ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର : ମଦ ରନ୍ଧା ବନ୍ଦ କରିବା ପାଇଁ କହିବାରୁ ହତ୍ୟା କରିଥିଲା ସ୍ୱାମୀ

କନ୍ଧମାଳ/ ଓଡ଼ିଆ ବାର୍ତ୍ତା (ସଞ୍ଜୟ କୁମାର ପାଣିଗ୍ରାହୀ): ମଦ ରନ୍ଧା ବନ୍ଦ କରିବା ପାଇଁ ସ୍ୱାମୀକୁ କହିବାରୁ ସ୍ତ୍ରୀକୁ ଜୀବନରେ ମାରି ଜଙ୍ଗଲରେ ଫୋପାଡି ଦେଲେ ସ୍ୱାମୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ବୁଡାନପିପାଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । ଉକ୍ତ ଗ୍ରାମର ପ୍ରକାଶ ପ୍ରଧାନଙ୍କୁ କେର୍କେବାଡ଼ି ଗ୍ରାମର ସନାତନ ପ୍ରଧାନଙ୍କ ଭଉଣୀ ସୁମିତ୍ରା ପ୍ରଧାନ ୭ ବର୍ଷ ହେବ ବିବାହ କରିଥିଲେ । ବିବାହ ପରଠାରୁ ପ୍ରକାଶ ପ୍ରଧାନ ମଦ୍ୟପାନ କରି ସୁମିତ୍ରାଙ୍କୁ ମାଡ଼ ମାରିବା ସହ ଅତ୍ୟାଚାର କରୁଥିଲେ । ଏପରିକି ପ୍ରକାଶ ପ୍ରଧାନ ମଦ ମଧ୍ୟ ରାନ୍ଧୁଥିଲେ । ମଦ ରାନ୍ଧିବାକୁ ବିରୋଧ କରୁଥିଲେ ସ୍ତ୍ରୀ ସୁମିତ୍ରା । ଗତ ୩୦ ତାରିଖ ଦିନ ସୁମିତ୍ରା ସ୍ୱାମୀ ରାନ୍ଧୁଥିବା ମଦ ଭାଟିକୁ ଯାଇ ମଦ ଭାଟି ଭାଙ୍ଗିଦେଇଥିଲେ । ଏହାରି ଫଳରେ ସ୍ୱାମୀ, ସ୍ତ୍ରୀ ସୁମିତ୍ରା ସହ ଝଗଡା କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହା ପରଠାରୁ ସୁମିତ୍ରା ନିଖୋଜ ରହିଥିବା ଭାଇ ସନାତନ ଅଭିଯୋଗ କରିଛନ୍ତି । ଏନେଇ ସନାତନ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏପଟେ ଝିଅ ଘର ପରିବାର ଲୋକ ସମେତ ଗାଁ ଲୋକ ବୁଡାନପିପାଲି ଜଙ୍ଗଲରୁ ସୁମିତ୍ରାଙ୍କ ଗଳିତ ମୃତ ଦେହ ଦେଖି ଥାନା ଅଧିକାରୀ କୌଶିକ ମାଝୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଥାନା ଅଧିକାରୀ କୌଶିକ ମାଝୀ, ଏସଆଇ ଜିତେନ୍ଦ୍ର ବେହେରା, ଏଏସଆଇ ସୁବାସ ଚନ୍ଦ୍ର ବାଏକ ସହ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବ ଜବତ କରିବା ସହ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛନ୍ତି । ସ୍ୱାମୀ ପ୍ରକାଶ ପ୍ରଧାନ ସ୍ତ୍ରୀ ସୁମିତ୍ରାଙ୍କୁ ଜୀବନରୁ ମାରି ଘର ପଛ ପଟ ଜଙ୍ଗଲରେ ଫୋପାଡ଼ି ଦେଇଥିବା ସୁମିତ୍ରାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏ ନେଇ ଦାରିଙ୍ଗବାଡି ପୋଲିସ ତଦନ୍ତ ଅବ୍ୟାହତ ରଖିଥିବା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.