ନର୍ଲାରୋଡଠାରେ ଅନୁଷ୍ଠିତ ରେଳରୋକ ଆନ୍ଦୋଳନର ଏପାଖ ସେପାଖ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଷ୍ଟେସନ ଠାରେ ନର୍ଲା ସ୍ୱାଭିମାନ ମଞ୍ଚ ତରଫରୁ ଜୁଲାଇ ୧ ବୁଧବାର ଦିନ ସକାଳ ୮ ଘଣ୍ଟା ଠାରୁ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୧୫ ବର୍ଷ ପରେ ଏଭଳି ଏକ ବଡ ଧରଣର ଆନ୍ଦୋଳନ ନର୍ଲାରୋଡ ରେ ଅନୁଷ୍ଠିତ ହୋଇଛି। ଦାବୀ କରାଯାଇଥିବା ଟ୍ରେନ ମଧ୍ୟରୁ ୪ ଗୋଟି ଏକ୍ସପ୍ରେସ ଟ୍ରେନର ରହଣୀ ରହିବ ବୋଲି ନର୍ଲା ଓ ନର୍ଲାରୋଡ ଅଞ୍ଚଳ ବାସୀ ବେଶ ଖୁସି। ହେଲେ ଆନ୍ଦୋଳନରେ କେତେକ ବ୍ୟତିକ୍ରମକୁ ନେ଼ଇ ଚର୍ଚ୍ଚା ଥମୁନି। ସ୍ୱାଭିମାନ ଜାଗରଣ ମଞ୍ଚର ମୁଖିଆ ପ୍ରଦୀପ କୁମାର ନାଏକ, ଦୁର୍ଯ୍ୟୋଧନ କୁମାର, ସମ୍ପାଦକ ଦୀପୁ ପାତ୍ର, ଚୂଳମଣି ଗୌଡିଆଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳର ୧୫ ଶହ ରୁ ଉର୍ଦ୍ଧ୍ୱ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ। ରେଳବାଇ ପୋଲିସ ଓ ସ୍ଥାନୀୟ ପୋଲିସ ଷ୍ଟେସନ ର ମୁଖ୍ୟ ଗେଟ ପ୍ରବେଶ ଦ୍ୱାରକୁ କଡନ କରି ରଖିଥିଲେ। ଆନ୍ଦୋଳନ କାରୀ କାହାକୁ ଭିରତକୁ ଛାଡି ନଥିଲେ। ସ୍ୱାଭିମାନ ମଞ୍ଚ, ନର୍ଲାର ସମ୍ପାଦକ ଦୀପୁ ପାତ୍ର ପ୍ରଥମେ ମୁଖ୍ୟ ଗେଟ ସିମେଣ୍ଟ ବାଡ ଡେଇଁ ଷ୍ଟେସନ ପରିସରକୁ ପ୍ରବେଶ କରିଥିବା ବେଳେ ତାଙ୍କର ଯୁବ ସହକର୍ମୀ ୧୫ ଜଣରୁ ଉର୍ଦ୍ଧ୍ୱ ଯୁବକ ଓ ବିକ୍ରମ ହୋଟେଲ ପଛପଟ ଷ୍ଟାଫ କ୍ୱଟର୍ସ ସମ୍ମୁଖସ୍ଥ ରାସ୍ତା ଦେଇ ମହିଳା ମାନେ ଷ୍ଟେସନ କୁ ପ୍ରବେଶ କରି ଟ୍ରାକ ଉପରକୁ ଚାଲିଯାଇ ଖୁବ ଯୋର ନାରା ଦେବା ସହ ରେଳରୋକ କରିଥିଲେ। ସମ୍ବଲପୁର – ରାୟଗଡା ଇଣ୍ଟରସିଟି ଟ୍ରେନ ଦୁଇ ଘଣ୍ଟା ଅଟକ ରହିଥିଲା। ଏଥିରେ ରେଳବାଇ ସୁରକ୍ଷା ବଳର ଅତିରିକ୍ତ ଏସପି, ଇନ୍ସପେକ୍ଟର ଓ ସୁରକ୍ଷା ବାହୀନ ଭରପୁର ରହିଥିଲେ। ହେଲେ ଲୋକଙ୍କୁ ବୁଝାସୁଝା କରୁଥିଲେ। ସେମାନଙ୍କ ମଧ୍ୟରେ କଠୋର ସ୍ୱଭାବ ଦେଖିବାକୁ ମିଳି ନଥିଲା। ପରନ୍ତୁ ସ୍ଥାନୀୟ ପୋଲିସ ବଳ ତରଫରୁ ଲୋକଙ୍କୁ ଧକ୍କାମୁକି କରାଯାଇଥିବା ଦୃଶ୍ୟମାନ ହୋଇଥିଲା। ନର୍ଲା ଆଇଆଇସି ବିଜୟ ରାଜ ମାଝୀ, ମ.ରାମପୁର ଆଇଆଇସି ଶ୍ରୀମତୀ ପ୍ରଧାନ ଆନ୍ଦୋଳନ କାରୀ ଙ୍କୁ ଭଲ ବ୍ୟବହାର ଦେବା ସହ ସହଯୋଗ ମନୋଭାବ ପ୍ରଦର୍ଶନ କରିଥିବା ବେଳେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ କଠୋର ବ୍ୟବହାର ଓ ରୁକ୍ଷତା ଲୋକଙ୍କୁ କଷ୍ଟ ଦେଇଥିଲା ବୋଲି ଆଲୋଚନା ହେଉଛି। ଆନ୍ଦୋଳନ କାରୀ ଜଣେ ମହିଳାଙ୍କ ବେକରେ ପିନ୍ଧିଥିବା ସୁନାଚେନ ପୋଲିସ ଟଣା ଓଟରା ସମୟରେ ହଜିଯାଇଛି। ପ୍ରକୃତରେ ଏହା ହଜିଛି ନା ଅନ୍ୟ କିଛି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସ୍ୱାଭିମାନ ମଞ୍ଚ ଶାନ୍ତି ଶୃଙ୍ଖଳା ଭାବରେ ଆନ୍ଦୋଳନ କରିବ, କେହି ସଦସ୍ୟ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ ବୋଲି ଘୋଷଣା କରିଥିବା ବେଳେ ଆନ୍ଦୋଳନ ସମୟରେ ୧୦ ରୁ ୧୨ ଜଣ ଯୁବକ ମଦପିଇ ବିଶୃଙ୍ଖଳା ସୃଷ୍ଟି କରିଥିବା ଆଲୋଚନା ହେଉଛି। ସ୍ୱାଭିମାନ ମଞ୍ଚର ବୟୋବୃଦ୍ଧ ସଦସ୍ୟ ନନ୍ଦ କିଶୋର ଜେନା ଓ ତୀର୍ଥ ପଧାନ ପ୍ରତ୍ୟକ୍ଷ ଭାବରେ ଟ୍ରାକ କୁ ଓହ୍ଲାଇ ଆନ୍ଦୋଳରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ଯାହା ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛି। ହେଲେ ମଞ୍ଚର କେତେଜଣ କଥାକୁହା ସଦସ୍ୟ ନା କୁ ମାତ୍ର ଷ୍ଟେସନ କୁ ଯାଇଥିଲେ ହେଲେ କେସ ହେବା ଭୟରେ ଟ୍ରାକ ପାଖକୁ ଯାଇନଥିଲେ। ଯାହାକୁ ନେଇ ଜନସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇଛି। ମଞ୍ଚ ଆନ୍ଦୋଳନ କାରୀ ୧,୦୦୦ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିଥିଲା। ହେଲେ ପ୍ରକୃତ ଆନ୍ଦୋଳନ କାରୀ ମାତ୍ର ୨୦୦ ଜଣ ଷ୍ଟେସନ କୁ ପ୍ରବେଶ ପାଇଁ ପୋଲିସ ସହ ସଂଗ୍ରାମ କରିଥିଲେ। ପୋଲିସ କଡନ ଭାଙ୍ଗିଯିବା ପରେ ୧,୦୦୦ ରୁ ଉର୍ଦ୍ଧ୍ୱ ଦେଖଣାହାରୀ ପ୍ଲାଟଫର୍ମ ଉପରେ ଛିଡାହୋଇ ଲଢେଇର ମଜା ନେଇଥିଲେ। ପୋଲିସ ଓ ଆନ୍ଦୋଳନ କାରୀଙ୍କ ଧାସ୍ତା ଧସ୍ତି କୁ ବେଶ ଉପଭୋଗ କରିଥିଲେ ଓ ମୋବାଇଲ ଧରି ଭିଡିଓ ସୁଟିଂ କରିବାରେ ବ୍ୟସ୍ତ ଥିଲେ ବୋଲି ଆଲୋଚନା ହେଉଛି। ଭୋଜନ ବେଳେ ୧୨,୦୦ ରୁ ଉର୍ଦ୍ଧ୍ୱ ଲୋକେ ଚିକେନ, ମାଛ ଭାତ ଖାଇ ଆରାମରେ ଘରକୁ ଯାଇଥିଲେ। ଶେଷରେ ଆୟୋଜକଙ୍କୁ ନିଅଣ୍ଟ ହୋଇଥିଲା ଭୋଜନ।

ଏହା ସ୍ୱାଭିମାନ ମଞ୍ଚ ତରଫରୁ ସର୍ବ ଦଳୀୟ ଆନ୍ଦୋଳନ ବୋଲି ଡାକରା ଦିଆ ଯାଇଥିଲା। ଏଥିରେ ନର୍ଲା ସରପଞ୍ଚ ସଂଘ, ନର୍ଲାରୋଡ ସେବାକାରୀ କିନ୍ନର ସଂଘ. ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ, ନର୍ଲା ବଣିକ ସଂଘ, ବିଜେଡି, କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟିର ନେତୃତ୍ୱ ଓ ସଦସ୍ୟ ମାନେ ସାମିଲ ହୋଇଥିବା ବେଳେ ବିଜେପି ପାର୍ଟିର କୌଣସୀ ନେତୃବୃନ୍ଦ କିମ୍ବା ସଦସ୍ୟ ଆନ୍ଦୋଳନର ପାଖ ମାଡି ନଥିଲେ। ଏହାକୁ ନେଇ ମଧ୍ୟ ଯୋରଦାର ସମାଲୋଚନା ହେଉଛି ନର୍ଲା ସହରରେ “ପ୍ରଥମେ ମାଟି ନା ପାର୍ଟି” ବୋଲି। ଆନ୍ଦୋଳନ କାରୀ ଆନ୍ଦୋଳନ ସମୟରେ ହାତରେ ଜାତୀୟ ପତାକା ଧରି ସଂଗ୍ରାମ କରିବ ବୋଲି ପ୍ରସ୍ତୁତି ବୈଠକ ରେ ସ୍ଥିରୀକୃତ ହୋଇଥିଲା। ହେଲେ ଆନ୍ଦୋଳନ ସମୟରେ ହାତ ଗଣତି ମାତ୍ର କେଇଜଣ ଙ୍କ ହାତରେ ତ୍ରିରଙ୍ଗା ଦେଖିବାକୁ ମିଳିଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.