କାର୍ଲାକଣା ଛାତ୍ରୀ ନିବାସରେ ଅନ୍ଧାରରେ ରହିଲେ ୯୬ଜଣ ଛାତ୍ରୀ

୨ମାସର ବିଲ୍ ପୈଠ ନ କରିବାରୁ ବିଭାଗୀୟ ଯନ୍ତ୍ରୀ କାଟିଦେଲେ ବିଦ୍ୟୁତ ସଂଯୋଗ

ଅଭିଯୋଗ ଦେବାକୁ ଜିଲ୍ଳାପାଳଙ୍କୁ ଭେଟିବାକୁ ରାତ୍ର ସମୟରେ ଆସିଲେ ଛାତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଛାତ୍ରୀ ନିବାସରୁ ବିଦ୍ୟୁତ୍ ସଂଯୋଗ କାଟି ଦେଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ । ଫଳରେ ଅନ୍ଧାରରେ ରହିଛନ୍ତି ୯୬ଜଣ ଅନ୍ତେବାସୀ ଛାତ୍ରୀ । ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପକୁ ଦାୟୀ କରି ଅନ୍ଧାରକୁ ଭୟ ନ କରି ଅଟୋରିକ୍ସା ଯୋଗେ ଦୀର୍ଘ ୧୨କିଲୋମିଟର ଦୂର ଜିଲ୍ଳା ସଦର ମହକୁମାକୁ ଆସି ଜିଲ୍ଳାପାଳଙ୍କ ଠାରେ ଅଭିଯୋଗ କରିବାକୁ ଆସିଥିଲେ ଅନ୍ତେବାସୀ ଛାତ୍ରୀମାନେ । ତେବେ ଜିଲ୍ଳାପାଳଙ୍କୁ ଭେଟିବା ସମ୍ଭବପର ହୋଇ ନ ଥିବା ବେଳେ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ପଂହଚି ଛାତ୍ରୀ ଓ ବିଦ୍ୟାଳୟ କର୍ତୁପକ୍ଷଙ୍କ ସହ ଆଲୋଚନା କରି ବିଭାଗୀୟ ଯନ୍ତ୍ରୀଙ୍କୁ ତାଗିଦ କରି ଯଥାଶୀଘ୍ର ହଷ୍ଟେଲରେ ବିଦ୍ୟୁତ ସଂଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ସଦର ବ୍ଳକ ଅଧିନସ୍ଥ କାର୍ଲାକଣା ଆଶ୍ରମ ବିଦ୍ୟାଳୟରେ । ଜିଲ୍ଳା ମଙ୍ଗଳ ଅଧିକାରୀ ଶ୍ରୀ ଶତପଥି ବିଦ୍ୟୁତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିକ୍ରମ କେଶରୀ ସାହୁଙ୍କୁ ଫୋନ ଯୋଗେ ଯୋଗାଯୋଗ ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଯଥାଶୀଘ୍ର ବିଦ୍ୟୁତ ସଂଯୋଗ କରିବାର ପ୍ରତିଶୃତି ଦେବା ପରେ ଛାତ୍ରୀ ଓ ବିଦ୍ୟାଳୟ କର୍ତୁପକ୍ଷମାନେ ଫେରିଥିଲେ ।


ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ ରାୟଗଡା ଜିଲ୍ଳା କଲ୍ୟାଣ ବିଭାଗର କାର୍ଲାକଣା ଆଶ୍ରମ ବିଦ୍ୟାଳୟର ଛାତ୍ରୀ ନିବାସରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ମଧ୍ୟରେ ୯୬ଜଣ ଅନ୍ତେବାସୀ ଛାତ୍ରୀ ରହୁଛନ୍ତି । ବିଦ୍ୟୁତ ସଂଯୋଗ କାଟି ଦେବା ଫଳରେ ସେମାନେ ଅନ୍ଧାରରେ ରହିବା ସହ ପାଠପଢାରୁ ବଂଚିତ ହୋଇଛନ୍ତି । ଏପରିକି ପାନୀୟ ଜଳ ସହ ନିତ୍ୟକର୍ମ ଭଳି ଅନ୍ୟାନ୍ୟ ଅସୁବିଧାକୁ ସମ୍ମୁଖୀନ ହୋଇଥାନ୍ତେ । ବିଶେଷ କରି ପରୀକ୍ଷା ଚାଲି ଥିବାରୁ ଛାତ୍ରୀମାନେ ରାତ୍ରରେ ପାଠପଢାରୁ ବଂଚିତ ହୋଇଥାନ୍ତେ । ଚଳିତ ମାସ ୨୮ତାରିଖରେ ବିଲ ପ୍ରଦାନ କରାଯାଇଥିବା ବେଳେ ମାତ୍ର ୨ଦିନ ଅପକ୍ଷୋ ନ କରି ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ସେହିପରି ବିଦ୍ୟୁତ୍ ବିଲ ବାବଦକୁ ଗତ ଅଗଷ୍ଟ ଓ ସେପ୍ଟେମ୍ବର ୨ମାସ ନିମନ୍ତେ ୨୨ହଜାର ଟଙ୍କା ବକେୟା ରହିଥିବାରୁ ସିକରପାଇ ସେକ୍ସନ କନିଷ୍ଠ ଯନ୍ତ୍ରୀ ବିକ୍ରମ କେଶରୀ ସାହୁ ନିଜ ଲାଇନମେନକୁ କହି ଛାତ୍ରୀ ନିବାସରୁ ସୋମବାର ସଂଧ୍ୟା ୫ଟା ସମୟରେ ବିଦ୍ୟୁତ୍ ସଂଯୋଗ କାଟି ଦେଇଥିଲେ ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସୁନା ସେଠୀ ପ୍ରକାଶ କରିଛନ୍ତି । ବିଦ୍ୟୁତ ସଂଯୋଗ କାଟି ଦେବାରୁ ଅନ୍ଧାରରେ ରହିବାକୁ ନେଇ ଭୟଭୀତ ଅନ୍ତେବାସୀ ଛାତ୍ରୀମାନେ ଜିଲ୍ଳାପାଳଙ୍କୁ ଏ ବାବଦରେ ଅଭିଯୋଗ ଜଣାଇବା ପାଇଁ ନିଷ୍ପତି ନେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେଠୀଙ୍କୁ ଅବଗତ କରାଇଲେ । ଛାତ୍ରୀମାନଙ୍କ ଦାବିକୁ ଶ୍ରୀମତି ସେଠୀ ମନା କରି ନ ପାରି ଏକ ଅଟୋରିକ୍ସା ଯୋଗେ ରାୟଗଡା ଜିଲ୍ଳାପାଳଙ୍କ ବାସଭବନ ପର୍ଯ୍ୟନ୍ତ ଆଣିଥିଲେ । ବାସଭବନ ଆଗରେ ଜିଲ୍ଳାପାଳଙ୍କୁ ଭେଟିବାକୁ ଅପେକ୍ଷା କରିଥିବା ବେଳେ ଖବର ପାଇ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ପଂହଚି ସମସ୍ୟାର ସମାଧାନ କରିବା ସହ ବିଦ୍ୟୁତ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ୍ କରିଥିଲେ । ବିଦ୍ୟାଳୟର ଯୁଗ୍ମ ଏକାଉଂଟ ଥିବାରୁ ଏବଂ ସ୍ଥାନୀୟ ଡବ୍ଳ୍ୟୁଇଓ କାଶିପୁର ଓ ରାୟଗଡା ବ୍ଳକ ଦାୟିତ୍ୱରେ ରହିଥିବାରୁ ସେ ଆଜି ଅନୁପସ୍ଥିତ ଥିଲେ । ଫଳରେ ଟଙ୍କା ଉଠାଣ କରାଯାଇ ପାରି ନ ଥିଲା । ତେବେ ବିଦ୍ୟୁତ ବିଲ୍ ପୈଠ ପାଇଁ ମଙ୍ଗଳବାର ଦିନ ଧାର୍ଯ୍ୟ କରିଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ହଠାତ ଆସି ହଷ୍ଟେଲରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.