ମଣ୍ଡିରେ ପଡି ରହିଛି ଚାଷୀଙ୍କ ଶହ ଶହ ବସ୍ତା ଧାନ, ଶିତ କାକରରେ ଜଗି ରହିଛନ୍ତି ଚାଷୀ
ଓଡ଼ିଆବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଚଳିତ ୨୦୨୨-୨୩ ଖରିଫ ବର୍ଷ ପାଇଁ ଗତ ନଭେମ୍ବର ୨୫ ତାରିଖ ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକରେ ଖରିଫ ଧାନ ମଣ୍ଡି ଖୋଲା ଯିବା ପାଇଁ ନଭେମ୍ବର ୩ ତାରିଖ ଦିନ ହୋଇଥିବା ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକରେ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତି ହୋଇଥିଲା । ସେହି ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ୧୭୫ ଧାନ ସଂଗ୍ରହ କେନ୍ଦ୍ର ଖୋଲାଯିବ ବୋଲି ସୂଚନା ଦିଆଯାଇଥିଲା । ଯାହାକି କେସିଙ୍ଗା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା କେସିଙ୍ଗା, କାର୍ଲାମୁଣ୍ଡା ଓ ମ. ରାମପୁର ବ୍ଲକରେ ୩୮ ଗୋଟି ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ନେଇ ସ୍ଥିର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ତ ମଣ୍ଡି ଆରମ୍ଭ ହୋଇପାରି ନଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀ ଧାନ ଅମଳ କରି ନିଜ ଘରେ ରଖି ଥିଲେ ମଧ୍ୟ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷରେ ଆଜି ସୁଧ୍ୟା ଯେଉଁ ସବୁ ସ୍ଥାନରେ ମଣ୍ଡି ଆରମ୍ଭ ହୋଇଛି ତାହା ଆରମ୍ଭରୁ ହିଁ ବିଭ୍ରାଟ ଦେଖା ଦେଇଛି । ମଣ୍ଡି ବିଭ୍ରାଟ ପାଇଁ ମିଲର୍ ପ୍ରତିନିଧିଙ୍କୁ ଦାୟୀ କରିଛନ୍ତି ଚାଷୀ । କମ୍ ଦରରେ ଚାଷୀଙ୍କ ଠାରୁ ଧାନ କିଣି ନିଜ ଘରେ ଗଚ୍ଛିତ ରଖିଥିବା ଦଲାଲ୍ ମିଲର୍ ପ୍ରତିନିଧି ଭାବେ ମଣ୍ଡିରେ ଯୋଗଦାନ କରୁଥିବା ଯୋଗୁଁ ମଣ୍ଡି ଗୁଡ଼ିକରେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକି ଜଣେ ଦଲାଲ ଗୋଟିଏ ମଣ୍ଡିର ତିନି ଗୋଟି ମିଲର୍ ପ୍ରତିନିଧି ହୋଇ ଧାନ ଉଠାଉଥିବା ଅଭିଯୋଗ ହେଉଛି । ଯାହାର ଜ୍ଵଳନ୍ତ ଉଦାହରଣ କେସିଙ୍ଗା ବ୍ଲକର କାଣ୍ଡେଲ ଧାନ କ୍ରୟ ମଣ୍ଡିରେ ଦେଖିବାକୁ ମିଳିଛି । ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ଧାନ କ୍ରୟ କେନ୍ଦ୍ରକୁ ନିଜର ଅମଳ କରିଥିବା ଧାନ ଆଣୁଥିଲେ ସୁଧ୍ୟା ଠିକ୍ ସମୟରେ ଚାଷୀଙ୍କ ଧାନ ଓଜନ ହୋଇପାରୁ ନାହିଁ । ଫଳରେ ଶୀତ କାକରରେ ଚାଷୀ ନିଜର ଧାନ ଖୋଲା ଆକାଶରେ ପକାଇ ଜଗି ରହୁଛନ୍ତି । ଧାନ କ୍ରୟ କେନ୍ଦ୍ରରୁ ଧାନ ଉଠେଇବା ପାଇଁ ବିଭିନ୍ନ ମଣ୍ଡିକୁ ମିଲର ଟ୍ୟାଗ ହୋଇଛି । ହେଲେ ମିଲରଙ୍କ ଅସହଯୋଗ ତଥା ବିଭିନ୍ନ ବାହାନ ଦେଖାଉଥିବା ଯୋଗୁଁ ଧାନ କ୍ରୟ କରୁଥିବା ଅଧିକାରୀ ଅସହାୟ ପ୍ରକାଶ କରୁଛନ୍ତି । ଭିତ୍ତି ଭୂମିର ଅଭାବ ଯୋଗୁଁ ମିଲରଙ୍କ ଉପରେ ନିର୍ଭର କରିବାକୁ ପଡୁଛି ଧାନ କ୍ରୟ କରୁଥିବା ସଂସ୍ଥାର ଅଧିକାରୀଙ୍କୁ । ସରକାରଙ୍କ ନିୟମ ଅନୁସାରେ ଧାନ କ୍ରୟ କରୁଥିବା ସଂସ୍ଥାର ଅଧିକାରୀ ଧାନର ମାନ ନିର୍ଦ୍ଧାରଣ କରି ମଣ୍ଡିରେ ସିଧା ସଳଖ ଚାଷୀଙ୍କ ଧାନ କିଣିବା ପାଇଁ ବ୍ୟବସ୍ଥା ରହିଛି । ହେଲେ ବିଭିନ୍ନ ମଣ୍ଡିରେ ଟ୍ୟାଗ ହୋଇଥିବା ମିଲରଙ୍କ ଦ୍ଵାରା ମଣ୍ଡି ପରିଚାଳିତ ହେଉଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀଙ୍କ ଧାନ କୁଇଣ୍ଟାଲ ପ୍ରତି ୫ ରୁ ୭ କେଜି କଟନୀ ଛଟନୀ କରାଗଲେ ହିଁ ମଣ୍ଡିରୁ ଧାନ ଉଠୁଛି ବୋଲି ଚାଷୀ ମହଲରେ ଅଭିଯୋଗ ହୋଇଛି । କଟନୀ ଛଟନୀକୁ ନେଇ ଚାଷୀ ମହଲରେ ପ୍ରତିବାଦ କରାଯାଉଥିବା ବେଳେ ଧାନ ଓଜନକୁ ବନ୍ଦ କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି ।
ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକ ଗୋକୁଳେଶ୍ଵର ମଣ୍ଡିରେ । ସେଠାରେ ଗତ ୫ ତାରିଖ ସୋମବାର ଦିନ ଠାରୁ ମଣ୍ଡି ଶୁଭାରମ୍ଭ ହୋଇଥିଲେ ମଧ୍ୟ ୨ ଦିନରେ କେବଳ ୧୧ ଜଣ ଚାଷୀଙ୍କ ଠାରୁ ମାତ୍ର ୬୧୧ କୁଇଣ୍ଟାଲ ୧୫ କେଜି ଧାନ ଉଠିଥିଲା । କୁଇଣ୍ଟାଲ ପ୍ରତି ୫ରୁ ୭ କେଜି ଧାନ କଟନୀ ଛଟନୀ ହେବାରୁ ତାହାକୁ ଚାଷୀ ମାନେ ବିରୋଧ କରିଥିଲେ । ଯାହାଫଳରେ ବୁଧବାର ଦିନ ଧାନ କ୍ରୟ ବନ୍ଦ ହୋଇଥିଲା ଏବଂ ମୁଣ୍ଡିକୁ ଆଣିଥିବା ୧୬ ଜଣ ଚାଷୀଙ୍କ ୧୪୪୭ ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଲା । ଯାହାକି ଶୀତ କାକରରେ ଚାଷୀ ଦୁଇ ଦିନ ଧରି ମଣ୍ଡିରେ ନିଜର ଧାନ ଜଗି ରହିଲେ । ଖବର ପାଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କେସିଙ୍ଗା ସହରର ଯୁବ ସଂଗଠକ ସୁରେଶ ରାଓ ଗୋକୁଳେଶ୍ବର ମଣ୍ଡିକୁ ଯାଇ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଖବର ପାଇ କେସିଙ୍ଗା ତହସିଲଦାର ତଥା ନୋଡାଲ ଅଧିକାରୀ ରାକେଶ କୁମାର ପରୁଆ ଗୋକୁଳେଶ୍ବର ମୁଣ୍ଡିକୁ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଗୋକୁଳେଶ୍ଵର ପେକ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମକୁନ୍ଦ ଶବରଙ୍କୁ ଧାନ ଓଜନ ନହେବା କାରଣ ସମ୍ପର୍କରେ ପଚାରି ବୁଝିଥିଲେ । ନିୟମ ଅନୁସାରେ ମଣ୍ଡିକୁ ଆସୁଥିବା ଧାନ ଆନାଲିସିସ କରି ଉଠାଯିବା ପାଇଁ ପଦକ୍ଷେପ ନିଆ ଯାଉଛି ବୋଲି ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ ଗୋକୁଳେଶ୍ଵର ମଣ୍ଡିରେ ଖରିଫ ଧାନ ବିକ୍ରୟ ପାଇଁ ଗୋକୁଳେଶ୍ଵର, ଦେଓଗାଁ ଓ ଗାଈଗାଁ ପଞ୍ଚାୟତର ୮୨୯ ଜଣ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକୃତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ଳରେ ୨୭୮୦୦ କୁଇଣ୍ଟାଲ ଧାନ ଉଠେଇବା ପାଇଁ ୫ ଗୋଟି ମିଲରଙ୍କୁ ଟ୍ୟାଗ କରିଥିବା ଜଣା ପଡିଛି ।