ନୂଆଦିଲ୍ଲୀ: ଭୋକରେ ଭାରତ! ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ତଳକୁ ଖସିଲା ଭାରତର ସ୍ଥାନ । ଏଭଳି ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ନିଜର ଆଭିମୁଖ୍ୟ ରଖିଛି। କେନ୍ଦ୍ର ସରକାର ପାକିସ୍ତାନର ଉଦାହରଣ ଦେଇ କହିଛନ୍ତି କିଛି ଅନ୍ତର୍ଜାତୀୟ ସଂସ୍ଥା ଭାରତକୁ ବଦନାମ କରିବାକୁ ଏପରି ରିପୋର୍ଟ ପ୍ରଦାନ କରୁଛନ୍ତି।
ଭାରତ ଏପରି ଏକ କ୍ଷୁଧା ସୂଚକାଙ୍କ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି। ଦେଶର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଏହା ଏକ ପ୍ରୟାସ ବୋଲି ଭାରତ କହିଛି। ଶନିବାର ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଏକ ଦେଶ ଭାବରେ ଭାରତର ଭାବମୂର୍ତ୍ତିକୁ ଖରାପ କରିବାକୁ ନିରନ୍ତର ପ୍ରୟାସ ହେଉଛି। ଭୁଲ ସୂଚନା ଦେବା ହେଉଛି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ଏକ ଅଭ୍ୟାସ। ଯାହା ପ୍ରତିବର୍ଷ ପ୍ରକାଶ ପାଇଥାଏ। ସରକାରଙ୍କ ଅନୁଯାୟୀ, ଏହି ସୂଚକାଙ୍କରେ ତ୍ରୁଟି ରହିଛି। ରାଙ୍କିଙ୍ଗ୍ ପଦ୍ଧତି ଠିକ୍ ନୁହେଁ।
ସୂଚକାଙ୍କ ଗଣିବା ପାଇଁ ବ୍ୟବହୃତ ଚାରୋଟି ସୂଚକାଙ୍କ ମଧ୍ୟରୁ ତିନୋଟି ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଏବଂ ଏହାକୁ ସମଗ୍ର ଜନସଂଖ୍ୟାର ରିପୋର୍ଟ ଭାବରେ ବିବେଚନା କରାଯାଇପାରିବ ନାହିଁ ବୋଲି ସରକାର ବିବୃତ୍ତିରେ କହିଛନ୍ତି। ଏହା ବ୍ୟତୀତ, ଚତୁର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ସୂଚକ ଏକ ମତାମତ ସର୍ଭେ ଉପରେ ଆଧାରିତ, ୩୦୦୦ ଲୋକଙ୍କ ମତାମତ ଗ୍ରହଣ କରାଯାଇ ଏହି ରିପୋର୍ଟ ଜାରି କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୨ରେ ୧୨୧ ଦେଶ ମଧ୍ୟରେ ଭାରତ ୧୦୭ ତମ ସ୍ଥାନରେ ରହିଛି। ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ ଏବଂ ନେପାଳ ମଧ୍ୟ ଭାରତ ପଛରେ ରହିଛି। ଦକ୍ଷିଣ ଏସିଆର ଦେଶମାନଙ୍କ ମଧ୍ୟରେ ଆଫଗାନିସ୍ତାନ ପରେ ଭାରତର ଅବସ୍ଥା ସବୁଠାରୁ ଖରାପ ରହିଛି। ଯେତେବେଳେ ପାକିସ୍ତାନ, ଶ୍ରୀଲଙ୍କାର ଆର୍ଥିକ ସମସ୍ୟା ରହିଛି ଲୋକମାନେ ଦରଦାମ ବୃଦ୍ଧି ପାଇଁ ଅନେକ ଅଭାବ ଅନଟନରେ ରହୁଥିବା ଦେଖିବାକୁ ମିଳୁଛି ସେତେବେଳେ ଭାରତ ଅପେକ୍ଷା ପାକିସ୍ତାନ କ୍ଷୁଧା ସୂଚକାଙ୍କ ତାଲିକାରେ ଆଗରେ ରହିବା ଏହି ରିପୋର୍ଟ ଉପରେ ପ୍ରଶ୍ୱବାଚୀ ସୃଷ୍ଟି କରିଛି।
ଏହାପୂର୍ବରୁ ୨୦୨୦ ମସିହାରେ ଭାରତର ସ୍ଥାନ ୯୪ ତମ ସ୍ଥାନରେ ଥିଲା। ୨୦୨୧ରୋ ଏହା ପୁଣି ୧୦୧ ନମ୍ବର ସ୍ଥାନକୁ ଖସିଥିଲା।