଲି ଦୁର୍ବ୍ୟବହାରର ଶିକାର ହୋଇଥିବା ଶୈଳବାଳା ପଣ୍ଡା କହିଛନ୍ତି ।

ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କୁ ସେବାୟତଙ୍କ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଶ୍ରୀମନ୍ଦିର ଭିତରେ ପୁଣିଥରେ ଜଣେ ହବିଷିଆଳିଙ୍କୁ ଆକ୍ରମଣ କରାଯାଇଛି । ଫଳରେ ହବିଷିଆଳିଙ୍କ ପ୍ରତି ଥିବା ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି ।

ଶୈଳବାଳା ବୃନ୍ଦାବତୀ ନିବାସର ୩ୟ ମହଲାର ୩୦୨ ନମ୍ବର ରୁମରେ ରୁହନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଶ୍ରୀମନ୍ଦିର ଭିତରେ ତାଙ୍କୁ ଦର୍ଶନ କରିବାକୁ ଡକାଗଲା । ଶ୍ରୀମନ୍ଦିର ପୋଲିସ ରୋକିବା ଫଳରେ ସେ ନାଟ ମଣ୍ଡପରେ ଠିଆ ହୋଇ ରହିଲେ । ଏହାସତ୍ତ୍ୱେ ମଧ୍ୟ ତାଙ୍କୁ ଉପହାସ କରି ମାଗଣାଖିଆ ବୋଲି ପୋଲିସ କର୍ମଚାରୀ କହିଥିଲେ । ଏହାପରେ ଗହଳିରେ ସାମାନ୍ୟ ଆଗପଛ ହେବା ହେତୁ ତାଙ୍କୁ ପୋଲିସ କର୍ମଚାରୀ ଧକ୍କା ମାରିଲେ । ସେ ତଳେ ପଡ଼ିଯିବାରୁ ଅଣ୍ଡା ଓ କହୁଣିରେ ଆଘାତ ଲାଗିଛି । ନିକଟରେ ଥିବା ସେବାୟତ ମଧ୍ୟ ଅସଭ୍ୟ ଭାଷାରେ ଥଟ୍ଟାମଜା କରିଥିଲେ । ସେହିଭଳି ତାଙ୍କ ସାଥିରେ ଥିବା ସ୍ବେଚ୍ଛାସେବୀ ପୋଲିସଙ୍କ ଏଭଳି ବ୍ୟବହାରକୁ ବିରୋଧ କରିବା ପରେ ତାଙ୍କୁ ମଧ୍ୟ ପୋଲିସ ଗାଳିଗୁଲଜ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.