ସାହିତ୍ୟିକ କବି ବନ୍ଧୁ ପରିବାରର ୫ମ ବାର୍ଷିକ ସାରସ୍ଵତ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀଠାରେ ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ୫ମ ବାର୍ଷିକ ସାରସ୍ୱତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଶିଖା ଲୋକାର୍ପିତ ହେବାସହ, ବନ୍ଧୁମିଳନ, ଆଠଜଣ ସାହିତ୍ୟିକଙ୍କ ପୁସ୍ତକ ଲୋକାର୍ପଣ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଏବଂ ପ୍ରତିଭା ପୂଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୈଜ୍ଞାନିକ ଡ଼. ସୁଦର୍ଶନ ସାସମଲ ଯୋଗ ଦେଇ – ଆମ ଭାଷା ବଞ୍ଚିଲେ ଜାତି ବଞ୍ଚିବ। ଆମ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ସମସ୍ତେ ଆଗେଇ ଆସିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର କହିଲେ ‘ଗୀତା, ଭାଗବତ, ରାମାୟଣ ଓ ମହାଭାରତରେ ଅସଲ ସାହିତ୍ୟ ବିଦ୍ୟମାନ। ସେସବୁ ଅନୁଭବ କରି ଆମେ ସାହିତ୍ୟ ରଚନାକୁ ଅଗ୍ରସର କରିବାର ଆବଶ୍ୟକତା ରହିଛି।’ ମୁଖ୍ୟ ବକ୍ତା ଭାବରେ ପ୍ରଫେସର ଡ଼. ନଟବର ଶତପଥୀ କହିଲେ ‘ଭାଷା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଏଭଳି ପ୍ରତିଷ୍ଠାନ ମାନଙ୍କର ଆବଶ୍ୟକତା ରହିଛି। ବାଲେଶ୍ଵର ସାହିତ୍ୟର ସହର, ସେଠାରୁ ଜନ୍ମ ନେଇ ଅନେକ ସାହିତ୍ୟିକ ଆଜି ଓଡ଼ିଆ ସାହିତ୍ୟର ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛନ୍ତି।’ ସମ୍ମାନୀତ ବକ୍ତା ଗୋବିନ୍ଦ ଚନ୍ଦ୍ର ଚାନ୍ଦ କହିଲେ ‘ଜଣେ ସାହିତ୍ୟିକ ସବୁବେଳେ ଗୋଷ୍ଠୀ କୈନ୍ଦ୍ରିକ। ଜଣେ ବ୍ୟକ୍ତିକୁ ଆଧାର କରି ସେ ପୁରା ସମାଜର କଥାକୁ ବର୍ଣ୍ଣନା କରିପାରେ।’ ବରେଣ୍ୟ ବକ୍ତା ପ୍ରଫେସର ଡ଼. ସନ୍ତୋଷ ତ୍ରିପାଠୀ କହିଲେ ‘ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ଏବେ ନୂତନ ପିଢିକୁ ସମୃଦ୍ଧ କରି ଗଢି ତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ। ତାଙ୍କୁ ସଶକ୍ତ କରି ଆଗକୁ ଛାଡି ପାରିଲେ ଯାଇ ଆମ ଭାଷା ବଞ୍ଚିବ ଓ ସାହିତ୍ୟର ଉନ୍ନତି ହୋଇ ପାରିବ।’ ଅନ୍ୟତମ ଅତିଥି ଭାବେ ଡ଼. ଆଶୁତୋଷ ପଟ୍ଟନାୟକ, ହେମନ୍ତ ଜେନା, ତପନ କୁମାର ପଣ୍ଡା, ଡ. ଇନ୍ଦିରା ଦତ୍ତ, ସଭାପତି ଦେବେନ୍ଦ୍ର ନାଏକ, ସମ୍ପାଦିକା ପ୍ରଣତି ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ କୁମାର ଜାନୁ ସଂଗୀତ ଗାନ କରି ଦର୍ଶକଙ୍କ ମନ ମୋହି ନେଇଥିଲେ। ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ରଞ୍ଜନ କୁମାର ମହାନ୍ତି ଓ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ।

ଦ୍ବିତୀୟ ଅଧିବେଶନରେ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ବିଜୟ କୁମାର ମିଶ୍ର, ବିନୋଦିନୀ ଦାଶ, ସ୍ନେହ ମିଶ୍ର, ବାମନ ଚନ୍ଦ୍ର ଦୀକ୍ଷିତ, ରମାକାନ୍ତ ମାହାଳି, ବିପିନ ବିହାରୀ ବାରିକ, ଉଷାରାଣୀ ପଣ୍ଡା, ବଦ୍ରୀନାରାୟଣ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ କବିତା ପାଠୋତ୍ସବ ସହ ବିଶ୍ବେଶ୍ବର ମାଝୀଙ୍କ “ଛନ୍ଦରେ ଛନ୍ଦରେ”, ପ୍ରଣତି ମହାପାତ୍ରଙ୍କ “ଗୀତରେ ଗୀତରେ ଆମେ ନାଚିବା”, ତପନ ବିଶ୍ବାଳଙ୍କ “ରୋମନ୍ଥନ”, ବନଲକ୍ଷ୍ମୀ ମହାନ୍ତିଙ୍କ ଭକ୍ତି ଅର୍ଘ୍ୟ, ଦିବ୍ୟାଂଶୀ ମହାନ୍ତିଙ୍କ ଦିବ୍ୟାଂଶୀର ଦିବ୍ୟ ଭାବନା, ପୁଷ୍ପଲତା ମିଶ୍ରଙ୍କ ଗୀତିପୁଷ୍ପ, ବାମନ ଚନ୍ଦ୍ର ଦୀକ୍ଷିତଙ୍କ ମ୍ଲାନ ମୁର୍ଛନା, ସୃତି ସୁଧା ଏବଂ ଅନୁଷ୍ଠାନର ମୁଖପତ୍ର ଶିଖା “ନବ ଚେତନାର ନବ ଦିଗନ୍ତ”ଲୋକାର୍ପିତ ହୋଇଥିଲା।କାର୍ଯ୍ୟକ୍ରମ ଶେଷରେ ଯୁବକବି ଅଂଶୁମାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.