ଆଜି ବୁଢାରଜାଙ୍କ ପ୍ରସିଦ୍ଧ ଦଶରା ଯାତ୍ରା, ଚଳଚଞ୍ଚଳ ଆମପାଣି ଅଞ୍ଚଳ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ବ ପ୍ରସିଦ୍ଧ ଛତରଯାତ୍ରା ଶେଷ ହେବାପରେ ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଯାତ୍ରା କହିଲେ କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୁଜା ପାଉଥିବା ଆରଧ୍ୟ ଦେବତା ପ୍ରଭୂ ବୁଢାରଜା ଦେବଙ୍କ ‘ଦଶରା’ ଯାତ୍ରାକୁ ବୁଝାଏ । ଆଜି ହେଉଛି ସମସ୍ତ ଦେବାଦେବୀଙ୍କ ମଧ୍ୟରେ ଶ୍ରେଷ୍ଠ ବା ମାମୁଁ ବୁଢାରଜାଙ୍କ ଦଶରା ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଆମପାଣି ଅଞ୍ଚଳ । କୁମାର ପୂର୍ଣ୍ଣିମାର ପ୍ରଥମ ଶନିବାର ଦିନ ପ୍ରତିବର୍ଷ ବୁଢାରଜାଙ୍କ ଦଶରା ପର୍ବ ପାଲିତ ହୋଇଥାଏ । ଦିର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ବୁଢାରଜାଙ୍କ ଦଶରା ପର୍ବ ନିରାଡମ୍ବର ଭାବରେ ପାଳିତ ହୋଇଥିଲା । ତେବେ ଏବର୍ଷ ଆଉ କରୋନା ଭୟ ନଥିବାରୁ ଦଶରାକୁ ନେଇ ଆମପାଣି ଅଞ୍ଚଳବାସୀ ଖୁବ୍ ଉତ୍ସାହିତ ରହିଛନ୍ତି । ଏ ବର୍ଷ ଦଶରାକୁ ଆହୁରି ଆକର୍ଷଣ କରିବା ପାଇଁ ମିନା ବାଜାର ସହ ବିଭିନ୍ନ ରଙ୍ଗିନ ଆଲୋକମାଲା ଗୁଡିକ ଲଗାଯାଇଛି । ଶୁକ୍ରବାର ପୁଝାରୀଙ୍କ ଘରେ ଲାଠି ପୂଜନୋତ୍ସବ ସରିଥିବାବେଳେ ଆଜି (ଶନିବାର) ସକାଳ ୭ ରୁ ପୂଜା ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ବୁଢାରଜାଙ୍କ ଲାଠିଯାତ୍ରା ଆରମ୍ଭ ହେବ । ଲାଠି ତାଙ୍କ ପୀଠରେ ପହଞ୍ଚିଲା ପରେ ଅପରାହ୍ନ ୩ ଟାରେ ଲାଖବିନ୍ଧା କାର୍ଯ୍ୟକ୍ରମ ହୋବାର ସୂଚନା ରହିଛି । ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତି ୧୦ଟାରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହେବ । ପ୍ରତିବର୍ଷ ଦଶରା ପର୍ବ ଅବସରରେ ବୁଢ଼ାରଜା ପୂଜା କମିଟି ତରଫରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥାଏ । ଏ ବର୍ଷ ଜୟପାଟଣା ବ୍ଲକ ରସଡୁମେର ଗ୍ରାମର ନାଟ୍ୟକାର ତଥା ଘୁମୁରାଗୁରୁ ନିଲାଞ୍ଚଳ ଲେଞ୍ଜିଆ, ଜୁନାଗଡ଼ ବ୍ଳକ ମାଟିଗାଁ ଗ୍ରାମର ନାଟ୍ୟକାର ତଥା ଘୁମୁରାଗୁରୁ ଲବକାନ୍ତ ବାରିକ, ଭବାନୀପାଟଣା ବ୍ଳକ ଦୁଆରସୁନୀ ଗ୍ରାମର ଘୁମୁରା ଗୁରୁ କୈଳାସ ଚନ୍ଦ୍ର ନାଏକ ଓ ବରିଷ୍ଠ କଳାକାର ଭାବରେ ଧର୍ମଗଡ଼ ବ୍ଳକ ଗମ୍ଭାରୀଗୁଡା ଗ୍ରାମର ଶ୍ୟାମସୁନ୍ଦର ଜାଲ, କୋକସରା ବ୍ଲକ ଆମପାଣି ଗ୍ରାମର କ୍ଷୀରସିନ୍ଧୁ ପଟେଲ ଓ ମହେଶ୍ୱର ପୁଝାରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରସିଦ୍ଧ ବୁଢାରଜା ଠାକୁରଙ୍କ ଦଶରା ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ନବରଙ୍ଗପୁର, କୋରାପୁଟ, ନୂଆପଡା ଜିଲ୍ଲା ଓ ପଡୋସୀ ରାଜ୍ୟ ଛତିଶଗଡ, ଆନ୍ଧ୍ର ପ୍ରଦେଶରୁ ମଧ୍ୟ ବହୁ ସଂଖ୍ୟାରେ ଜନସମାଗମ ହୋଇଥାଏ । ବୁଢାରଜାଙ୍କ ମାନସିକଧାରୀ ମାନେ ପ୍ରଭୂଙ୍କ ପାଖରେ ଶୁକ୍ଲ ଭୋଗ ଓ ଅନ୍ୟ ପାର୍ଶ୍ୱ ଦେବା ଦେବୀଙ୍କୁ ରକ୍ତ ଭୋଗରେ ବୋଦା, କୁକୁଡା ଇତ୍ୟାଦି ଦେଇଥାନ୍ତି । ଚଳିତ ବର୍ଷ ଦଶରା ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଟକ ଓ ଘୁମୂରା ପ୍ରତିଯୋଗିତା ମୂଖ୍ୟ ଆକର୍ଷଣ ରହିଛି । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଳିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜଣେ ଡିଏସ୍‌ପି ଓ ଜଣେ ଥାନା ଅଧିକାରୀଙ୍କ ନେତୃତ୍ୱରେ ୫ଜଣ ସବ୍ ଇନିସପେକ୍ଟର, ୬ଜଣ ସହକାରୀ ସବ୍ ଇନିସପେକ୍ଟର, ୧୫ଜଣ ହୋମଗାର୍ଡ, ଦେଢ ପ୍ଳାଟୁନ ଫୋର୍ସ ସହ ଗୁପ୍ତ ସୂଚନା ପାଇଁ ସାଦା ପୋଷାକଧାରୀ ପୁଲିସ ମୂତୟନ ହେବା ନେଇ ସୂଚନା ମିଲିଛି । ଚଳିତ ବର୍ଷ ଦଶରା ପୂଜା କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରୀ, ଉପସଭାପତି ତିଲୋତ୍ତମା ନାଏକ, ସଂପାଦକ ନକୁଲ ବାଣୁଆ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ସଦସ୍ୟ ବିଘ୍ନେଶ୍ୱର ନାଏକ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ତ୍ରିନାଥ ପ୍ରସନ୍ନ ରାୟ, ନିତ୍ୟାନନ୍ଦ ମାଝୀ, ରୁତୁରାଜ ମାଝୀ ପ୍ରମୂଖ ଦାୟୀତ୍ୱ ତୁଳାଉଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.