ଗୋଆ ଠାରେ କଳାହାଣ୍ଡିର ଦାଦନ ଶ୍ରମିକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ସ୍ଥାନୀୟ ଅଞ୍ଚଳରେ ଠିକ୍ ଭାବରେ କାମ ମିଳୁନଥିବାରୁ ପେଟ ପାଟଣା ପାଇଁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି କଳାହାଣ୍ଡିର ହଜାର ହଜାର ଶ୍ରମିକ। ସେଠାରେ ସେମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। କେତେବେଳେ ଦାଦନ ଶ୍ରମିକ ଟିଏ ହାତ ଗୋଡ କାଟା ଅବସ୍ଥାରେ ଘରକୁ ଫେରୁଛି ତ କେତେବେଳେ ସବୁ ଦିନ ପାଇଁ ନିଖୋଜ ହେଇ ଯାଉଛି। ପୁଣି କେବେ ଶବ ହେଇ ଫେରୁଛି ତ କେତେବେଳେ ମୃତ୍ୟୁ ପରେ ମଧ୍ୟ ଭିଟାମାଟିକୁ ଫେରି ପାରୁନାହିଁ ଶବ। ବର୍ତ୍ତମାନ ଏକ ଖବର ପହଞ୍ଚିଛି ସୁଦୂର ଗୋଆରୁ। ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ଗାଁ ଡୋକରୀପଡାର ୩୨ ବର୍ଷିୟ ପରମାନନ୍ଦ ଲହଜଲ ଗୋଆରେ ମୃତ୍ୟୁ ବରଣ କରିଛନ୍ତି। ସେ ନିଜ ସାଥୀ ଶ୍ରମିକଙ୍କ ସହ ଦୁଇ ସପ୍ତାହ ତଳେ ଗୋଆର ମଟକି ଠାରେ ଥିବା ସେଫ୍ସକନ କମ୍ପାନୀରେ ଶ୍ରମିକ ଭାବେ ନିୟୋଜିତ ହୋଇ କାର୍ଯ୍ୟ କରୁଥିଲେ। କିନ୍ତୁ ଶୁକ୍ରବାର ସଂଧ୍ୟାରେ ପରମାନନ୍ଦ ହଠାତ୍ ଅସୁସ୍ଥ ହେଇ ପଡିଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ହେଇଥିବା ନେଇ ପରିବାର ଲୋକ ସେଦିନ ସକାଳ ସାଢେ଼ ନଅଟା ବେଳେ ସୁଚନା ପାଇଥିଲେ। ଏହି ଖବର ଶୁଣିବା ପରେ ବୃଦ୍ଧ ବାପା ମାଁ ନିର୍ବାକ ହେଇ ପଡ଼ିଥିବା ବେଳେ ପରମାନନ୍ଦଙ୍କ ପତ୍ନୀ ଅସହାୟ ହେଇପଡିଛନ୍ତି। ଘଟଣା ସମ୍ବନ୍ଧରେ କିଛି ଜାଣି ନଥିବା ପରମାନନ୍ଦଙ୍କ ଦୁଇ ଶିଶୁ ସନ୍ତାନ ଘର ପାଖରେ ଲୋକଙ୍କ ଗହଳି ଓ କାନ୍ଦ ବୋବାଳି ଶୁଣି ନିର୍ବାକ ହେଇଯାଇଛନ୍ତି। ଏଠି ତ କାମ ଧନ୍ଦା ଅଭାବ ଦେଶ ଯାଇ କିଛି ରୋଜଗାର କରି ଆଣିଲେ ବନ୍ଧା ପଡ଼ିଥିବା ଅଳଙ୍କାର ଓ ଜମିକୁ ମୁକୁଳାଇବା ପାଇଁ ପତ୍ନୀକୁ ବୁଝାଇ ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ରୋଜଗାର କରି କିଛି ଟଙ୍କା ଆଣିବା ବଦଳରେ ଶବ ହେଇ ଫେରୁଛନ୍ତି। ଯାହାକୁ ବାହୁନି ବାହୁନି କାନ୍ଦୁଛନ୍ତି ପରମାନନ୍ଦଙ୍କ ପତ୍ନୀ ଲଳିତା। ଶୋକାକୁଳ ପରିବେଶ ଭିତରେ ରହିଛି ରଣମାଳ ଗାଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.